ଜାମ୍ମୁ କାଶ୍ମୀର ସୁରକ୍ଷା ବାହିନୀଙ୍କୁ ସଫଳତା

ଜାମ୍ମୁ, (ଓଡିଶା ଟାଇମ୍): ସୁରକ୍ଷା ବାହିନୀଙ୍କୁ ମିଳିଛି ବଡ ସଫଳତା । ଜାମ୍ମୁ କାଶ୍ମୀରରେ ଅବନ୍ତିପୋରାର ନାଗବେରନ ତ୍ରାଲ ଜଙ୍ଗଲ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜୈସ-ଏ-ମହମ୍ମଦର ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେହିପରି ଗୋଟିଏ ଦିନ ପୂର୍ବରୁ ସୁରକ୍ଷା ବାହିନୀ ସହିତ ଗୁଳିବିନିମୟ ସମୟରେ ଦୁଇ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା।

ମିଳିଥିବା ଖବର ଅନୁସାରେ, ତ୍ରାଲ ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ସୁରକ୍ଷାକର୍ମୀ ଏହି ସୂଚନା ପାଇବା ପରେ ପୁରା ଅଞ୍ଚଳକୁ ଘେରିଯାଇଥିଲେ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଚାରିପଟୁ ସୁରକ୍ଷାକର୍ମୀ ପୁରା ଅଞ୍ଚଳକୁ ଘେରିଥିବା ଦେଖି ଆତଙ୍କବାଦୀମାନେ ଗୁଳିଚାଳନା ଆରମ୍ଭ କରିଥିଲେ । କିନ୍ତୁ ସେନାବାହିନୀ ଆତଙ୍କୀଙ୍କ ଗୁଳିର ଦୃଢ ଜବାବ ଦେଇଥିଲେ । କିଛି ସମୟ ଧରି ଆତଙ୍କୀ ଓ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜୈସ-ଏ-ମହମ୍ମଦର ୩ଜଣ ଆତଙ୍କୀ ନିହତ ହୋଇଥିବା ଜଣାପଡିଛି । ସେପେଟ ଏବେବି ଅଞ୍ଚଳରେ କିଛି ଆତଙ୍କୀ ଲୁଚି ରହିଥିବାର ସୂଚନା ରହିଛି । ଯାହାକୁ ଦୃଷ୍ଟିରେ ରଖି ସୁରକ୍ଷାକର୍ମୀ ପୁରା ଅଞ୍ଚଳକୁ ଘେରି ସର୍ଚ୍ଚ ଅପରେସନ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ସୁରକ୍ଷା ବାହିନୀ ଶୁକ୍ରବାର ଦିନ ପୁଲୱାମା ଜିଲ୍ଲାର ପାମ୍ପୋର ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ଏହି ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ଅପରେସନ୍ ସମୟରେ ଆତଙ୍କବାଦୀଙ୍କ ଉପସ୍ଥିତି ଚିହ୍ନଟ ହେବା ମାତ୍ରେ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। କିନ୍ତୁ ସେମାନେ ମିଳିତ ସର୍ଚ୍ଚ ପାର୍ଟି ଉପରେ ଗୁଳି ଚଳାଇଥିଲେ, ଏହାର ଉତ୍ତରରେ ସୁରକ୍ଷା ବାହିନୀ ମଧ୍ୟ ଗୁଳି ଚଳାଇ ଏନକାଉଣ୍ଟର କରିଥିଲେ।

Leave a Reply

Your email address will not be published. Required fields are marked *