ସୁଟିଂ ସମୟରେ ବିକି କୌଶଲଙ୍କ ସହ ବଡ଼ ଦୁର୍ଘଟଣା, ଚେହେରାରେ ୧୩ଟି ଷ୍ଟିଚ୍
ଉରି ଫେମ୍ ବିକି କୌଶଲଙ୍କ ପ୍ରଶଂସକଙ୍କ ପାଇଁ ନିରାଶଜନକ ଖବର ଆସିଛି । ନିକଟରେ ଏକ ଫିଲ୍ମର ସୁଟିଂ ସମୟରେ ବିକି ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏଥିରେ ବିକିଙ୍କ ଚେହେରାରେ ସବୁଠାରୁ ଅଧିକ ଆଘାତ ଲାଗିଛି । ଡାକ୍ତରଙ୍କ ସୂଚନା ଅନୁଯାୟୀ ତାଙ୍କର ଚେହେରାରେ ୧୩ଟି ଷ୍ଟିଚ୍ ପଡ଼ିଛି । ଫିଲ୍ମ ଟ୍ରେଡ୍ ଆନାଲିଷ୍ଟ୍ ତରଣ ଆଦର୍ଶ ଟ୍ୱିଟ୍ ମାଧ୍ୟମରେ ଏହି ଖବର ଦେଇଥିଲେ । କହିରଖୁଛୁ ଭାନୁପ୍ରତିପ୍ ସିଂଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମରେ ଥିବା ଏକ ଆକ୍ସନ୍ ଦୃଶ୍ୟର ସୁଟିଂ ସମୟରେ ବିକିଙ୍କ ସହିତ ଏହି ଦୁର୍ଘଟଣା ଘଟିଥିଲା । ଏହା ଏକ ହରର୍ ଫିଲ୍ମ ବୋଲି ଚର୍ଚ୍ଚା ହେଉଛି ।
୨୦୧୨ରେ ମୁକ୍ତିଲାଭ କରିଥିବା ‘ଗ୍ୟାଙ୍ଗ୍ସ୍ ଅଫ୍ ବାସେପୁର୍’ରୁ ବିକି ତାଙ୍କର ଫିଲ୍ମ କ୍ୟାରିୟର୍ ଆରମ୍ଭ କରିଥିଲେ । ଏଥିରେ ସେ ଆସିଷ୍ଟାଣ୍ଟ୍ ଡାରେକ୍ଟର୍ ଭାବେ କାମ କରିଥିଲେ । କିନ୍ତୁ ଅଭିନେତା ଭାବେ ତାଙ୍କର ଡେବ୍ୟୁ ଫିଲ୍ମ ହେଉଛି ‘ଲଭ୍ ସବ୍ ତେ ଚିକନ୍ ଖୁରାନା’ । ଏହାପରେ ସେ ‘ରାଜି’, ‘ସଞ୍ଜୁ’ ଓ ‘ମନମର୍ଜିୟାଁ ଭଳି ଅନେକ ଫିଲ୍ମରେ ଅଭିନେତା ଭାବେ ଦର୍ଶକଙ୍କ ସାମନାକୁ ଆସିଥିଲେ । ‘ଉରି’ ତାଙ୍କ ଅଭିନୟର ଟର୍ଣ୍ଣିଙ୍ଗ୍ ପଏଣ୍ଟ୍ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଫିଲ୍ମ ମାଧ୍ୟମରେ ବିକି ସିନେପ୍ରେମୀ ମହଲରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି ।