ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ

ପୁରୀ, (ଓଡିଶା ଟାଇମ୍): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବହୁ ପ୍ରତିକ୍ଷିତ ରଥଯାତ୍ରାକୁ ଆଉ ମାତ୍ର ଦିନ କେଇଟା ବାକି ଅଛି । ଏହା ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଓ ରଥଯାତ୍ରାର ନୀତି ନିର୍ଘଣ୍ଟ ଶେଷ ହୋଇଛି । ଆସନ୍ତା ୨୪ ତାରିଖରେ ହେଉଥିବା ସ୍ନାନଯାତ୍ରାରେ ପହଣ୍ତି ରାତି ଗୋଟାଏରୁ ଚାରିଟା ମଧ୍ୟରେ ଅନୁଷ୍ଠିତ ହେବ । ଶ୍ରୀଗୁଣ୍ତିଚା ପାଇଁ ସକାଳ ୮.୩୦ ରୁ ପହଣ୍ତି କରାଯାଇ ଅପରାହ୍ନ ୩ଟାରେ ରଥଟଣା ପାଇଁ ନିଷ୍ପତ୍ତି ନିଆଯାଇଛି।

ରଥ ଯାତ୍ରା ନୀତି ନିର୍ଘଣ୍ଟ ନେଇ ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ୟକ୍ଷତାରେ ରବିବାର ଛତିଶା ନିଯୋଗ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଛି । ବିନା ଭକ୍ତରେ ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରାରେ ସମସ୍ତ ସେବାୟତଙ୍କର ଟିକାକରଣ ଓ RT-PCR କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି।

ଆସନ୍ତା ସ୍ନାନଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। କୋଭିଡ କଟକଣା ଓ ବିନା ଭକ୍ତରେ ହେଉଥିବା ଏହି ଯାତ୍ରା ପାଇଁ ଛତିଶା ନିଯୋଗ ଏହି ନୀତି ନିର୍ଘଣ୍ଟରେ ମୋହର ମାରିଛି। ସ୍ନାନଯାତ୍ରା ପାଇଁ ରାତି ୧ଟାରୁ ଭୋର ୪ଟା ମଧ୍ୟରେ ପହଣ୍ତି କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଜଳ ବିଜେ ଓ ସ୍ନାନ ୭.୩୦ ରୁ ୯.୩୦, ଛେରାପହଁରା ୧୦.୩୦, ହାତୀବେଶ ୧୧ ଟାରୁ ମଧ୍ୟାହ୍ନ ୧୨ ଟା ମଧ୍ୟରେ ଅନୁଷ୍ଠିତ ହେବ। ସେହିପରି ରଥଯାତ୍ରା ପାଇଁ ରଥ ପ୍ରତିଷ୍ଠା ସକାଳ ୮ଟା, ପହଣ୍ତି ୮.୩୦, ଛେରାପହଁରା ଦିନ ୨ଟା ଓ ରଥଟଣା ଅପରାହ୍ନ ୩ଟାରେ ଅନୁଷ୍ଠିତ ହେବ।

ବାହୁଡା ଯାତ୍ରା ପାଇଁ ମଧ୍ୟ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି । ପହଣ୍ତି ୧୨ ଟା ୩୦ ରୁ ୨ଟା ୩୦ ଓ ରଥଟଣା ୪ଟାରେ କରାଯିବାକୁ ଆଜି ଅନୁଷ୍ଠିତ ଛତିଶା ନିଯୋଗ ଭର୍ଚୁଆଲ ବୈଠକରେ ନିଷ୍ପତ୍ତି ହୋଇଛି। ରଥାଯାତ୍ରାରେ ଭକ୍ତଙ୍କ ପ୍ରବେଶ ଉପରେ ସମ୍ପୁର୍ଣ୍ଣ କଟକଣା ଲଗାଯାଇଥିବାରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଓ ବଡଦାଣ୍ତକୁ କର୍ଫ୍ୟୁ ଭଳି କଡା କଟକଣା ଲଗାଯିବ। ଭକ୍ତମାନେ ଗଣମାଧ୍ୟମ ଜରିଆରେ ମହାପ୍ରଭୁଙ୍କ ଘୋଷଯାତ୍ରାର ସିଧାପ୍ରସାରଣ ଦେଖିପାରିବେ। ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ମହାପ୍ରସାଦ ଯୋଗାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି। ଛତିଶା ନିଯୋଗର ଏହି ଭର୍ଚୁଆଲ ବୈଠକରେ ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାପାଳ, ଏସପି, ସମସ୍ତ ନିଯୋଗର କର୍ମକର୍ତ୍ତା ଏହି ଆଲୋଚନାରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *