ତାତିରୁ ମିଳିବ ଆଶ୍ଵସ୍ତି, ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଟି): ଚଳିତ ମାସ ଶେଷ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ତାତିରୁ ମିଳିବ ଆଶ୍ୱସ୍ତି। ପାଣିପାଗ ବିଶେଷଜ୍ଞ ଏଭଳି ଆକଳନ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ୯ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ଦୁଇଦିନ ରାଜ୍ୟରେ ଘଡ଼ଘଡ଼ି ସହ କୁଆପଥର ବୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଛି।

ସୂଚନା ଅନୁସାରେ ବୁଧବାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହି ଜିଲ୍ଲାଗୁଡିକ ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଗଜପତି, କୋରାପୁଟ, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ପୁରୀରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ, ରାଜ୍ୟର ଉପରୋକ୍ତ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ। ପୁଣି ୨୪ ତାରିଖରୁ କାଳବୈଶାଖୀ ବର୍ଷା ବଢ଼ିବ ଓ ୨୬ ପର୍ଯ୍ୟନ୍ତ ଜାରି ରହିବ। ବଙ୍ଗୋପସାଗରରୁ ଉପକୂଳ ଆଡକୁ ବୋହୁଥିବା ପବନରେ ଜଳୀୟ ବାଷ୍ପ ଥିବାରୁ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ ବୋଲି ଶ୍ରୀ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ।

Leave a Reply

Your email address will not be published. Required fields are marked *