ଆସୁଛି ଲଘୁଚାପ, ୧୨ ତାରିଖ ଯାଏଁ ରାଜ୍ୟରେ ବର୍ଷା
ଭୁବନେଶ୍ବର, (ଓଡିଶା ଟାଇମ୍) :ଆସୁଛି ଆଉ ଏକ ଲଘୁଚାପ । ୩ରୁ ବର୍ଷା କରାଇବ ଓଡ଼ିଶାରେ । ୬ ତାରିଖ ଯାଏଁ ବର୍ଷା ଲାଗି ରହିବ । ତା’ ପରେ ପୁଣି ୧୦ ତାରିଖ ବେଳକୁ ଆଉ ଏକ ଲଘୁଚାପ ଆସିପାରେ। ଏହା ପ୍ରଭାବରେ ୧୨ ତାରିଖ ଯାଏଁ ରାଜ୍ୟରେ ଭଲ ବର୍ଷା ସମ୍ଭାବନା ଅଛି । ଉଜୁଡ଼ିବାକୁ ବସିଥିବା ଚାଷ ସଜାଡ଼ି ହେବା ନେଇ ଆଶା ଦେଖାଇଛି ଏହି ପାଣିପାଗ ପୂର୍ବାନୁମାନ।ଜୁଲାଇରେ ବର୍ଷା ହଜିଯାଇଥିବା ବେଳେ ଉପକୂଳ ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଅଭାବ ସ୍ଥିତି ଉପୁଜିଛି। ଫସଲ ମରିବାକୁ ବସିଲାଣି । ଗଜା ମରୁଡ଼ି ଆଶଙ୍କା ଜଳଜଳ ଦିଶୁଛି । ଜୁନ୍ ପହିଲାରୁ ଆଜି ସୁଦ୍ଧା ଓଡ଼ିଶାରେ ୧୭% ବର୍ଷା କମ୍ ରହିଛି । ଏହି ବର୍ଷା ଅଭାବ ସ୍ଥିତିକୁ ଅଗଷ୍ଟ ଭରଣା କରିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ୟୁନିର୍ଭସିଟିର ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର
କହିବାନୁଯାୟୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୩ କିମ୍ବା ୪ ତାରିଖ ସକାଳ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ଅବପାତ ରୂପ ନେଇପାରେ । ଏହା ପ୍ରଭାବରେ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ । ଆସନ୍ତା ୪ ଓ ୫ରେ ଅଧିକ ବର୍ଷା ହେବ । କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କଟକ, ଗଞ୍ଜାମ, କନ୍ଧମାଳ, ସୋନପୁର, ସମ୍ବଲପୁର, ବରଗଡ଼ ଓ ନୂଆପଡ଼ାରେ ଅଧିକ ବର୍ଷା ହୋଇପାରେ । ଭୁବନେଶ୍ୱରରେ ୪ ତାରିଖ ରାତିରେ ବର୍ଷା ଲାଗି ରହିବ । ୬ ତାରିଖ ପରେ ବର୍ଷା କମିଯିବ । ହେଲେ ୧୦ରେ ଓଡ଼ିଶା ଉପକୂଳ ପାଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ପରିଲକ୍ଷିତ ହେଉଛି । ଏହା ପ୍ରଭାବରେ ଆସନ୍ତା ୯ ତାରିଖ ରାତିରୁ ପୁଣି ବର୍ଷା ବଢ଼ିବ । ଏହି ଦୁଇଟି ଲଘୁଚାପ ଚାଷ କାମ ଆଗେଇବାରେ ସହାୟକ ହେବ ।
ପାଣିପାଗ ବିଭାଗ କହିଛି, ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧୁଛି । ୪ ତାରିଖ ସୁଦ୍ଧା ଏହା ଲଘୁଚାପ ରୂପ ନେବ । ଏହା ପ୍ରଭାବରେ ୬ ତାରିଖ ଯାଏଁ ଭଲ ବର୍ଷା ସମ୍ଭାବନା ଅଛି । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ଆସନ୍ତା ୫ ଓ ୬ ତାରିଖରେ ଉତ୍ତର ଉପକୂଳ ଏବଂ ୩-୪ ତାରିଖରେ ଦକ୍ଷିଣ ଉପକୂଳରେ ଅଧିକ ବର୍ଷା ସମ୍ଭାବନା ଅଛି ।