ଦିନକୁ ୧୬ କୋଟି ଆୟ ନିଶାରେ ନିଷ୍ପତ୍ତି

ଡ଼ିଶା ତହବିଲ ପାଇଁ ଦୁଇଟି ଶୁଭ ସୂଚନା । ପ୍ରଥମଟି ହେଲା ଦୀର୍ଘଦିନ ହେଲା ମାନ୍ଦାବସ୍ଥାରେ ଚାଲୁଥିବା ତହବିଲରେ ଏକାଥରକେ ୫୦୦ କୋଟି ଟଙ୍କା ପ୍ରବେଶ  କରିଛି ଆଉ ଦ୍ଵିତୀୟଟି ହେଲା ଦୈନିକ ଅଧିକ ୧୬ କୋଟି ଟଙ୍କା ରୋଜଗାର ପାଇଁ ବାଟ ଫିଟିଛି । ଅର୍ଥାତ୍‌ ଗୋଟିଏ ପଟେ ବାତ୍ୟା ପରବର୍ତ୍ତୀ ପରିସ୍ଥିତିର ଥଇଥାନ ଲାଗି କେନ୍ଦ୍ର ସରକାର ରାଜ୍ୟକୁ ୫୦୦ କୋଟି ଟଙ୍କା ଦେଇଥିବାବେଳେ ରାଜ୍ୟ ସରକାର, ଓଡ଼ିଶାରେ ମଦ ବ୍ୟବସାୟକୁ ଚାଲୁ କରିବାକୁ ଆଦେଶ ଦେଇ ଦୈନିକ ଧାର୍ଯ୍ୟ ରାଜସ୍ଵ ଆଦାୟ ଦେଢ଼ଗୁଣା କରିବାକୁ ଲକ୍ଷ୍ୟ ରଖିଛନ୍ତି । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ କିଛି ଲୋକ ସାମାଜିକ ବନ୍ଧନର ବିରୋଧୀ ବୋଲି ଅଭିଯୋଗ କରୁଥିଲେ ହେଁ ଅନ୍ୟମାନେ ୯୦ ଦିନର ଶୁଖିଲା ଯୁଗ ସରିଲା ବୋଲି କହି ଆନନ୍ଦ ପ୍ରକାଶ କରୁଛନ୍ତି । 

ପ୍ରଥମେ ଆନନ୍ଦ ବିଷୟକୁ ଆଲୋଚନା କରିବା । ସେଥିରେ ଆଗକୁ ଯାହା ଆସେ ତାହା ହେଲା ଡ୍ରାଏ ଡେ’ରୁ ମୁକ୍ତି । ଯଦିଓ ମାର୍ଚ୍ଚ ୨୦ ତାରିଖରୁ ଭୁବନେଶ୍ଵରରେ ମଦ ଦୋକାନ ପ୍ରାୟତଃ ବନ୍ଦ ହୋଇଥିଲା, କିନ୍ତୁ ମାର୍ଚ୍ଚ ୨୫ରେ ସାରା ଦେଶରେ ଲକ୍ଉ‌ଡାନ୍ ଘୋଷଣା ପରେ ସବୁ ଆଡ଼େ ଡ୍ରାଏ ହୋଇଗଲା । ଅବଶ୍ୟ କିଛି ଲୋକ କିଛିଦିନ ଯାଏ କୁହାବୋଲା କରି, କଳା ବଜାରରେ ଅଥବା ନକଲି ମଦ ପିଇ ନିଜର ରଙ୍ଗିଲା ପଣିଆକୁ ନିରନ୍ତର କରିବାକୁ ଚେଷ୍ଟା କରିଛନ୍ତି, ହେଲେ ଅନେକ ଏହି ଶୁଖିଲା ପଣକୁ ଅଙ୍ଗେ ନିଭାଇଛନ୍ତି । ସେଥିପାଇଁ  ସରକାରଙ୍କ ସଦ୍ୟ ନିଷ୍ପତ୍ତି ଦ୍ଵାରା ଦିନଗୁଡ଼ିକ ଶୁଖିଲା (ଡ୍ରାଇ ଡେ’)   ଆଗ୍ରହୀ ଲୋକମାନଙ୍କ ଲାଗି ଏବେ ସ୍ଵଭାବିକ ହେବ ବୋଲି ଆଶା କରାଯାଇପାରେ ।

ମଦ ବିକ୍ରି କରି ୩ ହଜାର୯୨୫ କୋଟି ଟଙ୍କା ଅର୍ଜନ

ଅପରପକ୍ଷେ ରାଜ୍ୟ ସରକାରଙ୍କ ୨୦୧୮-୧୯ ଆର୍ଥିକ ବର୍ଷର ଆୟକୁ ଦେଖିଲେ ସରକାର କେବଳ ମଦ ବିକ୍ରି କରି ୩ ହଜାର୯୨୫ କୋଟି ଟଙ୍କା ଅର୍ଜନ କରିଥିଲେ। ଅର୍ଥାତ୍‌ ଦିନକୁ ପ୍ରାୟ ୧୦ କୋଟି ୭୫ ଲକ୍ଷ ଟଙ୍କା ସରକାର ବିଭିନ୍ନ ସୂତ୍ରରେ ମଦ ବିକ୍ରି କରି ରୋଜଗାର କରିଥାଆନ୍ତି । ପୁଣି ଏବେ ୫୦ ପ୍ରତିଶତ ଅଧିକ ଟିକସ ଜାରି କରାଯାଇଛି। ଅର୍ଥାିତ୍‌ ରାଜ୍ୟକୁ ଦୈନିକ ୧୬ କୋଟି ଟଙ୍କାରୁ ଅଧିକ ରାଜସ୍ଵ ମିଳିବା ସମ୍ଭାବନା ରହିଛି ।

ଏବେ ଆସନ୍ତୁ  ଏହି ବ୍ୟବସାୟ ଦ୍ଵାରା ରାଜ୍ୟ ଆଗରେ ସୃଷ୍ଟି ହୋଇଥିବା ଅଦୃଶ୍ୟ ସମସ୍ୟାଗୁଡ଼ିକ ଉପରେ ନଜର ପକାଇବା।

ସବୁ ଜାଗାରେ ମଦ ଦୋକାନ

ଯଦିଓ ସୋସିଆଲ୍ ଡିଷ୍ଟାନ୍ସିଂ ବାହାନାରେ ସରକାର ମଦ ଦୋକାନ ଆଗରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଜାରି ରଖିଛନ୍ତି, କିନ୍ତୁ ନୂଆ ନିଷ୍ପତ୍ତି ଫଳରେ ସବୁ ଜାଗା ଏବେ ମଦ ଦୋକାନ ହୋଇପାରିବ । ବୁଲି ବୁଲି ଲୋକେ ମଦ ବିକ୍ରି କରିପାରିବେ । ଅର୍ଥାତ୍ ଜଣେ ମଦ ଦୋକାନୀ ଚହିଁଲେ ତାଙ୍କ ଏଜେଣ୍ଟଙ୍କ ଦ୍ଵାରା ଘରେ ଘରେ ମଦ ବିକ୍ରି କରିପାରିବେ । ଖାଲି ସେତିକି ନୁହେଁ, ଯଦିଓ ମଦ ବ୍ୟବସାୟକୁ ଷ୍ଟାର୍ଟଅପ୍‌ ଆକାରରେ ଗ୍ରହଣ କରାଯାଇ ନାହିଁ କିନ୍ତୁ ଯେ କୌଣସି କମ୍ପାନୀ ଓଡ଼ିଶା ମଦ ନିଗମରେ ପଞ୍ଜୀକୃତ ହେଲେ ସେ ନିର୍ଦ୍ୱନ୍ଦରେ ମଦ ବିକ୍ରି କରିପାରିବେ । ଏଥିଲାଗି ତାଙ୍କୁ ପ୍ରତି ୧୦୦୦ ଟଙ୍କାରେ ୧୦୦ ଟଙ୍କା କମିଶନ ମିଳିବା ବ୍ୟବସ୍ଥା ହୋଇଛି । ପୁଣି ସର୍ବାଧିକ କେତେ ବିକ୍ରି କରିବ ତାହା ନିର୍ଦ୍ଧାରଣ କରାଯାଇ ନଥିବାରୁ ମନ ଇଚ୍ଛା ବ୍ୟବସାୟ ପାଇଁ ସୁଯୋଗ ମିଳିଛି। 

କୋଭିଡ୍‌ ଟିକସ ୫୦ ପ୍ରତିଶତ

ଏବେ ଯଦି ଆପଣ ମଦ କିଣିବା ପାଇଁ ମଦ ଦୋକାନୀଙ୍କ ହ୍ବାଟ୍‌ସ୍ଆପ ଅଥବା ଜୋମାଟୋ, ସ୍ଵିଗୀ ଭଳି କୌଣସି ଫୁଡ୍‌‌ ଆଗ୍ରିଗେଟର  ଅବା କୌଣସି ସ୍ଵତନ୍ତ୍ର ପଞ୍ଜିକୃତ ଅନ୍‌ଲାଇନ୍‌ ବ୍ୟବସାୟୀଙ୍କୁ ଯୋଗା ଯୋଗ କରନ୍ତି, ସେ ଆପଣଙ୍କୁ ଆପଣଙ୍କ ନିର୍ଦ୍ଧାରିତ ଠିକଣା ତାହା ଗଛ ମୂଳ ହେଉ ବା ଗାଁ ମୁଣ୍ଡ ପୁଣି ଅଫିସ ହେଉ ବା ଘରେ ଆଣି ପହଞ୍ଚାଇ ଦେବେ ।  ଏଥିଲାଗି ସେ ସର୍ବନିମ୍ନ ୧୦୦ ଟଙ୍କା ଅଧିକ ନେବେ । 

ପୁଣି ସରକାର କୋଭିଡ୍‌ ବାବଦ ୫୦ ପ୍ରତିଶତ ଅଧିକ ଟିକସ ବ୍ୟବସ୍ଥା କରିଛନ୍ତି । ଅର୍ଥାତ୍‌ ଯଦି କୌଣସି ଲୋକ ୧୨୦ ମିଲିଲିଟର ମଦ ବରାଦ କରନ୍ତି ଯାହାର ସର୍ବନିମ୍ନ ମୂଲ୍ୟ ୧୨୦ ଟଙ୍କା ଥିଲା ତାହାକୁ ସେ ୧୮୦ ଟଙ୍କାରେ ଏବେ କିଣିବ । ଏହା ସହ ସେ ଘରେ ଦେବାକୁ ଆସିଥିବା ପିଲା ବାବଦରେ ଆହୁରି ୧୦୦ଟଙ୍କା ଆଗୁଆ ପଇଠ କରିବ । ଅର୍ଥାତ୍‌ ୧୨୦ ଟଙ୍କା ମୂଲ୍ୟର ମଦ ବୋତଲରୁ ଜଣେ ବ୍ୟକ୍ତି ୨୮୦ ଟଙ୍କା ଦେଇ କିଣିବାକୁ ବାଧ୍ୟ । 

ଗରିବ ଲୁଟିବା ଯୋଜନା

ଅର୍ଥାତ୍‌ ଗରିବ ଲୋକଟିଏ ଯିଏ ମୂଲ ମଜୁରି ଲାଗେ ଆଉ ୧୨୦ ଟଙ୍କାରେ ତା’ର ମାନସିକ ଶାନ୍ତି ଆଣିବାର ପ୍ରହେଳିକାରେ ମାତି ମଦ କିଣିବାକୁ ଆସୁଥିଲା ତାକୁ ଏବେ ଅଧିକ ୧୬୦ ଟଙ୍କା ଦେବାକୁ ହେବ । ଏହା ଗରିବକୁ ଲୁଟିବା ସହ ସମାନ ନୁହେଁକି ? ଯଦି  ମଦ କିଣିବା ବାଧ୍ୟତାମୂଳକ ନୁହେଁ ବୋଲି କୁହାଯିବ ତେବେ ଏହି ହୋମ୍‌ ଡେଲିଭରି କ’ଣ କେବଳ ବଡ଼ ଲୋକଙ୍କ ପାଇଁ ଖୋଲା  ହୋଇଛି।

ସାମାଜିକ ବନ୍ଧନର ପରିପନ୍ଥୀ

ରାଜ୍ୟରେ ମଦ ବିକ୍ରିକୁ ସମ୍ପୂଣ୍ଣ ନିଷିଦ୍ଧ କରିବା ଲାଗି ଅନେକ ଥର ତର୍କ ହୋଇଛି । ୧୯୫୬ ମସିହାରେ ଏଥିଲାଗି ଆଇନ ହୋଇଛି । ଭାରତର କିଛି ରାଜ୍ୟରେ ମଦ ସମ୍ପୂଣ୍ଣ ବନ୍ଦ କରାଯାଇଛି । ହେଲେ ଆମ ରାଜ୍ୟରେ ରାଜସ୍ଵ କମିଯିବା ଲୋଭରେ ସରକାର କାରବାର ବନ୍ଦ କରିବା ତ ଦୂରର କଥା ନୂଆ ନୂଆ ମଦ ଦୋକାନ ପାଇଁ ଲାଇସେନ୍ସ ଯୋଗାଉଛନ୍ତି ।

ଗଲା ୯୦ ଦିନ ହେଲା ମଦ ବନ୍ଦ ହେବା ଦ୍ଵାରା ଯେଉଁ ଡ୍ରାଏ ଡେ’ ସବୁ ଆସିଥିଲା ତାହା ଅନେକଙ୍କ ଅଭ୍ୟାସକୁ ବନ୍ଦ କରିବା ଲାଗି ଏକ ସୁଯୋଗ ସୃଷ୍ଟି କରିଥିଲା । ରାଜ୍ୟ ସରକାର ଚାହିଁଥିଲେ ଏବେ ସମ୍ପୂଣ୍ଣ ମଦ ବନ୍ଦ କରି, ଜନମଙ୍ଗଳ ରାଜ୍ୟର ଉଦାହରଣ ସୃଷ୍ଟି କରିପାରି ଥାଆନ୍ତେ । କିନ୍ତୁ ସରକାରଙ୍କୁ ରାଜସ୍ଵ ନିଅଣ୍ଟ ବୋଝ ଘାରିଲା । ଯେଉଁଥି ପାଇଁ ବାଧ୍ୟ ହୋଇ ଅନ୍ୟ କିଛି ରାଜ୍ୟଙ୍କ ପଦାଙ୍କ ଅନୁସରଣ କଲେ ।

ମୁଖ୍ୟମନ୍ତ୍ରୀଙ୍କ କରୋନା ପାଣ୍ଠି

ସରକାର ଚାହିଁଥିଲେ ରାଜସ୍ଵ ଭରଣା କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ରିଲିଫ୍‌ ପାଣ୍ଠିକୁ ଉପଯୋଗ କରିପାରି ଥାଆନ୍ତେ । ଏବେ ସରକାର କୋଭିଡ୍‌ ମୁକାବିଲା ଲାଗି ଏହି ପାଣ୍ଠି ଦ୍ଵାରା ଅନେକ ସାହାଯ୍ୟ ତଥା ଦାନ ଗ୍ରହଣ କରିଛନ୍ତି । ଏଯାଏଁ ସରକାର କେତେ ଆଦାୟ ହୋଇଛି ତାହା କହି ନାହାନ୍ତି । ସେହିପରି କେଉଁଠି ଖର୍ଚ୍ଚ ହେଉଛି ତାହା କହି ନାହାନ୍ତି କି ଆଗକୁ କହିବେ ବୋଲି ଆଶା ନାହିଁ । କାରଣ ଏହା ହିସାବ ପାଇଁ ଯୋଗ୍ୟ ନୁହେଁ । ଏଣୁ ଏଥିରେ ଯେଉଁ ଅର୍ଥ ରହିଛି ତାହାକୁ ନିଅଣ୍ଟ ରାଜସ୍ଵ କାଳରେ ଖର୍ଚ୍ଚ ପାଇଁ ବିନିଯୋଗ କରାଯାଇପାରେ । ହେଲେ ତାହା ନକରି ସରକାର ଏପରି ଏକ ଦୁଆର ଖୋଲିବା ଦ୍ଵାରା ରାଜ୍ୟରେ ସାମାଜିକ ବନ୍ଧନରେ ବିଭ୍ରାଟ, ପାରିବାରିକ ଅଶାନ୍ତି, ମହିଳାଙ୍କ ଉପରେ ହିଂସା ବଢ଼ିବ ବୋଲି ଆଶଙ୍କା କରାଯାଇଛି। ବିଭିନ୍ନ ରାଜନୀତିକ ଦଳ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ଏହି ନିଷ୍ପତ୍ତି ବିରୁଦ୍ଧରେ ପ୍ରତିବାଦ ଜଣାଇ ଦିଆଯାଇଛି। 

କ୍ଷୀର ପାଇଁ ହୋଇପାରିନି

ରାଜ୍ୟର ଘରେ ଘରେ ଦୁଗ୍ଧ ପହଞ୍ଚଇବା ଲାଗି ସରକାର ଏକ ଯୋଜନା କରିଥିଲେ। ଏଥିଲାଗି ଓମ୍‌ଫେଡ୍‌ ପକ୍ଷରୁ ସ୍ଵତନ୍ତ୍ର ଦୁଗ୍‌ଧ ଭେଣ୍ଡର ନିଯୁକ୍ତ ହୋଇଥିଲେ । ଏହା ନବେ ଦଶକରୁ ଚଳି ଆସୁଛି । ହେଲେ ଆଜି ଯାଏ ଘରେ ଘରେ ଦୁଗ୍ଧ ପହଞ୍ଚାଇବା କାମ ହୋଇପାରି ନାହିଁ । ଯାହାର ସଙ୍କଟ ଲକ୍‌ଡାଉନ୍‌ ସମୟରେ ଦେଖିବାକୁ ମିଳିଛି । ଯଦି ତାହା ହୋଇ ଥାଆନ୍ତା ତେବେ ରାଜ୍ୟର ହଜାର ହଜାର ଚାଷୀଙ୍କ ଦ୍ଵାରା ସଂଗୃହୀତ ଦୁଗ୍ଧ ଏହି କାଳରେ ରାସ୍ତାରେ ଭାସି ନଥାଆନ୍ତା ! ଏଥିରୁ ପ୍ରମାଣିତ ଯେ ରାଜ୍ୟ ସରକାର, କ୍ଷୀର ଅପେକ୍ଷା ମଦ ବିକ୍ରିକୁ ଅଧିକ ଜରୁରୀ ବୋଲି ଅନୁଭବ କରିଛନ୍ତି । ସରକାର କେବେ ସାମୁହିକ ହିତ କଥା ଦେଖୁ ନାହାନ୍ତି । ରାଜସ୍ଵ ଲୋଭରେ କେବଳ ତାତ୍‌କାଳୀନ କଥାକୁ ଗୁରୁତ୍ଵ ଦେଉଛନ୍ତି । 

ଶେଷ କଥା 

ରାଜ୍ୟ ସରକାର, ଜୋରିମାନା ଆଦାୟ ପାଇଁ  ନିଷ୍ପତ୍ତି ନେବା ଏବଂ ତାହାକୁ କାର୍ଯ୍ୟକାରୀ କରିବାରେ କେବେ ହେଲେ ପଛ ଘୁଞ୍ଚା ଦିଅନ୍ତି ନାହିଁ । ହେଲମେଟ୍‌  ପାଇଁ ଜୋରିମାନା ହେଉ ବା ଭୁଲ୍‌ ରାସ୍ତାରେ ଗାଡ଼ି ଚଳାଇବା, ଅଥବା ସିଟ୍‌ ବେଲ୍ଟ ନପିନ୍ଧିବା, ଗାଡ଼ିର କାଗଜ ସାଙ୍ଗରେ ନରଖିବା ଏପରି ଅନେକ ନିଷ୍ପତ୍ତିକୁ ତୁରନ୍ତ ଲାଗୁ କରି ପୂର୍ବରୁ ରାଜ୍ୟ ସରକାର, ଲୋକଙ୍କୁ ଆତଙ୍କିତ କରିଥିଲେ । ଅବଶ୍ୟ ଆମର ସୁରକ୍ଷା ଚିନ୍ତା ସେଥିରେ ଥିଲା କିନ୍ତୁ ଯେଉଁ ପ୍ରକାରେ ଜୋରିମାନା ଆଦାୟ ହେଉଥିଲା ତାହା ସୁରକ୍ଷା ଚିନ୍ତାଠୁ ବଡ଼ ଥିଲା ।

ସେହିପରି କରୋନା କାଳରେ ସୋସିଆଲ୍ ଡିଷ୍ଟାନ୍ସିଂ ରଖୁ ନାହାନ୍ତି ବୋଲି କହି ଲେକାଙ୍କୁ ମାଡ଼ ମାରିବା, ମାସ୍କ ପିନ୍ଧି ନାହାନ୍ତି କହି ଜୋରିମାନା ସଂଗ୍ରହ କରିବା, ରାସ୍ତାରେ ଛେପ ପକାଉଛନ୍ତି କହି ପୁଲିସର ଲାଠି ସହ ଜୋରିମାନା ଗଣିବା ଭଳି ଅନେକ ଦୃଶ୍ୟ ସାମ୍ନାକୁ ଆସିଛି । ଏହା ରାଜ୍ୟରେ କନଷ୍ଟେବଳ ଶାସନକୁ ବଳିଷ୍ଠ କରିଛି ।

ଏବେ ରାସ୍ତା ଘାଟ, ଘର- ଅଫିସ, ସାହି, ଗଳି, ଛକରେ ମଦ ବେପାର ପାଇଁ ପରୋକ୍ଷରେ ଖୋଲା ଖୋଲି ଅନୁମତି, ଆଗକୁ ପରିସ୍ଥିତିକୁ ପୁଣି ଏକ ସଙ୍କଟଆଡ଼କୁ ନେଇଯିବା ଜଳ ଜଳ ଦିଶୁଛି । ଯଦି ତାହା ହୁଏ ନିକଟରେ ରାଜମହଲ ଛକରେ ଯେମିତି ଜନତା ତାତିଥିଲେ ସେମିତି ଗାଁ ଗଣ୍ଡାରେ ମହିଳା ଯେ, ନ ତାତିବେ ତାହା କିଏ କହିବ !

Leave a Reply

Your email address will not be published. Required fields are marked *