ଶଙ୍ଖନାଦରେ ‘ଟ୍ରମ୍ପ୍’ଙ୍କୁ ସ୍ଵାଗତ-ଶୋଭାଯାତ୍ରା
ଅହମ୍ମଦାବାଦ(ଓଟି): ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ମୁଖ୍ୟଙ୍କୁ ଭେଟିବାକୁ ଅହମ୍ମଦାବାଦରେ ପହଞ୍ଚିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ସପରିବାର ଭାରତ ଗସ୍ତରେ ଆସିଥିବା ଟ୍ରମ୍ପ୍ ଏୟାରଫୋର୍ସ ୱାନ୍ ଯୋଗେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବିମାନବନ୍ଦରରେ ଓହ୍ଲାଇଥିଲେ। ସ୍ୱତନ୍ତ୍ର ବିମାନରୁ ପ୍ରଥମେ ଟ୍ରମ୍ପଙ୍କ ସହ ପତ୍ନୀ ମେଲାନିଆ ଓହ୍ଲାଇଥିଲେ। ପରେ ପରେ ଝିଅ ଇଭାଙ୍କା ଓ ଜ୍ୱାଇଁ ଜାରେଡ୍ ମଧ୍ୟ ବିମାନରୁ ଓହ୍ଲାଇଥିଲେ। ଟ୍ରମ୍ପଙ୍କ ସ୍ୱାଗତ ପାଇଁ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କ ସମେତ ଅନ୍ୟ ପ୍ରମୁଖ ଅଧିକାରୀମାନେ ପ୍ରସ୍ତୁତ ରହିଥିଲେ। ମୋଦୀ ଓ ଟ୍ରମ୍ପ ପରସ୍ପରକୁ ଆଲିଙ୍ଗନ କରିଥିଲେ। ସେହିପରି ଟ୍ରମ୍ପ୍ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଗୁଜରାଟୀ କଳାକାରଙ୍କ ପାରମ୍ପରିକ ନୃତ୍ୟ ମଧ୍ୟରେ ସ୍ଵାଗତ କରାଯାଇଥିଲା। ଏଥିସହ ରାଜସ୍ଥାନ ଓ ମଧ୍ୟପ୍ରଦେଶ ଆଦି ରାଜ୍ୟର ପାରମ୍ପରିକ ନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିବାବେଳେ ପତ୍ନୀ ମେଲାନିଆଙ୍କ ସହ ଟ୍ରମ୍ପ୍ ରେଡ୍ କାର୍ପେଟ୍ରେ ଚାଲିଚାଲି ନୃତ୍ୟ ଉପଭୋଗ କରିଥିଲେ।
ଅନୁରୂପ ଭାବେ ଆରମ୍ଭ ହୋଇଥିଲା ରୋଡ୍ ଶୋ’। ଶଙ୍ଖନାଦରେ ଭବ୍ୟ ସ୍ଵାଗତ ସହ ୨୨ କିଲୋମିଟର ରୋଡ୍ ଶୋ’ରେ ବାହାରିଥିଲେ ମୋଦୀ ଓ ଟ୍ରମ୍ପ୍। ସେତିକିବେଳେ ତରଙ୍ଗାୟିତ ହୋଇଥିଲା ମହାତ୍ମାଙ୍କ ପ୍ରିୟ ଗୀତ ରଘୁପତି ରାଘବ ରାଜାରାମ…। ଏଥିସହ ରାସ୍ତାର ଦୁଇପାର୍ଶ୍ଵରେ ଫର୍ ଫର୍ ହୋଇ ଉଡୁଥିଲା ଜାତୀୟ ପତାକା ତିରଙ୍ଗା। ଏହାପରେ ମହାତ୍ମା ଗାନ୍ଧୀଙ୍କ ପ୍ରୟୋଗଶାଳା କୁହାଯାଉଥିବା ସାବରମତୀ ଆଶ୍ରମକୁ ଯାଇଥିଲେ ଟ୍ରମ୍ପ୍। ସେଠାରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଚରଖା ଚଳାଇଥିଲେ ରାଷ୍ଟ୍ରପତି ଟ୍ରମ୍ପ ଓ ପତ୍ନୀ ମେଲାନିଆ। ଟ୍ରମ୍ପ ଚରଖା ଚଳାଇବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଉପସ୍ଥିତ ଥିଲେ।
ସାବରମତୀରୁ ଏମ୍ସିଜିରେ ‘ନମସ୍ତେ ଟ୍ରମ୍ପ୍’
ବିଶ୍ଵର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ୍ କୁହାଯାଉଥିବା ଅହମ୍ମଦାବାଦ- ମୋଟେରା କ୍ରିକେଟ୍ ଗ୍ରାଉଣ୍ଡ୍ (ଏମ୍ସିଜି) ‘ନମସ୍ତେ ଟ୍ରମ୍ପ’ରେ କମ୍ପି ଉଠିଥିଲା। ଲକ୍ଷାଧିକ ଲୋକଙ୍କ ଉପସ୍ଥିତି ରହିଥିବାବେଳେ ରୋଡ୍ ଶୋ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡି ମେଲାନିଆ ଉକ୍ତ ଷ୍ଟାଡିୟମ୍ରେ ପହଞ୍ଚିଥିଲେ। ସମଗ୍ର ଭାରତ ଟ୍ରମ୍ପଙ୍କ ପରିବାରକୁ ସ୍ୱାଗତ କରୁଛି ବୋଲି ମୋଦୀ ଉଦ୍ବୋଧନ ଆରମ୍ଭରୁ କହିବା ସହ ଟ୍ରମ୍ପଙ୍କୁ ଖୁବ୍ ପ୍ରଶଂସା କରିଥିଲେ। ଏଥିସହ ‘ନମସ୍ତେ ଟ୍ରମ୍ପର’ ଗୂଢ଼ ଅର୍ଥ ରହିଛି ଏବଂ ଏହା ଦୁଇଦେଶର ବନ୍ଧୁତ୍ୱକୁ ଆହୁରି ସୁଦୃଢ଼ କରିବ ବୋଲି ମୋଦୀ ପ୍ରକାଶ କରିବା ସହ ଆମେରିକାରେ ସେ ହାଓଡି ମୋଦୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ସ୍ମରଣ ପୂର୍ବକ ଉଦ୍ବୋଧନ ଦେଇଥିଲେ।