‘ବନ୍ଦେ ଉତ୍କଳ ଜନନୀ’ କାହିଁକି ପ୍ରତିଟି ଓଡ଼ିଆ ପାଇଁ ଗୁରୁତ୍ଵପୂଣ୍ଣ, ଜାଣନ୍ତୁ

ଆମେ ଗର୍ବ କରିବାର ଏକ ବଳିଷ୍ଠ କାରଣ ହେଉଛି ଆମ ଭାଷା- ଓଡ଼ିଆ। ଏହି ଭାଷାକୁ ଭିତ୍ତି କରି ଆମେ ପରାଧୀନ ଭାରତରେ  ବି ନିଜର ସ୍ଵତନ୍ତ୍ରତା ସାବ୍ୟସ୍ତ କରିପାରିଥିଲୁ। ଇଂରେଜମାନେ ବାଧ୍ୟ ହୋଇ ଭାଷା ଭିତ୍ତିରେ ଆଧୁନିକ ଓଡ଼ିଶା ଗଠନକୁ ସ୍ଵୀକୃତି ଦେଇଥିଲେ।

ଏହା ୧୯୩୬ ମସିହା କଥା ଯେତେବେଳେ ଆମକୁ ଆମ ଓଡ଼ିଶା ମିଳିଥିଲା। ବଙ୍ଗ- ବିହାରଠାରୁ ଆମେ ଅଲଗା ହୋଇଥିଲୁ। ହେଲେ ଏହା ପୂର୍ବରୁ ଯେଉଁ ଭାଷା ଯୋଦ୍ଧାମାନେ ଆମକୁ ଅନୁପ୍ରାଣୀତ କରି ଏକାଠି କରିଥିଲେ ସେମାନଙ୍କ ସାଂଗଠନିକ ଉଦ୍ୟମ ୧୯୦୩ ମସିହାରୁ ଆରମ୍ଭ କରିଥିଲେ। ରାଜା ମହାରାଜାଙ୍କ ପୁଷ୍ଠ ପୋଷକତାରେ ସେମାନେ ଜନ ଜାଗରଣ ସୃଷ୍ଟି କରିବା ସହ ଇଂରେଜ ପ୍ରଶାସକମାନଙ୍କୁ ଏହା ମାନିବାକୁ ବାଧ୍ୟ କଲେ ଯେ, ଓଡ଼ିଆ ଏକ ସ୍ଵତନ୍ତ୍ର ଭାଷା। ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ତାଙ୍କ ଭାଷାଠୁ ବି ଓଡ଼ିଆ ପୁରୁଣା, ଅନେକ ପୁରୁଣା। ଏ ଭାଷା କହୁଥିବା ଲୋକେ ସରଳ ହୋଇଥିବା ହେତୁ ତାଙ୍କ ଉପରେ ବଙ୍ଗ ଏବଂ ବିହାର ଲୋକଙ୍କ ପ୍ରଭାବ ବଢ଼ିଛି। କିନ୍ତୁ ଏବେ ସେମାନେ ଏକମନ ହୋଇଛନ୍ତି, ଏକ ପ୍ରାଣରେ ଜାତୀୟତାକୁ ପ୍ରବାହିତ କରୁଛନ୍ତି।

ଆଉ ଏହି ଜାତୀୟତାବାଦକୁ ପ୍ରବାହିତ କରିବାରେ କୁଳବୁଦ୍ଧ ମଧୁସୂଦନ, ଜାତୀୟ କବି ବୀରକିଶୋର, କବିବର ରାଧାନାଥ ରାୟ, ଭକ୍ତ କବି ମଧୁସୂଦନ ରାଓ ପ୍ରଭୃତିଙ୍କ ଉଦ୍ୟମ ନମସ୍ୟ। ସେ ଭିତରେ ଆଉଜଣେ କବି ଭଦ୍ରକରୁ ଟେକା ହୋଇ ଆସୁଥିଲେ, ବିଭିନ୍ନ ସମାବେଶକୁ।  ସେ ହେଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର।  ଗାଁ ଗାଁ ବୁଲି ଜାତୀୟ କବି ବାଞ୍ଚାନିଧି ମହାନ୍ତି କାନ୍ତ କବିଙ୍କ ୬ ପଦୀୟ କବିତାକୁ ସଙ୍ଗୀତର ଧୂନରେ ସଜାଇ ହାରମୋନିୟମ୍‌ ଧରି ଗାଉଥିଲେ, କେବଳ ଆମ  ଭିତରେ ଓଡ଼ିଆର ଶୁପ୍ତ ଗୌରବକୁ ଜାଗ୍ରତ କରିବା ଲାଗି। ଆଉ ତାହା ଏତେ ଲୋକାଦୃତ ହୋଇଥିଲା ଯେ ୧୯୦୮ ଉତ୍କଳ ସମ୍ମିଳନୀରେ ଅନେକ ପ୍ରଶଂସା ଗୋଟାଇଥିଲା। ଏହି ସମ୍ମିଳନୀ ପୁରୀଠାରେ ଆୟୋଜିତ ହୋଇଥିଲା।

ମଧୁବାବୁଙ୍କ ‘ମା’ ମା’ ବୋଲି କେତେ ମୁଁ ଡାକିଲି ମା’କୁ ପାଇଲି ନାହିଁ’ଠୁ ଆରମ୍ଭ କରି ରାଧାନାଥ ରାୟଙ୍କ ସର୍ବେସଂ ନୋ ଜନନୀ ଭାରତ ଭଳି ଉଚ୍ଚ କୋଟୀର ସଙ୍ଗୀତର ତାଳେ ତାଳେ ଉପସ୍ଥିତ ଓଡ଼ିଆ ଏଥିରେ ମଜ୍ଜି ଯାଇଥିଲେ। ଆଉ ଯେତେବେଳେ କାନ୍ତ କବିଙ୍କ ଦ୍ଵାରା ଲିଖିତ ‘ବନ୍ଦେ ଉତ୍କଳ ଜନନୀ’ ଗୀତକୁ କଣ୍ଠଶିଳ୍ପୀମାନେ ଗାଇଲେ ସେତେବେଳେ ତ’ ଉପସ୍ଥିତ ଜନତା ହଜି ଗଲେ, ଉତ୍କଳ ମାତାର ବନ୍ଦନାରେ।

ଏହି ଘଟଣାର ତିନି ବର୍ଷ ପରେ ଅର୍ଥାତ୍‌ ୧୯୧୨ ମସିହାରେ ଉତ୍କଳ ସମ୍ମିଳନୀର ଏକ ସ୍ଵତନ୍ତ୍ର ଶିବିର ବାଲେଶ୍ଵରରେ ଅନୁଷ୍ଠିତ ହୋଇଥିଲା। ଏଠାରେ ନିଷ୍ପତ୍ତି ହେଲା ଯେ, କାନ୍ତ କବିଙ୍କ ଉତ୍କଳ ବନ୍ଦନା ’ ବନ୍ଦେ ଉତ୍କଳ ଜନନୀ’ ହିଁ ଉତ୍କଳ ସମ୍ମିଳନୀର ଆଦ୍ୟ ସଙ୍ଗୀତ ହେବ। ସେଇଠୁ ସର୍ବ ସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହେଲା। ଆଉ ତା ପରଠୁ ସବୁ ସମ୍ମିଳନୀରେ କାନ୍ତ କବି ନଥିଲେ ବି ତାଙ୍କ ବନ୍ଦନା ସମସ୍ତ ଉତ୍କଳୀୟଙ୍କ ମନରେ   ଜାତୀୟତାବାଦକୁ ପ୍ରତିଧ୍ବନୀତ କରୁଥିଲା।

ଦୀର୍ଘ ୨୪ ବର୍ଷ ଏହି ବନ୍ଦନା ଏବଂ ଆମ ଭାଷା ଯୋଦ୍ଧାମାନଙ୍କ ଯୋଗୁ ଉତ୍କଳ ଓଡ଼ିଶାର ରୂପ ନେଲା ୧୯୩୬ ମସିହାରେ। ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ହେଲା। ଏହାର ଅନେକ ବର୍ଷ ପରେ ଆନ୍ଧ୍ରପ୍ରଦେଶ ସ୍ଵାଧୀନ ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ହୋଇଥିଲା। ଏହି ରାଜ୍ୟର ଭାଷା ବି ଅନେକ ସମୃଦ୍ଧ। ଲୋକଙ୍କ ମନରେ ଭାଷା ପ୍ରେମ ବି ଅସୀମିତ। ଏଠାରେ ଦୁଇଟି ରାଜ୍ୟ ସଙ୍ଗୀତ ରହିଛି। ରାଜ୍ୟର ସ୍ଵତନ୍ତ୍ର ପତାକା ରହିଛି। ଏହି ପତାକା ଜାତୀୟ ପତାକାର ତଳ ଫରଫର ଉଡ଼ି ତେଲୁଗୁ ଭାଷାର ସମୃଦ୍ଧିକୁ ପ୍ରତିଧ୍ବନୀତ କରୁଛି।

ଓଡ଼ିଶାରେ ଏଥିଲାଗି ଉଦ୍ୟମ ହୋଇ ନାହିଁ ତାହା ନୁହେଁ। ୧୯୫୬ରୁ ଓଡ଼ିଆ ଭାଷା ଆଇନ ତିଆରି ହୋଇଛି। ୧୯୯୦ରୁ ୯୫ ଭିତରେ ବିଜୁ ବାବୁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ବାଚସ୍ପତି ଯୁଧିଷ୍ଠୀର ଦାସ ଉତ୍କଳକୁ ବନ୍ଦନା କରି ବିଧାନସଭାରେ ‘ବନ୍ଦେ ଉତ୍କଳ ଜନନୀ’କୁ ଏକ ପ୍ରକାର ରାଜ୍ୟ ସଙ୍ଗୀତର ମାନ୍ୟତା ଦେଇଛନ୍ତି। ପ୍ରତିଟି ଅଧିବେଶନ ଶେଷ ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ ଏଠାରେ ପରମ୍ପରା ହୋଇ ସାରିଛି।

ହେଲେ ରାଜ୍ୟ ସରକାର ଏହାକୁ ଏଯାଏ ସ୍ଵୀକାର କରି ନାହାନ୍ତି। ଜଣେ ଓଡ଼ିଆ ଲେଖକ ମୁଖ୍ୟ ସଚିବ ଥିବା ସମୟରେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ଭାବେ ଘୋଷଣା କରାଯିବା ପର୍ଯ୍ୟାୟ ଶୀଖରରେ ପହଞ୍ଚିଥିଲା। କିନ୍ତୁ ସେହି ମୁଖ୍ୟ ସଚିବ ନିଜର ଅମଲାତାନ୍ତ୍ରିକ ବୁଦ୍ଧିରେ ସବୁ ଭାଷା ଓ ଜାତୀୟତାପ୍ରେମୀଙ୍କ ଉଦ୍ୟମକୁ ପଣ୍ଡ କରିଦେଲେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁମତି ଦେଉ ନାହିଁ ବୋଲି କହି ସବୁ ନଥିକୁ ବନ୍ଦ କରିଦେଲେ।

ହେଲେ ଭାରତର ଅନେକ ରାଜ୍ୟ ଯେତେବେଳେ ରାଜ୍ୟ ପତାକା, ରାଜ୍ୟ ସଙ୍ଗୀତ କଥା କହୁଛନ୍ତି ଆମର କାହିଁକି ହୋଇପାରିବ ନାହିଁ ବୋଲି ପ୍ରଶ୍ନ କରି ସମ୍ପୃକ୍ତ ଅଧିକାରୀଙ୍କୁ ସମାଲୋଚନା କଲେ। ଆଉ ଏହାପରେ ସରକାର ଏହାକୁ ଗ୍ରହଣ କରିବା ଉଦ୍ୟମ କଲେ। ଏଯାଏ ଏହି ଉଦ୍ୟମ ରାଜ୍ୟ ଗୃହ ବିଭାଗ ପାଖରେ ପଡ଼ି ରହିଛି। ଗୃହ ବିଭାଗ ଚାହିଁଲେ ଗୋଟିଏ ଅଧ୍ୟାଦେଶ, ଆଦେଶ ବା ଆଇନ ବଳରେ ଏହାକୁ ଜାତୀୟ ସଙ୍ଗୀତର ମାନ୍ୟତା ଦେଇପାରିବେ, କିନ୍ତୁ ତାହା ଏଯାଏ ସମ୍ଭବ ହୋଇନି।

ଆଜି କିନ୍ତୁ କରୋନା ସଂକ୍ରମଣ ଯେତେବେଳେ ସମୁଦାୟ ମାନବଜାତିକୁ ଆତଙ୍କିତ କରିଛି, ସେତେବେଳେ ପ୍ରତିଟି ଓଡ଼ିଆଙ୍କୁ ଏକାଠି କରିବା, ଓଡ଼ିଆ ବୋଧକୁ ଜାଗ୍ରତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଥମଥର ପାଇଁ ’ ବନ୍ଦେ ଉତ୍କଳ ଜନନୀ’ ସପକ୍ଷରେ ଲୋକଙ୍କୁ ଏକାଠି କରିବାକୁ ଉଦ୍ୟମ କରିଛନ୍ତି। ଓଡ଼ିଆ ବି ଏଥିରେ ଏକମତ ହୋଇଛି। ଅପେକ୍ଷା କରିଛି କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ତାଙ୍କ ସାଙ୍ଗରେ ରହିବା ଲାଗି ଏହି ସଙ୍ଗୀତକୁ ଗାନ କରିବ, ଶନିବାର ସନ୍ଧ୍ୟା ସାଢ଼େ ପାଞ୍ଚଟାରେ।

Leave a Reply

Your email address will not be published. Required fields are marked *