ରଜପର୍ବ ପାଇଁ କର୍ଫ୍ୟୁ କଟକଣା କୋହଳ

ଭୁବନେଶ୍ବର, (ଓଡିଶା ଟାଇମ୍) : ରଜ ପାଇଁ ଆଜି ରାତ୍ରୀକାଳୀନ କର୍ଫ୍ୟୁ କୋହଳ ହେବ। ଆଜି ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ଟାରୁ କର୍ଫ୍ୟୁ ଲାଗୁ ହେବ।

ରଜ ପାଇଁ ଲୋକଙ୍କ କିଣାବିକାକୁ ଦୃଷ୍ଟିରେ ରଖି ଆଜି ସମସ୍ତ ଦୋକାନ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଆଜି ସଂଧ୍ୟା ୭ଟାରୁ କର୍ଫ୍ୟୁ ଜାରି ହେବ ନାହିଁ । ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ଦୋକାନରେ କିଣିକିଣି ସମୟରେ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି । ଆଜି ରାତି ୧୦ଟାରୁ ସକାଳ ୫ଟା ଯାଏଁ ରାତ୍ରି କାଳୀନ କର୍ଫ୍ୟୁ ଲାଗିବ।

ରବିବାର ପହିଲି ରଜ ଥିବା ବେଳେ ଶନିବାର ଓ ରବିବାର ସଟ୍ ଡାଉନ୍ ରହିବ । ତେଣୁ ଆଜି ସଂଧ୍ୟାର କର୍ଫ୍ୟୁ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସେପଟେ ରଜ ଉତ୍ସବକୁ ଦୃଷ୍ଟିରେ ରଖି କରୋନା ପାଇଁ ଉଗ୍ରତାର ପୀଠ ଓ ବରୁଣେଇ ମନ୍ଦିରରେ ଲାଗିବ ୧୪୪ ଧାରା । ୧୪ ତାରିଖରୁ ୨୦ ତାରିଖ ଯାଏଁ ପ୍ରତିବର୍ଷ ସେଠାରେ ରଜ ଉତ୍ସବ ପାଳନ କରାଯାଏ । ଅଧିକ ଜନସମାଗମ ହେବାର ସମ୍ଭାବନା ଥିବାରୁ ଏଠାରେ ୭ ଦିନ ଧରି ୧୪୪ ଧାରା ଜାରି କରାଯିବ । ଏହି ସମୟରେ କୌଣସି ପ୍ରକାର ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବନି । ସେହିପରି କେନ୍ଦୁଝରରେ ରଜ ପର୍ବ ପାଳନ ପାଇଁ ହେଉଥିବା ସମସ୍ତ ପ୍ରକାର ମେଳା, ମହୋତ୍ସବ ଓ ଦୋଳି ଖେଳ ଉପରେ ରୋକ୍ ଲଗାଇଛି ଜିଲ୍ଲା ପ୍ରଶାସନ ।

Leave a Reply

Your email address will not be published. Required fields are marked *