ଗୁରୁତର ରୋଗୀମାନଙ୍କୁ ସ୍ଥାନାନ୍ତର ସମୟରେ ଉପୁଜୁଥିବା ସମସ୍ୟାକୁ ନେଇ SUM ହସ୍ପିଟାଲରେ କର୍ମଶାଳା ଆୟୋଜିତ

ଭୁବନେଶ୍ବର, (ଓଡିଶା ଟାଇମ୍): ଗୁରୁତର ରୋଗୀମାନଙ୍କୁ ସୁରକ୍ଷିତ ଭାବେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ସମୟରେ ଅନେକ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଉପଲବ୍ଧ ଥିବା ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରିବା ସମ୍ପର୍କରେ ବିଶେଷଜ୍ଞମାନେ ଗୁରୁତ୍ୱ ଦେଇଛନ୍ତି । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଗୁରୁବାର ଆୟୋଜିତ କର୍ମଶାଳାରେ ଏହି ମତ ଦେଇଛନ୍ତି ବିଶେଷଜ୍ଞମାନେ । ଡାକ୍ତରମାନେ ସ୍ଥାନାନ୍ତର ସମୟରେ ହସ୍ପିଟାଲ୍ ଦ୍ୱାରା ଭେଂଟିଲେଟର ବ୍ୟବହାର ସମ୍ପର୍କରେ ବୁଝାଇବା ସହ ଆଇସିୟୁ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟକରୁଥିବା ମେଡିକାଲ୍ କର୍ମଚାରୀମାନଙ୍କର ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦେଇ ନୂତନ ବୈଷୟିକ ଉପକରଣର ବ୍ୟବହାର , ରୋଗୀମାନଙ୍କର ଚିକିତ୍ସା ଏବଂ ସୁରକ୍ଷା ସମ୍ପର୍କରେ ଜ୍ଞାନ ଆହରଣ କରିବା ଆବଶ୍ୟକ ବୋଲି ମତ ଦେଇଛନ୍ତି ।

ନନ୍‌-ଇନ୍‌ଭେସିଭ୍ ଭେଂଟିଲେସନ୍ (ଏନ୍‌ଆଇଭି) ଏବଂ ଟ୍ରାନ୍ସପୋର୍ଟ ଭେଂଟିଲେସନ୍ ସମ୍ପର୍କିତ ଏହି କଂଟିନ୍ୟୁଇଙ୍ଗ ମେଡିକାଲ୍‌ ଏଜୁକେସନ୍ (ସିଏମ୍‌ଇ) ସମ୍ ହସ୍ପିଟାଲ୍‌ର ବାୟୋମେଡିକାଲ୍ ଇଞ୍ଜିନିୟରିଂ ଡିପାର୍ଟମେଂଟ ଓ ରେସ୍‌ମେଡ୍ ଇଣ୍ଡିଆର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ରଖି ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ପ୍ରମୁଖ ସହର ଗୁଡ଼ିକରେ ବଢ଼ୁଥିବା ବାୟୁ ପ୍ରଦୂଷଣ, ଲକ୍ ଡାଉନ୍ ଆଡକୁ ମୁହାଁଉଥିବା ଦିଲ୍ଲୀ ସହର ଏବଂ ଏହା ଦ୍ୱାରା ଉପୁଜୁଥିବା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ । ଆମାଜନ୍ ଜଙ୍ଗଲକୁ ବିଶ୍ୱର ଫୁସ୍‌ଫୁସ୍ ବୋଲି କୁହାଯାଉଥିବା ବେଳେ ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ତାହା ଧ୍ୱଂସ ହେବାକୁ ଲାଗିଛି । ତେଣୁ ଆମକୁ ଏହି ସମସ୍ୟା ସହିତ ଲଢ଼ିବାକୁ ଓ ରୋଗର ମାତ୍ରାକୁ କମାଇବାକୁ ନୂଆ ଜଙ୍ଗଲ ତିଆରି କରିବାକୁ ପଡିବ ବୋଲି ସେ କହିଥିଲେ ।

ସମ୍ ହସ୍ପିଟାଲ୍‌ର ନ୍ୟୁରୋ କ୍ରିଟିକାଲ୍ କେୟାର ବିଭାଗର ଇନ୍‌ଚାର୍ଜ ଡାକ୍ତର ଈଶ୍ୱର ଚନ୍ଦ୍ର ବେହେରା କହିଥିଲେ ଯେ ଗୁରୁତର ଥିବା ରୋଗୀମାନଙ୍କର ସ୍ଥାନାନ୍ତର କରିବା ଚିକିତ୍ସାର ଏକ ପ୍ରମୁଖ ଅଂଗ ଏବଂ ଏଭଳି କର୍ମଶାଳାର ଆବଶ୍ୟକତା ରହିଛି । ଏଭଳି ଟ୍ରେନିଂ କାର୍ଯ୍ୟକ୍ରମରୁ ନର୍ସିଂ ଷ୍ଟାଫ୍‌ମାନେ ଜ୍ଞାନ ଆହରଣ କରିବା ସହ କାର୍ଯ୍ୟଶୈଳୀ ମଧ୍ୟ ଶିଖନ୍ତୁ ବୋଲି ଡାକ୍ତର ବେହେରା କହିଥିଲେ । ହସ୍ପିଟାଲ୍‌ର ଅନ୍ୟ ତିନିଜଣ କ୍ରିଟିକାଲ୍ କେୟାର ଏକ୍ସପର୍ଟ ଡାକ୍ତର ଶକ୍ତି ବେଦାନ୍ତ ମିଶ୍ର, ଡାକ୍ତର ସନ୍ତୋଷ ସିଂହ ଓ ଡାକ୍ତର ସାଗରିକା ପଣ୍ଡା ହସ୍ପିଟାଲ୍ ମଧ୍ୟରେ ଏବଂ ଏକ ହସ୍ପିଟାଲ୍‌ରୁ ଅନ୍ୟ ହସ୍ପିଟାଲ୍‌କୁ ଗୁରୁତର ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ସ୍ଥାନାନ୍ତର ସମୟରେ ରୋଗୀ ଗୁରୁତର ହେବାର ସଂଖ୍ୟାକୁ କିଭଳି କମ୍‌ କରାଯାଇପାରିବ ସେ ସମ୍ପର୍କରେ ଡାକ୍ତର ମିଶ୍ର ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମକୁ ସମ୍ ହସ୍ପିଟାଲ୍‌ର ବାୟୋମେଡିକାଲ୍ ଇଞ୍ଜିନିୟର ଶ୍ରୀମତି ମନୋରମା ପରିଡା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୁଣବତା ବିଭାଗର ମୁଖ୍ୟ ଡାକ୍ତର ଅରୋଲିପି, ସମ୍ ଅଲ୍ଟିମେଟ୍ ମେଡିକେୟାରର ବାୟୋମେଡିକାଲ୍ ଇଞ୍ଜିନିୟରିଂ ବିଭାଗର ଡିଜିଏମ୍ ଶ୍ରୀ ଅକ୍ଷୟ କୁମାର ସ୍ୱାଇଁ, ରେସ୍‌ମେଡ୍ ଇଣ୍ଡିଆର ଡାକ୍ତର ପୁଲ୍‌କିତ ସ୍ୱରୂପ, ସମ୍ ହସ୍ପିଟାଲ୍‌ର ଅଫିସର୍ ଅନ୍‌ ସ୍ପେଶିଆଲ୍ ଡ୍ୟୁଟି ଶ୍ରୀ ପ୍ରହଲ୍ଲାଦ ମହାନ୍ତି ଏବଂ ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମିନତୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *