ମୋଦୀ-ଟ୍ରମ୍ପ୍ : ପ୍ରତିରକ୍ଷା ସମେତ ଗୁରୁତ୍ଵପୂର୍ଣ୍ଣ ଚୁକ୍ତି ସ୍ଵାକ୍ଷରିତ

ନୂଆଦିଲ୍ଲୀ(ଓଟି): ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ବୈଠକରେ ଗୁରୁତ୍ଵପୂର୍ଣ୍ଣ ଚୁକ୍ତି ହୋଇଛି। ଦିଲ୍ଲୀର ହାଇଦ୍ରାବାଦ ହାଉସଠାରେ ଅନୁଷ୍ଠିତ ବୈଠକ ପରେ ଉଭୟ ରାଷ୍ଟ୍ରମୁଖ୍ୟ ଉଦ୍‌ବୋଧନ ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ୩ଟି ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ଜଣାପଡ଼ିଛି। ବାଣିଜ୍ୟ, ସୁରକ୍ଷା, ତୈଳ କାରବାର କ୍ଷେତ୍ରରେ ପରସ୍ପର ସହଯୋଗ ପାଇଁ ନିଷ୍ପତ୍ତି ହୋଇଥିବାବେଳେ ୩ ବିଲିୟନ ଡଲାରର ପ୍ରତିରକ୍ଷା ଚୁକ୍ତି ମଧ୍ୟ ହୋଇଛି। ଭାରତକୁ ଆପାଚେ ଏବଂ ଏମ୍‌ଏଚ୍‌-୬୦ ରୋମିଓ ହେଲିକପ୍ଟର ଯୋଗାଇ ଦେବ ବୋଲି ଆମେରିକା ଚୁକ୍ତିବଦ୍ଧ ହୋଇଛି।

କଣ କହିଲେ ଟ୍ରମ୍ପ୍?

ଭାରତ ପକ୍ଷରୁ କରାଯାଇଥିବା ଭବ୍ୟ ସ୍ୱାଗତ ଅବିସ୍ମରଣୀୟ। ଏଥିପାଇଁ ପ୍ରତ୍ୟେକ ଆମେରିକୀୟ ଗର୍ବିତ। କେବଳ ସେତିକି ନୁହେଁ ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ତଥା ବନ୍ଧୁତ୍ୱ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ସାମରିକ ସମେତ ବାଣିଜ୍ୟ, ଆର୍ଥିକ, ଶକ୍ତି ଓ ଯୋଗାଯୋଗ ଆଦି ପ୍ରତ୍ୟେକ କ୍ଷେତ୍ରରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ। ଭାରତକୁ ସାମରିକ ହେଲିକପ୍ଟର ବିକ୍ରି ନିମନ୍ତେ ଆମେରିକା ୩ ବିଲିୟନ ଡଲାରର ଏକ ଚୁକ୍ତି ସ୍ୱାକ୍ଷରିତ କରିଛି। ଅନୁରୂପ ଭାବେ ବିଶ୍ୱରୁ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ରାଷ୍ଟ୍ରପତି ଟ୍ରମ୍ପ ପ୍ରକାଶ କରିଛନ୍ତି। ଭାରତ ଗସ୍ତର ଦ୍ୱିତୀୟ ଦିନରେ ମଧ୍ୟ ଟ୍ରମ୍ପ ଆତଙ୍କବାଦ ପ୍ରସଙ୍ଗ ଉଠାଇ ପରୋକ୍ଷରେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି।

କଣ କହିଲେ ମୋଦୀ?

ଅତ୍ୟାଧୁନିକ ରକ୍ଷା ଉପକରଣ ଓ ଆତଙ୍କବାଦ ଉପରେ ରୋକ ଲଗାଇବା ନେଇ ଆଲୋଚନା ହୋଇଛି। ଆତଙ୍କବାଦ ବିରୋଧରେ ଉୟଭ ଦେଶ ମିଳିତ ଭାବେ ଲଢ଼େଇ କରିବେ। ସେହିପରି ନିଶା କାରବାର ଓ ଅପରାଧ ରୋକିବା ନେଇ ଆଲୋଚନା ହୋଇଛି। ୫ଜି ୱେୟାରଲେସ୍ ନେଟ୍‌ୱର୍କ ସମ୍ପର୍କରେ ଆଲୋଚନା ହୋଇଛି ବୋଲି ପ୍ରକାଶ କରିବା ସହ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭାରତର ଘନିଷ୍ଠ ବନ୍ଧୁ ବୋଲି ଉଲ୍ଲେଖ କରି ଉଭୟ ରାଷ୍ଟ୍ରର ବାଣିଜ୍ୟ ମନ୍ତ୍ରୀ ଏକ ବଡ଼ ବାଣିଜ୍ୟିକ କାରବାର ପାଇଁ କାର୍ଯ୍ୟ କରୁଥିବା ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

Leave a Reply

Your email address will not be published. Required fields are marked *