୩ ମିନିଟ୍ର ଝଡ଼, ଝଡ଼ିଗଲା ଫୁଲବାଣୀ
ଫୁଲବାଣୀ,ଭୁବନେଶ୍ଵର (ଓଟି): ମାତ୍ର ୩ ମିନିଟ୍। ସେତିକି ସମୟ ଭିତରେ ସବୁ ଝଡ଼ିଗଲା। ମୋଡ଼ିମାଡ଼ି ହୋଇପଡ଼ିଲା ଗଛ-ଡାଳ। ଉପୁଡ଼ି ପଡ଼ିଲା ବିଦ୍ୟୁତ୍ ଖୁଣ୍ଟ। ସାରା ସହରକୁ ଶ୍ରୀହୀନ କରିଦେଲା ସତେ ଯେମିତି। ଆଜି ଫୁଲବାଣୀ ସହରର ଅବସ୍ଥା ଏଭଳି ହୋଇଛି। ସକାଳ ୮ଟା ୧୨ରୁ ୮ଟା ୧୫ ମିନିଟ୍ ମଧ୍ୟରେ ହୋଇଥିବା ଘୂର୍ଣ୍ଣିଝଡ଼ ସହରର ଅବସ୍ଥାକୁ ସଙ୍ଗୀନ କରିଦେଇଛି। ଖାଲି ସେତିକି ନୁହେଁ, ଘୂର୍ଣ୍ଣିଝଡ଼ ସହ ବର୍ଷା ହେବା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା।
ଫୁଲବାଣୀ ସହରର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବାବେଳେ ଏକ ଘର ସାମ୍ନାରେ ଥିବା କାର୍ ଉପରେ ଗଛ ପଡ଼ି ତାହା ଚୁର୍ମାର୍ ହୋଇଯାଇଛି। ସେହିପରି ଜିଲ୍ଲାପାଳ ଏବଂ ଏସପି ଅଫିସ ସାମ୍ନାରେ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିରହିଥିଲା। ଫଳରେ ସହରର ସହରର ମୁଖ୍ୟରାସ୍ତା ଦୀର୍ଘ ସମୟ ଅବରୋଧ ହୋଇଥିଲା। ଅନ୍ୟପଟେ ବିଦ୍ୟୁତ ତାର ଛିଣ୍ଡିଯାଇଥିବାରୁ ସହରରେ ସେବା ବନ୍ଦ ହୋଇଥିଲା।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଦିନ ତମାମ ବର୍ଷା ଲାଗି ରହିଛି। କୋଉଠି କୋଉଠି ପବନ ଓ ଘଡ଼ଘଡ଼ି ସହ ବର୍ଷା ହୋଇଥିବା ମଧ୍ୟ ସୂଚନା ମିଳିଛି। କୋହଲା ପାଗ ଓ ଝିପିରି ଝିପିରି ଅଦିନିଆ ବର୍ଷା ଯୋଗୁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଥିବାବେଳେ ଆଉ ୨ ଦିନ ବର୍ଷା ରହିବ ବୋଲି କୁହାଯାଉଛି।