ଟାଇମ୍ସ ନାଓ-ଭିଏମଆର ସର୍ଭେ: ଏନଡ଼ିଏ-୨୮୩ : ୟୁପିଏ-୧୩୫
ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଏବେ ପ୍ରଚାର ମୁଡରେ ଆସିଗଲେଣି।। ଆଗାମୀ ନିର୍ବାଚନରେ କେଉଁ ଦଳର କ’ଣ ସ୍ଥିତି ରହିବ ସେ ଦିଗରେ ତଥ୍ୟ ଜାଣିବା ପାଇଁ ଟାଇମ୍ସ ନାଓ-ଭିଏମଆର ପକ୍ଷରୁ ସର୍ଭେ କରାଯାଇଥିଲା। ଏହି ସର୍ଭେ ରିପୋର୍ଟ ଅନୁସାରେ ଚଳିତ ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଏନଡିଏ ୨୮୩ ଆସନରେ ଓ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ୧୩୫ ଆସନରେ ବିଜୟୀ ହେବ ବୋଲି ଆକଳନ କରାଯାଇଛି।
ଓର୍ଭେ ରିପୋର୍ଟ ଅନୁସାରେ ଦକ୍ଷିଣ ଭାରତରେ ବିଜେପିକୁ କୌଣସି ସଫଳତା ମିଳିବାକୁ ନଥିବାବେଳେ ପଶ୍ଚିମବଙ୍ଗରେ ବିଜେପିକୁ ସଫଳତା ମିଳିବ ବୋଲି ସର୍ଭେରେ ଅନୁମାନ କରାଯାଇଛି। ଉତ୍ତର-ପୂର୍ବାଞ୍ଚଳର ରାଜ୍ୟ ଆସାମ ଓ ହିନ୍ଦୀ ଭାଷୀ ଅଞ୍ଚଳରେ ବିଜେପିର ପ୍ରଭାବ ପୂର୍ବ ଭଳି ବଜାୟ ରହିବ ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।
ଏହି ସବୁ କାରଣରୁ ବିଜେପି ତାର ସହଯୋଗୀ ଦଳମାନଙ୍କ ସହାୟତାରେ ସରକାର ଗଠନ ପାଇଁ ଆବଶ୍ୟକ ବହୁମତରୁ ସାମାନ୍ୟ ଅଧିକ ୨୮୩ଟି ଆସନ ପାଇପାରେ ବୋଲି ରିପୋର୍ଟରେ ଅନୁମାନ କରାଯାଇଛି। କଂଗ୍ରେସ ନେତୃତ୍ୱାଧିନ ୟୁପିଏକୁ ୧୫୩ଟି ଆସନ ମିଳିବାକୁ ଥିବାବେଳେ ଅନ୍ୟ ଦଳମାନଙ୍କୁ ୧୨୫ଟି ଆସନ ମିଳିପାରେ।
ଓଡ଼ିଶାର ୨୧ଟି ଲୋକସଭା ଆସନରୁ ବିଜେପି ୧୪ଟି ଆସନ ଜିତିବ
ସର୍ଭେ ଅନୁଯାୟୀ, ଓଡ଼ିଶାର ୨୧ଟି ଲୋକସଭା ଆସନରୁ ବିଜେପି ୧୪ଟି ଆସନ ଜିତିବ। ସେହିପରି ବିଜେଡି ୨୦୧୪ରେ ୨୦ଟି ଆସନ ଜିତିଥିବା ବେଳେ ଏଥର ୭କୁ ଖସି ଆସିବ। କଂଗ୍ରେସ ପୂର୍ବଭଳି ଖାତା ଖୋଲିପାରିବ ନାହିଁ।
ଉତ୍ତରପ୍ରଦେଶରେ ବିଜେପିକୁ ଝଟକା
ଏହି ସର୍ଭେ ଅନୁସାରେ ବିଜେପିକୁ ୨୦୧୪ ଭଳି ସଫଳତା ମିଳିବ ନାହିଁ। ୨୦୧୪ରେ ବିଜେପି ୪୩.୩ ପ୍ରତିଶତ ଭୋଟ ସହିତ ୭୩ଟି ଆସନରେ ବିଜୟୀ ହୋଇଥିଲା। ସର୍ଭେରେ ବିଜେପି ମେଣ୍ଟକୁ ୪୨ଟି, ଏସପି-ବିଏସପି ମହାମେଣ୍ଟକୁ ୩୬ଟି ଓ କଂଗ୍ରେସକୁ ୨ଟି ଆସନ ମିଳିବ।
ବିଜେପିର ଗଡ କୁହାଯାଉଥିବା ଗୁଜରାଟରେ ୨୬ଟି ଆସନରୁ ବିଜେପିକୁ ୨୪ଟି ସ କଂଗ୍ରେସକୁ ୨ଟି ଆସନ ମିଳିବ।
ହିନ୍ଦୀ ଭାଷୀ ଅଞ୍ଚଳରେ ବିଜେପିକୁ ସଫଳତା
ବିଜେପି ନେତୃତ୍ୱାଧିନ ଏନଡ଼ିଏକୁ ଚଳିତ ନିର୍ବାଚନରେ ହିନ୍ଦୀ ଭାଷୀ ମତଦାତାମାନେ ପୁଣି କ୍ଷମତାରେ ରହିବା ପାଇଁ ସମର୍ଥନ ଦେବେ। ଦିଲ୍ଲୀରେ ୭ରୁ ୭ଟି, ମଧ୍ୟପ୍ରଦେଶରେ ୨୯ରୁ ୨୨ଟି, ରାଜସ୍ଥାନରେ ୨୫ରୁ ୨୦ଟି ଆସନରେ ଜିତିବାର ଅନୁମାନ କରାଯାଇଛି।
ପଶ୍ଚିମବଙ୍ଗରେ ସଫଳତା; କଂଗ୍ରେସ-ବାମ ଖାଲି
ପଶ୍ଚିମବଙ୍ଗରେ ନିଜର ଗଡ଼କୁ ମଜଭୂତ କରିବା ପାଇଁ ପରିଶ୍ରମ କରୁଥିବା ବିଜେପିକୁ ୩୨ପ୍ରତିଶତ ଭୋଟ ସହିତ ୧୧ଟି ଆସନରେ ବିଜୟ ମିଳିବ ବୋଲି ଅନୁମାନ କରାଯାଇଛି। ଏଠାରେ ଗତ ନିର୍ବାଚନରେ ବିଜେପି ୧୬.୮ ପ୍ରତିଶତ ମତ ସହିତ ୨ଟି ଆସନରେ ବିଜୟୀ ହୋଇଥିଲା। କଂଗ୍ରେସ ଓ ବାମମେଣ୍ଟକୁ କୌଣସି ଆସନ ମିଳିବ ନାହିଁ ବୋଲି ସର୍ଭେରେ ଅନୁମାନ କରାଯାଇଛି।
୨୦୧୪ରେ ବିହାରରେ ଏକତରଫା ମୋଦି ହାୱା ଥିଲା। ବିଜେପିକୁ ୫୧.୫ ପ୍ରତିାତ ମତ ସହିତ ୩୦ଟି ଆସନ ମିଳିଥିଲା। ଚଳିତ ନିର୍ବାଚନରେ ଏନଡ଼ିଏର ଭୋଟ ହାର ୪୮.୪୦ ପ୍ରତଶତ ସହିତ ୨୭ଟି ଆସନ ମିଳିବ ବୋଲି ସର୍ଭେ ରିପୋର୍ଟରେ ଅନୁମାନ କରାଯାଇଛି।
ତେଲେଙ୍ଗାନରେ ଟିଆରଏସ
ଦକ୍ଷିଣ ରାଜ୍ୟ ତେଲେଙ୍ଗାନାରେ ବିଜେପିର ଭୋଟ ହାର ବଢୁଥିବାବେଳେ ସିଟ ସଂଖ୍ୟାରେ କୌଣସି ପରିବର୍ତ୍ତନ ହେଉନାହିଁ। ୨୦୧୪ରେ ୧୦.୪ ପ୍ରତିଶତ ଭୋଟ ସହିତ ଗୋଟିଏ ଆନ ମିଳିଥିଲା। ଏଥର ୧୭.୬୦ ପ୍ରତିାତ ଭୋଟ ସହିତ ୨ଟି ଆସନ ମିଳିପାରେ। ରାଜ୍ୟରେ କ୍ଷମତାରେ ଥିବା ଟିଆରଏସକୁ ୧୨ଟି ଆସନ, କଂଗ୍ରେସକୁ ଗୋଟିଏ ଓ ଅନ୍ୟକୁ ଗୋଟିଏ ଆସନ ମିଳିପାରେ।
ଆନ୍ଧ୍ରରେ ୱାଇଏସଆର କଂଗ୍ରେସ
ଗତ ନିର୍ବାଚନରେ ୮ଟି ଆସନ ପାଇଥିବା ୱାଇଏସଆର କଂଗ୍ରେସକୁ ଚଳିତ ନିର୍ବାଚନରେ ୨୨ଟି ଆସନ ମିଳିପାରେ ବୋଲି ଆକଳନ କରାଯାଇଛି। ଗତ ନିର୍ବାଚନରେ ୧୫ଟି ଆସନ ପାଇଥିବା ଟିଡ଼ିପି ମାତ୍ର ୩ଟି ଆସନ ପାଇପାରେ।