ଗଜପତି-ନବରଙ୍ଗପୁରରେ ୩ ଗ୍ରାମବାସୀଙ୍କ ଭୋଟ ବର୍ଜନ
ରାଜ୍ୟ ସରକାର ଓ କେନ୍ଦ୍ର ସରକାରକୁ ବିରୋଧ କରି ଗଜପତି ଓ ନବରଙ୍ଗପୁର ଜିଲ୍ଲାର ୩ଟି ଗାଁର ଲୋକେ ଭୋଟ ବର୍ଜନ କରିଛନ୍ତି। ମାଲକାନଗିରି ଜିଲ୍ଲାରେ ମାଓବାଦୀ ଭୟରେ ୧୫ଟି ବୁଥକୁ ଲୋକେ ଭୋଟ ଦେବା ପାଇଁ ଆସି ନାହାନ୍ତି। ଗଜପତି ଜିଲ୍ଲା ରାୟଗଡ ବ୍ଲକ ତବାରସିଂ ଓ ଲିମରସିଂ ଦୁଇଟି ଗ୍ରାମରେ କୌଣସି ଯୋଜନା ନ ପହଞ୍ଚିବା ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାସ୍ତାଘାଟ, ପାଣି, ବିଜୁଳି, ଶିକ୍ଷା, ସ୍ୱାସ୍ଥ୍ୟ ଓ ପକ୍କାଘର ଆଦି ଯୋଜନାରୁ ବଞ୍ଚିତ ହୋଇ ଅନେକଥର ପ୍ରଶାସନକୁ ଅଭିଯୋଗ ଓ ଅନୁରୋଧ କରି ବିଫଳ ହୋଇଥିବାରୁ ଗ୍ରାମବାସୀ ଆଜି ଭୋଟ ବର୍ଜନ କରିଛନ୍ତି।
ଗ୍ରାମବାସୀଙ୍କର କହିବା କଥା ହେଲା, ସେମାନଙ୍କର ଦୁଃଖ ବୁଝିବାକୁ କେହିହେଲେ ରାଜନେତା ଏଠାକୁ ଆସୁନାହାନ୍ତି। ପ୍ରଶାସନିକ ଅଧିକାରୀମାନେ ଏ ଅଞ୍ଚଳର ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେଉନାହାନ୍ତି। ସେଥିପାଇଁ ଗ୍ରାମବାସୀ ଭୋଟ ବର୍ଜନ ଲାଗି ନିଷ୍ପତି ନେଇଛନ୍ତି।
ସେହିପରି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦୋହନା ଗ୍ରାମପଞ୍ଚାୟତର ପୋକନାଗୁଡ଼ା ଗାଁର ଲୋକେ ମଧ୍ୟ ମତଦାନକୁ ବର୍ଜନ କରିଛନ୍ତି। ବୁଥ ନମ୍ବର ୨୦୪ରେ ୩୮୮ ଜଣ ମତଦାତା ଭୋଟ ଦେଇ ନାହାନ୍ତି।
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ପ୍ରାୟ ୧୫ ବୁଥରେ ଜଣେ ହେଲେ ଭୋଟର ମତଦାନ କରି ନାହାନ୍ତି। ମାଓବାଦୀଙ୍କ ଭୟରେ କେହି ଲୋକମାନେ ଭୋଟ ଦେଇ ଆସି ନଥିବା ଜଣାପଡ଼ିଛି। ଭୋଟିଂ ସମୟ ଶେଷ ହୋଇଯିବା ପରେ ପୋଲିଂ କର୍ମଚାରୀମାନେ ଫେରି ଆସିଛନ୍ତି।