ଗୀତା ମାହାତ୍ମ୍ୟ-୩୬: କାହାର ହୁଏନି ପୁନର୍ଜନ୍ମ

ମନୁଷ୍ୟ ନିଜର ପ୍ରକୃତି ଅନୁସାରେ କରୁଥିବା କର୍ମ ଅନୁସାରେ କର୍ମଫଳ ଭୋଗ କରିବା ସହିତ ପ୍ରକୃତିରୁ ଉତ୍ପନ୍ନ ତ୍ରିଗୁଣାତ୍ମକ ପଦାର୍ଥ ଭୋଗ କରେ ଓ ସେହି ଗୁଣମାନଙ୍କ ସଙ୍ଗ ଯୋଗୁ ଜୀବର ମୃତ୍ୟୁ ପରେ ଜୀବାତ୍ମା ବିଭିନ୍ନ ଯୋନୀରେ ଜନ୍ମ ଲାଭ କରିଥାଏ ଏବଂ ସତ୍ୱଗୁଣ ସମ୍ପନ୍ନ ଜୀବର ଜୀବାତ୍ମା ଶରୀର ତ୍ୟାଗ କରିବା ପରେ ଦେବ ଯୋନୀରେ, ରଜୋଗୁଣ ସମ୍ପନ୍ନ ଜୀବର ଜୀବାତ୍ମା ଶରୀର ତ୍ୟାଗ କରିବା ପରେ ମନୁଷ୍ୟ ଯୋନୀରେ ଓ ତମୋଗୁଣ ସମ୍ପନ୍ନ ଜୀବର ଜୀବାତ୍ମା ଶରୀର ତ୍ୟାଗ କରିବା ପରେ ପଶୁ-ପକ୍ଷୀ ଆଦି ଜୀବଙ୍କ ଯୋନୀରେ ଜନ୍ମ ଗ୍ରହଣ କରନ୍ତି ବୋଲି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିବା ପରେ ଜୀବର ଆତ୍ମା ଓ ପରମାତ୍ମା ବିଷୟରେ ବୁଝାଇଛନ୍ତି ।


ଜୀବର ଶରୀରରେ ସ୍ଥିତ ହୋଇଥିବା ଆତ୍ମା ହିଁ ପରମାତ୍ମା ଓ ସେହି ଆତ୍ମା ସାକ୍ଷୀ ହୋଇଥିବାରୁ ଉପଦ୍ରଷ୍ଟା, ସମ୍ମତିଦାତା ହୋଇଥିବାରୁ ଅନୁମନ୍ତା, ସମସ୍ତଙ୍କର ଧାରଣ ଓ ପୋଷଣ କର୍ତ୍ତା ହୋଇଥିବାରୁ ଭୋକ୍ତା, ବ୍ରହ୍ମା ପ୍ରଭୃତିଙ୍କର ସ୍ୱାମୀ ହୋଇଥିବାରୁ ମହେଶ୍ୱର ଏବଂ ଶୁଦ୍ଧ ସଚ୍ଚିଦାନନ୍ଦ ହୋଇଥିବାରୁ ପରମାତ୍ମା ବୋଲି କୁହାଯାଉଥିବା ଭଗବାନ କହିଛନ୍ତି ।
ଯେଉଁ ମନୁଷ୍ୟ ସ୍ୱରୂପକୁ ଓ ଗୁଣମାନଙ୍କ ସହିତ ନିଜ ପ୍ରକୃତିକୁ ତତ୍ତ୍ୱତଃ ଜାଣନ୍ତି ସେ ଜୀବନ ଧାରଣ ପାଇଁ ସକଳ ପ୍ରକାର କର୍ମ କରୁଥିଲେ ମଧ୍ୟ ତାଙ୍କର ପୁନର୍ଜନ୍ମ ହୁଏ ନାହିଁ । ଅର୍ଥାତ୍ ଜଗତର ସକଳ ଇନ୍ଦ୍ରିୟଗୋଚର ବସ୍ତୁ ମାୟାର କାର୍ଯ୍ୟ ହୋଇଥିବାରୁ ସେଗୁଡ଼ିକ କ୍ଷଣ ଭଙ୍ଗୁର, ବିନାଶଶୀଳ, ଜଡ଼ ଓ ଅନିତ୍ୟ ହୋଇଥିବା ବେଳେ ଜୀବାତ୍ମା ନିତ୍ୟ, ଚେତନ, ନିର୍ବିକାର ଓ ଅବିନାଶୀ ଏବଂ ଶୁଦ୍ଧ, ବୋଧସ୍ୱରୂପ, ସଚ୍ଚିଦାନନ୍ଦଘନ ପରମାତ୍ମାଙ୍କର ସନାତନ ଅଂଶ । ଏହା ଜାଣି ମାୟାଧୀନ ପଦାର୍ଥ ତ୍ୟାଗ କରି ପରମାତ୍ମାଙ୍କଠାରେ ରମଣ କରିବା ହିଁ ନିଜକୁ ତତ୍ୱତଃ ଜାଣିବା ।

କେତେକ ମନୁଷ୍ୟ ସେହି ପରମ ପୁରୁଷ ପରମାତ୍ମାଙ୍କୁ ଶୁଦ୍ଧ ହୋଇଥିବା ସୂକ୍ଷ୍ମ ବୁଦ୍ଧି ବଳରେ ଧ୍ୟାନ ଦ୍ୱାରା ହୃଦୟରେ ଦର୍ଶନ କରନ୍ତି । ଅନ୍ୟକେତେକ ଜ୍ଞାନ ଯୋଗ ଦ୍ୱାରା ଓ କେତେକ କର୍ମଯୋଗ ଦ୍ୱାରା ପରମାତ୍ମାଙ୍କୁ ପ୍ରାପ୍ତ ହୁଅନ୍ତି

ମନ୍ଦବୁଦ୍ଧି ମନୁଷ୍ୟମାନେ ଏହି ତତ୍ତ୍ୱ ଜାଣୁନଥିବାରୁ ତତ୍ୱଜ୍ଞାନୀଙ୍କ ଠାରୁ ଶୁଣି ଶୁଣି ତଦନୁସାରେ ଉପାସନା କରନ୍ତି ଓ ସେହି ଶ୍ରବଣ ପରାୟଣ ପୁରୁଷମାନେ ମୃତ୍ୟୁକୁ ଜୟ କରି ସଂସାର ସାଗରରୁ ତରିଯାଆନ୍ତି । ସଂସାରରେ ଯେତେ ପ୍ରାଣୀ ଜନ୍ମ ହୁଅନ୍ତି ସେମାନେ କ୍ଷେତ୍ର ଓ କ୍ଷେତ୍ରଜ୍ଞର ସଂଯୋଗରୁ ଉତ୍ପନ୍ନ ହୁଅନ୍ତି । ପୁଣି ସମସ୍ତ ଭୂତରେ ଇଶ୍ୱରଙ୍କୁ ନାଶରହିତ ଓ ସମଭାବରେ ଅନୁଭବ କରିବା ହେଉଛି ଯଥାର୍ଥ ଅନୁଭବ । କାରଣ, ଯେଉଁ ପୁରୁଷ ସର୍ବତ୍ର ସମଭାବରେ ପରମେଶ୍ୱରଙ୍କୁ ସମାନରୂପେ ଦେଖନ୍ତି, ସେମାନେ ପରମଗତି ପ୍ରାପ୍ତ ହୁଅନ୍ତି ବୋଲି ଭଗବାନ କହିବା ସହ ଯେଉଁ ପୁରୁଷ ସକଳକର୍ମ ସବୁପ୍ରକାରେ ପ୍ରକୃତି ଦ୍ୱାରା କରାଯାଉଛି ବୋଲି ଦେଖିବା ସହ ଆତ୍ମାକୁ ଅକର୍ତ୍ତା ବୋଲି ଦେଖନ୍ତି, ସେମାନେ ଯଥାର୍ଥ ଦେଖୁଥିବା ମଧ୍ୟ କହିଛନ୍ତି ।

Leave a Reply

Your email address will not be published. Required fields are marked *