ଆଜିଠୁ କ୍ୟାମ୍ପେନ୍ ମୋଡ୍ରେ ଟିକାକରଣ
ଭୁବନେଶ୍ବର, (ଓଡିଶା ଟାଇମ୍): ଆଜିଠୁ କ୍ୟାମ୍ପେନ ମୋଡ୍ ରେ ହେବ ଟିକାକରଣ । କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ଟିକାକରଣ କରାଯିବ। ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକା ମିଳିବ । ପଞ୍ଜିକରଣ କଲେ ମିଳିବ, ସିଧାସଳଖ ଆସିଲେ ବି ମିଳିବ । ରାଜ୍ୟରେ ଦୈନିକ ୩ ଲକ୍ଷ ଟିକା କରଣ କରିବା ପାଇଁ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର।
ରାଜ୍ୟର ସମସ୍ତ ବ୍ଲକ ଓ ପୌରାଞ୍ଚଳରେ କ୍ୟାମ୍ପେନ୍ ମୋଡ଼ରେ ଟିକାକରଣ କରାଯିବ। ଉଭୟ ରାଜ୍ୟ ଆଣିଥିବା ଓ କେନ୍ଦ୍ର ସରକାର ଯୋଗାଇ ଟିକା ଲୋକଙ୍କୁ ଦିଆଯିବ। ବ୍ଲକରେ ୫ଟି ସେସନ, ଏନଏସସିରେ ୫ଟି ଲେଖାଏଁ ସେସନ, ପୌର ପରିଷଦରେ ୧୦ଟି ଓ ମହାନଗର ନିଗମରେ ୨୦ଟି ସେସନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଉଭୟ ଅନଲାଇନ ଓ ଅଫଲାଇନ ଟିକା କରଣ ପାଇଁ ଜିଲ୍ଲାସ୍ତରରେ ଯୋଜନା କରାଯାଇଛି । ସଠିକ ସମୟରେ ଦ୍ୱିତୀୟ ଡୋଜ ଦିଆଯିବା ଉପରେ ଗୁରୁତ୍ୱ ଦିଆଯିବ ।
ରାଜ୍ୟର ୨ ହଜାର ଟିକା କରଣ କେନ୍ଦ୍ରରେ ଟିକା ଦିଆଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ଜୁନ ୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ ଯେ ଯୋଗ ଦିବସରୁ ଦେଶସାରା ଚାଲିବ ଟିକାକରଣ କ୍ୟାମ୍ପେନ। କୋଭିଡ ତୃତୀୟ ଲହର ଆଶଙ୍କା ଥିବାରୁ ତା ପୂର୍ବରୁ ଟିକା କରଣ ସାରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି ।