୧୧ ଜିଲ୍ଲାରେ ୨ ଦିନିଆ ସଟ୍ ଡାଉନ୍ : ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ରହିବ ବଳବତ୍ତର
ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ଅର୍ଥାତ୍ ୪୮ ଘଣ୍ଟା ସଟ୍ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସବୁଠୁ ଅଧିକ କରୋନା ପ୍ରଭାବିତ ହୋଇଥିବା ୧୧ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟ୍ଡାଉନ୍ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଜିଲା ମଧ୍ୟରେ ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗୀର ଓ ଖୋର୍ଦ୍ଧା ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍ ଡାଉନ୍ ଘୋଷଣା ହୋଇଛି । ଜୁନ୍ ୩୦ ଯାଏଁ ଶନି ଓ ରବିବାର ସଟ୍ ଡାଉନ୍ ହେବ । ସଟ୍ ଡାଉନ୍ ସମୟରେ ପେଟ୍ରୋଲ ପମ୍ପ୍ ଖୋଲା ରହିବ । ଟେଲିକମ୍, ମାଲ୍ ପରିବହନ, କୃଷି ସମ୍ପର୍କିତ କାର୍ଯ୍ୟ, ବସ୍, ରେଳ, ବିମାନ, ଟ୍ୟାକ୍ସି ଚଳାଚଳ ମଧ୍ୟ ଚାଲୁ ରହିବ । ତେବେ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ବିବାହ ଓ ଅନ୍ତିମ ସଂସ୍କାର କାର୍ଯ୍ୟ ହେବ ।
ସଟ୍ ଡାଉନ୍ ସମୟରେ କେଉଁ କାର୍ଯ୍ୟ ଓ କେଉଁ ବ୍ୟକ୍ତିଙ୍କୁ ଛାଡ୍ ମିଳିବ ସେନେଇ ଏସଆରସି ସୂଚନା ଦେଇଛନ୍ତି । ଏସଆରସିଙ୍କ ପକ୍ଷରୁ କୁହାଯାଇଛି ଯେ, ମେଡିକାଲ କିମ୍ବା ଅନ୍ୟ କୌଣସି ଜରୁରୀ କାମରେ ଲୋକେ ବାହାରକୁ ଯାଇପାରିବେ । ସେହିପରି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, କ୍ଲିୟରିଂ ହାଉସ୍, ଏଟିଏମ୍ ସହ ଜଡ଼ିତ କର୍ମଚାରୀମାନେ ଯାଇପାରିବେ ।
ରେଳ ଷ୍ଟେସନ, ବସ୍ ସେବା, ବିମାନବନ୍ଦର, ଏଲପିଜି ଯୋଗାଣ ସହ ଜଡ଼ିତ କର୍ମଚାରୀ, ଅନଲାଇନରେ ଖାଦ୍ୟ ଓ ମଦ ଡେଲିଭରି କରୁଥିବା ସ୍ୱିଗି, ଜୋମାଟୋ ସଂସ୍ଥାର କର୍ମଚାରୀଙ୍କୁ ଯା ଆସ ପାଇଁ କଟକଣାରୁ ବାଦ୍ ଦିଆଯାଇଛି । ସେହିପରି ସକାଳ ୫ଟାରୁ ୮ଟା ଯାଏଁ ଖବରକାଗଜ ବିକ୍ରେତା ବାହାରେ ଚଳ ପ୍ରଚଳ କରିପାରିବେ ବୋଲି ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । କମିସନରେଟ୍ ପୋଲିସ ପକ୍ଷରୁ ସଟ୍ ଡାଉନ୍ ପାଇଁ ନିର୍ଦ୍ଦେଶାବଳୀ ପ୍ରକାଶ ପାଇଛି । ଫାର୍ମାସିଷ୍ଟ ଓ ଔଷଧ ଦୋକାନ ପାଇଁ ଟ୍ରେଡ୍ ଲାଇସେନ୍ସ ଓ ପୁରୁଣା ପାସ୍ କାମ କରିବ । ଜରୁରୀ ସେବା ସହ ଜଡ଼ିତ ବ୍ୟକ୍ତିଙ୍କ ପାଇଁ ଆଇଡି କାର୍ଡ କିମ୍ବା ସଂସ୍ଥା ଦ୍ବାରା ପ୍ରଦତ୍ତ ଅନୁମତି ପତ୍ର ଦେଖାଇବାକୁ ପଡିବ । ସଟ୍ ଡାଉନ୍ ସମୟରେ ଜରୁରୀକାଳୀନ ଅଟୋ ସେବା ଜାରି ରହିବ