କିଏ ହେବେ ସାଂସଦ-୨: ଢେଙ୍କାନାଳରେ ବିଜେଡି ହାଲୁକା, ଲଢ଼େଇ ରୁଦ୍ର ବନାମ କେପି

୩ୟ ପର୍ଯ୍ୟାୟ ନିର୍ବାଚନରେ ଢେଙ୍କାନାଳ ତାହାର ଲୋକସଭା ପ୍ରତିନିଧି ପାଇଁ ଭୋଟ୍‌ ଦେବ। ଏ ଭିତରେ ଅନେକ ଆଲୋଚନାର, ପର୍ଯ୍ୟାଲୋଚନା ସରିଛି। ପ୍ରାର୍ଥୀ ଘୋଷଣା ସରିଛି। ଏପ୍ରିଲ୍‌ ୨୩ ତାରିଖକୁ ଅପେକ୍ଷା ଯେତେବେଳେ ପୁରୀ, କଟକ, ସମ୍ବଲପୁର, ଭୁବନେଶ୍ଵର, କେନ୍ଦୁଝର ପ୍ରତି ଗୁରୁତ୍ଵପୂଣ୍ଣ ଆସନରେ ପରୀକ୍ଷା ହେବେ ସେତେବେଳେ ଢେଙ୍କାନାଳରେ ଲୋକେ କଂଗ୍ରେସ ବିକଳ୍ପକୁ ପୁଣିଥରେ ଭାବିବାର ସୁଯୋଗ ପାଇବେ।

ରାଜନୀତିକ ସ୍ଥିତି

ଢେଙ୍କାନାଳ ଲୋକସଭା ମଣ୍ଡଳୀରେ ଯେଉଁ ୭ଟି ବିଧାନସଭା ମଣ୍ଡଳୀ ରହିଛି ସେସବୁ ବିଜେଡି କବଳରେ ରହି ଆସିଛି। ବିଧାନସଭା ମଣ୍ଡଳୀଗୁଡ଼ିକର ଇତିହାସ ଏହା କହେ ଯେ, କେବଳ ଢେଙ୍କାନାଳକୁ ଛାଡ଼ିଦେଲେ ଲୋକେ ଦୀର୍ଘ ବର୍ଷ ହେଲା ବିଜେଡିକୁ ସମର୍ଥନ ଦେଇ ଆସିଛନ୍ତି। ଏଥର ବିଜେପିର ପରିବର୍ତ୍ତନ ଡାକରା, ଆସ୍ଥା ବିରୋଧୀ ତତ୍ତ୍ଵ କିଛି ପରିମାଣରେ ଲୋକଙ୍କ ମତଦାନ ଉପରେ ପ୍ରଭାବ ପକାଇପାରେ। ଅପରପକ୍ଷେ ଢେଙ୍କାନାଳ ସଂସଦୀୟ ନିର୍ବାଚନ ମଣ୍ଡଳୀର ଅନୁଗୁଳ ଅଂଶଟିରେ ବିଜେପିର ପ୍ରଭାବ ଯଥେଷ୍ଟ ଅନୁଭବ ହୁଏ।

ଅନ୍ୟ ମଣ୍ଡଳୀଠୁ କେମିତି ଭିନ୍ନ

ଏହା ସତ୍ୟଯେ, ଓଡ଼ିଶାର ପ୍ରତିଟି ନିର୍ବାଚନ ମଣ୍ଡଳୀରେ ବିଜେପି ସପକ୍ଷରେ ଏକ ଆଭ୍ୟନ୍ତରୀଣ ସ୍ରୋତ ପ୍ରବାହିତ ହେଉଛି। ହଁ, ଏହା ୨୦୦୯ରେ ମଧ୍ୟ ହୋଇଥିଲା। ହେଲେ ତାହା ଭୋଟ୍‌ରେ ରୂପାନ୍ତର ହୋଇ ନଥିଲା। ଏଥର ତାହା ହେବକି? ଏହା ଏକ ଲକ୍ଷେ ଟଙ୍କିଆ ପ୍ରଶ୍ନ।

ନବୀନଙ୍କ ଧୋବ ଧାଉଳିଆ ଅର୍ଥାତ୍‌ ସ୍ଵଚ୍ଛ ଭାବମୂର୍ତ୍ତି ଆଗରେ ସବୁକିଛି ହାର୍‌ ମାନିଥିଲା। ବିଗତ ନିର୍ବାଚନ ଭଳି ଏଥର ବିଜେଡି ପୁରୁଣା ମୁହଁ ଉପରେ ଆଶା ରଖିଛି। ୨୦୦୧୪ ନିର୍ବାଚନରେ ହିନ୍ଦୋଳରେ ନୂଆ ପ୍ରାର୍ଥୀ ଦେଇ ପରୀକ୍ଷା କରିଥିଲା। ତାହା ସଫଳ ହୋଇଛି। ଏଥର ୨୦୧୯ପାଇଁ ଦଳ ଢେଙ୍କାନାଳ, ଏବଂ ପାଲଲହଡ଼ାରରେ ନୂଆ ମୁହଁ ପର୍ଦାକୁ ଆଣିଛି। ପାଲଲହଡ଼ାର ବିଧାୟକ ମହେଶ ସାହୁ ଏଥର ସାଂସଦ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ସ୍ଥାନରେ ଦଳ ମୁକେଶ ପାଲ୍‌ଙ୍କ ନାଁ ଘୋଷଣା କରିଛି। ସେଠାରେ ପୂର୍ବତନ ବିଧାୟକ ରବି ନାରାୟଣ ପାଣି ବିଦ୍ରୋହ ଘୋଷଣା କରିଛନ୍ତି। ଯଦିଓ ରାଜ୍ୟର ବିଭିନ୍ନ ଆଡ଼େ ଦଳର ଅନ୍ତଃକନ୍ଦଳ ବଢ଼ିଛି କିନ୍ତୁ ତାହା ଏକ ସ୍ଵଭାବିକ ପ୍ରତିକ୍ରିୟା ବୋଲି ଆଲୋଚନା ହେଉଛି ।

ଆସ୍ଥା ବିରୋଧୀ ଭୋଟ୍‌

ଯେହେତୁ ଦଳ ପୁରୁଣା ପ୍ରାର୍ଥୀଙ୍କ ଉପରେ ଦୀର୍ଘଦିନ ଧରି ବିଶ୍ଵାସ କରି ଆସୁଛି, ଏଥର ତାହା ଆସ୍ଥାବିରୋଧୀ ତତ୍ତ୍ଵର ଶିକାର ହେବ କି?

ଅର୍ଥାତ୍‌ ସରକାରଙ୍କ ବିରୋଧରେ ଥିବା ଅସନ୍ତୋଷ ପୁଣିଥରେ ପୁରୁଣା ପ୍ରାର୍ଥୀଙ୍କ ଭୋଟ୍‌ରେ ପ୍ରଭାବ ପକାଇବ କି?

ଏ ପ୍ରଶ୍ନର ଉତ୍ତର ପାଇଁ ଆମ ଟିମ୍‌ ଆଗରେ ଯେଉଁ ଉତ୍ତର ଆସିଲା ତାହା ବିଜେଡି ତଥା ବିଜେଡି ପ୍ରାର୍ଥୀଙ୍କ ଲାଗି ଏକ ବିପଦ ସୂଚନା। ସୀମାରାଣୀ ନାୟକ, ପ୍ରଫୁଲ୍ଳ ମଲ୍ଲିକ, ଡ. ନୃସିଂହ ସାହୁ, ବ୍ରଜ କିଶୋର ପ୍ରଧାନ ଏବଂ ରଜନୀକାନ୍ତ ସିଂହ ଏଥିରେ ପ୍ରଭାବିତ ହୋଇପାରନ୍ତି।

ପଚରା ଯାଇଥିବା ଏକ ହଜାର ସାମ୍ପଲ୍‌ ଭିତରୁ ୮୫୦ଜଣ ଆସ୍ଥା ବିରୋଧୀ ତତ୍ତ୍ଵ ସପକ୍ଷରେ ଭୋଟ୍‌ ଦେଇଥିଲେ। ଲୋକ ସେଇ ପ୍ରାର୍ଥୀଙ୍କୁ ଆହୁରି ପାଞ୍ଚ ବର୍ଷ ବିଶ୍ଵାସ କରି ନପାରନ୍ତି ବୋଲି ଜବାବ ରଖିଥିଲେ।

ସେହିପରି ଏହି ଆସ୍ଥା ବିରୋଧୀ ମତର ଫାଇଦା କାହା ପାଖକୁ ଯିବ ବୋଲି ପଚରାଯାଇଥିବା ପ୍ରଶ୍ନରେ, ୩୫ ପ୍ରତିଶତ ବିଜେପି ସପକ୍ଷରେ କହିଥିବା ବେଳେ ୪୨ ପ୍ରତିଶତ କଂଗ୍ରେସକୁ ଇଙ୍ଗିତ କରିଥିଲେ। ପୁଣି ଅନଗୁଳ ଜିଲ୍ଲାରେ ବିଜେପି ଆଡ଼କୁ ଇଙ୍ଗିତ ପାଖାପାଖି ୫୫ ପ୍ରତିଶତକୁ ଟପିଥିଲା। ହେଲେ ଢେଙ୍କାନାଳରେ କଂଗ୍ରେସ ପ୍ରଭାବ ବିସ୍ତାର କରିଥିଲା।

ଏବେ ଲୋକସଭା ନିର୍ବାଚନ କଥା

ଲୋକସଭା ନିର୍ବାଚନ ପାଇଁ ବିଜେଡି ପାଲଲହଡ଼ା ବିଧାୟକ ମହେଶ ସାହୁଙ୍କୁ ପ୍ରାର୍ଥୀ କରିଛି। ମହେଶ ସାହୁ ଜଣେ ପୁରୁଣା ସଂଘ କର୍ମୀ। ଯେତେବେଳେ ସାରା ରାଜ୍ୟରେ ପଦ୍ମ କାଁ ଭାଁ ଫୁଟୁଥିଲା ମହେଶ ସେତେବେଳେ ଅନୁଗୁଳ ଜିଲ୍ଲାରେ ( ତାଳଚେର) ପଦ୍ମ ଫୁଟାଇ ବିଧାନସଭାକୁ ୧୯୯୫ରେ ନିର୍ବାଚିତ ହୋଇଥିଲେ। ୨୦୦୯ ବିଧାନସଭା ନିର୍ବାଚନରେ ଦଳ ତାଙ୍କୁ କିନ୍ତୁ ଭରସା କଲା ନାହିଁ। ମହେଶ ଅସମ୍ମାନ ବୋଧକରି ବିଜେଡିରେ ମିଶିଲେ। ପାଲଲହଡ଼ାରୁ ୨୦୧୪ରେ ପ୍ରାର୍ଥୀ ହେଲେ। ଓ ବିଜେଡି ଆସ୍ଥାଭାଜନ ହୋଇ ଏବେ ସାଂସଦ ହେବାର ସ୍ଵପ୍ନ ବି ଦେଖୁଛନ୍ତି।

ମହେଶଙ୍କ ବିରୋଧରେ ପ୍ରମୁଖ ପ୍ରାର୍ଥୀ ହେଉଛନ୍ତି ପୂର୍ବତନ ମନ୍ତ୍ରୀ, କଂଗ୍ରେସର ପୁରୁଖା ନେତା, ପାରମ୍ପରିକ ସାଂସଦ ପ୍ରତିଦ୍ଵନ୍ଦ୍ଵୀ, ଢେଙ୍କାନାଳର ରାଜା ତଥା ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂହଦେଓ। ୨୦୦୯ ମସିହାରୁ ସେ ପ୍ରାୟ ରାଜନୀତିକ ସନ୍ୟାସ ନେଇଥିଲେ । ଏବେ କିନ୍ତୁ ପୁଣି ଉଦୀୟମାନ। ତାଙ୍କ ବିପକ୍ଷରେ ପ୍ରାର୍ଥୀ ଅଛନ୍ତି ବିଜେପିର ରୁଦ୍ର ପାଣି। ରାଜନୀତିକ ପ୍ଲାଟ୍‌ଫର୍ମରୁ ଧରିତ୍ରୀର ସମ୍ପାଦକ ତଥା ଦୀର୍ଘକାଳୀନ ସାଂସଦ ତଥାଗତ ଏବେ ଛୁଟି ନେଇଛନ୍ତି। କାହା ସପକ୍ଷରେ ମତ ରହିଛି ବା ନରହିଛି ତାହା ଏକ ଭିନ୍ନ ପ୍ରସଙ୍ଗ। ଆମେ ତାହାକୁ ଭୋଟରଙ୍କୁ ପଚାରି ନାହୁଁ। କିନ୍ତୁ କିଏ ଲୋକଙ୍କ ପାଇଁ ଅଧିକ ଭରସାଯୋଗ୍ୟ ସେ ବାବଦରେ ଆମେ ପ୍ରଶ୍ନ କରିଥିଲୁ।

ପସନ୍ଦ ଅନୁସାରେ ୧, ୨, ୩ ସଂଖ୍ୟା ବା କେହି ନୁହନ୍ତି ଅର୍ଥାତ୍‌ ଶୂନ ସଂଖ୍ୟା ଦେବାକୁ କୁହାଯାଇଥିଲା। ୧୦୦୦ ଅଂଶଗ୍ରହଣକାରୀଙ୍କ ଭିତରୁ ୩୨୩ ଜଣ ରୁଦ୍ର ପାଣିଙ୍କୁ ପ୍ରଥମ ପସନ୍ଦ ଭାବେ ଗ୍ରହଣ କରିଥିବାବେଳେ ୪୦୩ଜଣ ବ୍ରିଗେଡିୟ କେପି ସିଂହଦେଓଙ୍କୁ ପ୍ରଥମ ପସନ୍ଦ ଭାବେ ନେଇଥିଲେ। ୨୭୮ଜଣ ମହେଶ ସାହୁଙ୍କ ସପକ୍ଷରେ ପ୍ରଥମ ପସନ୍ଦ ବୋଲି ଲେଖିଥିଲେ।

ଅର୍ଥାତ୍‌ ଏହି ସର୍ବେକ୍ଷଣ ଦର୍ଶାଉଛି ଯେ, ଢେଙ୍କାନାଳରେ ରାଜା ପୁଣିଥରେ ଲୋକଙ୍କ ଆସ୍ଥାଭାଜନ ହେବାର ସମ୍ଭାବନା ରହିଛି। ଆଉ ନିର୍ବାଚନ ଲଢ଼େଇରେ ବିଜେଡି ତୃତୀୟ ସ୍ଥାନରେ ରହିପାରେ। କାମାକ୍ଷାଙ୍କ କଂଗ୍ରେସ ସଂଗଠନ ଏବଂ ନିଜସ୍ଵ ପ୍ରଭାବ ତାଙ୍କୁ ଭୋଟ୍‌ ଦେବାରେ ସହାୟକ ହୋଇପାରେ।

ଅପରପକ୍ଷେ ରୁଦ୍ର ପାଣିଙ୍କ ପ୍ରତି ସମବେଦନା ଭୋଟ୍‌ ଯାଇପାରେ। ଦୀର୍ଘଦିନ ହେଲା ସେ ବିଜେପିରୁ ପ୍ରତିଦ୍ଵନ୍ଦ୍ଵୀ ହେଉଛନ୍ତି। ସବୁ ଦଳର ନେତାଙ୍କ ସହ ତାଙ୍କର ସମ୍ପର୍କ ରହିଛି। କିନ୍ତୁ ଯଦି ଢେଙ୍କାନାଳ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଥିବା ବିଧାନସଭା ମଣ୍ଡଳୀଗୁଡ଼ିକରେ ବିଜେଡି ଗଡ଼ ନଭାଙ୍ଗିଛି ତେବେ ରୁଦ୍ର ପୁଣି ପରାଜୟ ଶିକାର ହୋଇପାରନ୍ତି।

ଦ୍ଵିତୀୟରେ ରୁଦ୍ର ପାଣିଙ୍କ ପାଖରେ ଅନଗୁଳ ଜିଲ୍ଲାର ଯେଉଁ ତିନୋଟି ନିର୍ବାଚନ ମଣ୍ଡଳୀ ରହିଛି ତାହା ଭୋଟ୍‌ ଦେବାରେ ସହାୟକ ହେବ। ଏଠାରେ ବିଜେପି ସଂଗଠନ ଅନ୍ୟ ନିର୍ବାଚନ ମଣ୍ଡଳୀଗୁଡ଼ିକ ଅପେକ୍ଷେ ଯଥେଷ୍ଟ ଭଲ ବୋଲି ରାଜନୀତକି ପଣ୍ଡିତମାନେ ମତ ଦିଅନ୍ତି।

ପ୍ରଶ୍ନ ହେଉଛି: ବିଜେଡି ପ୍ରାର୍ଥୀ କଡ଼ା ପ୍ରତିଦ୍ଵନ୍ଦ୍ଵିତାର ସମ୍ମୁଖୀନ ହେବେ କି? ଯଦି ହଁ ତେବେ କାହିଁକି।

ପ୍ରଥମ ଉତ୍ତର ହଁ ବା ନାଁରେ ଦେବାକୁ ରହିଥିଲା। ଏବଂ ଦ୍ଵିତୀୟ ପ୍ରଶ୍ନର ଉତ୍ତର ପାଇଁ ତିନୋଟି ବିକଳ୍ପ ଦିଆଯାଇଥିଲା: ସେଗୁଡ଼ିକ ହେଲା ( ୧) ଆଞ୍ଚଳିକବାଦ

୨) ଆସ୍ଥା ବିରୋଧୀ ତତ୍ତ୍ଵ

୩) କର୍ମୀ ଅସନ୍ତୋଷ

ଉତ୍ତରରେ ୭୮ ପ୍ରତିଶତ ହଁ’ ମିଳିଥିଲା। ଅର୍ଥାତ୍‌ ଏଥରର ନିର୍ବାଚନ ବିଜେଡି ପାଇଁ ଫୁଲର ଶଯ୍ୟା ନୁହେଁ। ଦ୍ଵିତୀୟ ପ୍ରଶ୍ନର ଉତ୍ତରରେ ୪୭୮ଜଣ ଉତ୍ତରଦାତା ଅର୍ଥାତ୍‌ ୪୭.୮ ପ୍ରତିଶତ ମତଦାତା ବିକଳ୍ପ-୧କୁ ପସନ୍ଦ କରିଥିବାବେଳେ ୨୫୦ ମତଦାତା ବିକଳ୍ପ୨ ଏବଂ ୩୦୨ ଜଣ ବିକଳ୍ପ-୩କୁ ପସନ୍ଦ କରିଥିଲେ।

ଅନେକ ବର୍ଷ ପରେ ଢେଙ୍କାନାଳ ଲୋକସଭା ଆସନ ପାଇଁ ଢେଙ୍କାନାଳ ଓ ଅଣ ଢେଙ୍କାନାଳ ପ୍ରାର୍ଥୀଙ୍କ ଭିତରେ ପ୍ରତିଦ୍ଵନ୍ଦ୍ଵିତତା ହେବ। ଯଦି ରୁଦ୍ରଙ୍କ ବିଜୟ ହୁଏ ତାହା ଏକ ଇତିହାସ ହେବ। ଆଉ ଯଦି କାମାକ୍ଷାଙ୍କ ବିଜୟ ତବେ ଲୋକଙ୍କର ପୁରୁଣା ସାହସ ପୁଣି ଫେରି ଆସିବ। କିନ୍ତୁ ଏଥର ନିର୍ବାଚନ କିଛି ନୂଆ ସମୀକରଣକୁ ନିଶ୍ଚିତ ପ୍ରତିଫଳିତ କରିବ।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ବିଜୁ ବିଜେପିନେତାଙ୍କଠାରୁ ହାରିଗଲେ ଧର୍ମେନ୍ଦ୍ର

ବିଜେପିର ସ୍ଲୋଗାନ ‘ପାର୍ଟି ଉଇଥ ଏ ଡିଫରେନ୍ସ’ ଛଳନା

ମୋଦୀ ହାୱା ଭରସାରେ ଜୁଏଲ

Leave a Reply

Your email address will not be published. Required fields are marked *