ଦ୍ୱିତୀୟ ଲହର ଅପେକ୍ଷା କରୋନାର ତୃତୀୟ ଲହର ପ୍ରଭାବ କମ ରହିବ-ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର, (ଓଡିଶା ଟାଇମ୍):କରୋନା ତୃତୀୟ ଲହର ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର। ତେବେ ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରର ପ୍ରଭାବ କମ ରହିବ ବୋଲି ଆକଳନ କରାଯାଉଛି। ତଥାପି ଆମକୁ ସଜାଗ ରହିବାକୁ ପଡିବ । ତୃତୀୟ ଲହର ଆସିବା ପୂର୍ବରୁ ଟିକାକରଣକୁ ଜୋରଦାର କରିବାକୁ ପଡ଼ିବ । ଏହା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର l
କେନ୍ଦ୍ର ସରକାର ଯେତେ ଟିକା ଦେବେ ସେହି ଅନୁସାରେ ଟିକାକରଣ କରାଯିବ । ଟିକାକରଣ ନେଇ ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିଛି ଓ ସରକାର ପ୍ରସ୍ତୁତ ଥିବା ନିରଂଜନ କହିଛନ୍ତି । ସେହିପରି ଷ୍ଟେରଏଡ୍ ବ୍ୟବହାର ନେଇ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ଼ ଲାଇନ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ନୂଆ ଗାଇଡ଼ ଲାଇନ ଅନୁସାରେ ଷ୍ଟେରଏଡ଼ ବ୍ୟବହାର ହେବ । ଯେଉଁମାନଙ୍କ ଅକ୍ସିଜେନ ଆବଶ୍ୟକ ପଡୁଛି ସେମାନଙ୍କ କ୍ଷେତ୍ରରେ ଷ୍ଟେରଏଡ୍ ବ୍ୟବହାର କରାଯାଉଛି। ବର୍ତ୍ତମାନ କୋଭିଡରେ କେବଳ ଯେଉଁମାନେ ଗୁରୁତର ଅବସ୍ଥାରେ ଅଛନ୍ତି ସେମାନଙ୍କ କ୍ଷେତ୍ରରେ ଏହାର ଆବଶ୍ୟକତା ରହିଛି । ତେଣୁ ସେହିମାନଙ୍କ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
ସୂଚନାଥାଉ କି, କରୋନାର ଦ୍ୱିତୀୟ ଲହର ପ୍ରଭାବ କମି କମି ଆସୁଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ହଜାର ୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନରେ ୧,୭୩୮ ଥିବାବେଳେ ଲୋକାଲ କେସ୍ ୧,୨୯୩ ରହିଛି। ହେଲେ ମୃତ୍ୟୁ ସଂଖ୍ୟାକୁ ନେଇ ଏବେ ବି ଚିନ୍ତା କମିନି। ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦ ଉପରେ ରହିଛି। ଆଜି ବି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୪୩ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩,୬୩୩କୁ ବୃଦ୍ଧି ପାଇଛି।