ଭାରତୀୟ ‘ସୁପର୍ ରିଚ୍’ ୭୩% ବଢ଼ିବ

ମୁମ୍ବାଇ(ଓଟି): ଆଗାମୀ ୫ ବର୍ଷ ମଧ୍ୟରେ ଭାରତୀୟ ବିତ୍ତଶାଳୀଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟିବ । ବିଗତ ଦିନଗୁଡିକରେ ବିତ୍ତଶାଳୀଙ୍କ ସଂଖ୍ୟା ବୃଦ୍ଧି ପାଇ ଆସିଥିବା ବେଳେ ୫ ବର୍ଷ ମଧ୍ୟରେ ଏହି ସଂଖ୍ୟାରେ ୭୩ ପ୍ରତିଶତ ବୃଦ୍ଧି ଘଟିବ ବୋଲି ଆନ୍ତର୍ଜାତିକ ସଂସ୍ଥା ନାଇଟ୍ ଫ୍ରାଙ୍କ୍ ୱେଲ୍‌ଥ ରିପୋର୍ଟରେ କୁହାଯାଇଛି। ପୂର୍ବ ବର୍ଷଗୁଡିକରେ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଯିବା ସହିତ ଦୁଇ ପ୍ରମୁଖ ଅର୍ଥନୀତି ଆମେରିକା ଏବଂ ଚୀନ୍ ମଧ୍ୟରେ ଶୁଳ୍କ ବ୍ୟବସ୍ଥାକୁ ନେଇ ସୃଷ୍ଟି ହୋଇଥିବା ମତଭେଦ ବିଶ୍ୱ ଅଭିବୃଦ୍ଧି କ୍ଷେତ୍ରକୁ ପ୍ରଭାବିତ କରିଥିଲା। ଏହାବ୍ୟତୀତ ବିଭିନ୍ନ  କାରଣକୁ ନେଇ କେତେକ ରାଷ୍ଟ୍ରମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ଉତ୍ତେଜନାକୁ ନେଇ ମଧ୍ୟ ସ୍ଥିତି ଭିନ୍ନ ରହିଥିଲା। ଏହାସତ୍ତ୍ୱେ ବିଶ୍ୱସ୍ତରରେ ସୁପର୍ ରିଚ୍ ବା ବିତ୍ତଶାଳୀଙ୍କ ସଂଖ୍ୟା ବୃଦ୍ଧିରେ କୌଣସି ପ୍ରଭାବ ପଡ଼ିନାହିଁ ବୋଲି ନାଇଟ୍ ଫ୍ରାଙ୍କ୍ ପକ୍ଷରୁ କୁହାଯାଇଛି। ବିଶେଷକରି ୨୦୧୯ରେ ଭାରତରେ ଆର୍ଥିକ ମାନ୍ଦାବସ୍ଥା ଦେଖାଯିବା ସହିତ ବହୁ ଗୁରୁତ୍ୱପୂର୍ଣ୍ଣ  ଶିଳ୍ପକ୍ଷେତ୍ର ପ୍ରଭାବିତ ହୋଇଥିଲେ ହେଁ ଏହି ବର୍ଷରେ ବିତ୍ତଶାଳୀଙ୍କ  ଭାଗ୍ୟ ତେଜିଆନ୍ ରହିବା ସହିତ ସେମାନଙ୍କ ସଂଖ୍ୟାରେ ୫୧ ପ୍ରତିଶତ ବୃଦ୍ଧି ଘଟିଛି ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି। ପ୍ରାୟ ୩୦ ମିଲିୟନ ଡଲାର ବା ୨୨୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସମ୍ପତ୍ତିର ମାଲିକ ହୋଇଥିବା ବିତ୍ତଶାଳୀଙ୍କୁ ‘ଅଲଟ୍ରା-ହାଇ ନେଟ୍ ୱର୍ଥ ଇଣ୍ଡିଭିଜୁଆଲ୍‌’(ୟୁଏଚ୍‌ଏନ୍‌ଡବ୍ଲ୍ୟୁଆଇ) ଶ୍ରେଣୀଭୁକ୍ତ କରାଯାଇଥିଲା ବେଳେ ୨୦୧୯ରେ ବିଶ୍ୱସ୍ତରରେ ଏହି ଶ୍ରେଣୀର ବ୍ୟକ୍ତିଙ୍କ ସଂଖ୍ୟାରେ ୩୧,୦୦୦ ବୃଦ୍ଧି ଘଟିଛି। ୨୦୧୮ ବର୍ଷ ତୁଳନାରେ ଏଥିରେ ୬.୪ ପ୍ରତିଶତ ବୃଦ୍ଧି ଘଟିଛି । ଭାରତରେ ଏଭଳି ବ୍ୟକ୍ତିଙ୍କ ସଂଖ୍ୟାରେ  ଦ୍ରୁତ ବୃଦ୍ଧି ଘଟି ଚାଲିଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୫୯୮୬ରେ ପହଞ୍ଚିଛି। ତେବେ ଆଗାମୀ ୫ ବର୍ଷ ମଧ୍ୟରେ ଏହା ଦ୍ୱିଗୁଣିତ ହୋଇ ଏହି ସଂଖ୍ୟା ୧୦,୩୫୪ରେ ପହଞ୍ଚିବ ବୋଲି ନାଇଟ୍ ଫ୍ରାଙ୍କ ୱେଲ୍‌ଥ ରିପୋର୍ଟରେ କୁହାଯାଇଛି । ବର୍ତ୍ତମାନ ଭାରତର ଜିଡିପି ଅଭିବୃଦ୍ଧି ହାର ଅପେକ୍ଷାକୃତ ଭାବେ କମ୍ ରହିଥିଲେ ହେଁ ୨୦୨୨ ସୁଦ୍ଧା ଭାରତ ୭ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ। ଏହା ଯୋଗୁଁ ବିତ୍ତଶାଳୀଙ୍କ ସଂଖ୍ୟା ମଧ୍ୟ ଅନୁରୂପ ଭାବେ ବୃଦ୍ଧି ଘଟିବ ବୋଲି କୁହାଯାଇଛି। କେବଳ ସେତିକି ନୁହେଁ, ୨୦୨୪ ସୁଦ୍ଧା ଏସିଆ ବିଶ୍ୱର ଦ୍ୱିତୀୟ ବୃହତ ଅର୍ଥନୀତି ଭାବେ ଉଭା ହେବା ସହିତ ଏହି ମହାଦେଶ ଅନ୍ତର୍ଭୁକ୍ତ ବିଭିନ୍ନ ରାଷ୍ଟ୍ରର ବିତ୍ତଶାଳୀଙ୍କ ସଂଖ୍ୟା ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଇବ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ୧୯୯୧ରେ ଭାରତରେ ଆର୍ଥିକ ଉଦାରୀକରଣ ବ୍ୟବସ୍ଥା ଆରମ୍ଭ ହୋଇଥିଲା ବେଳେ ଇତିମଧ୍ୟରେ ୩୦ ବର୍ଷ ଅତିକ୍ରାନ୍ତ ହୋଇଛି। ଏହି ଉଦାରୀକରଣ ବ୍ୟବସ୍ଥାକୁ ନେଇ ବର୍ତ୍ତମାନ ସୁଦ୍ଧା ଭାରତର ବିଭିନ୍ନ ନିର୍ମାଣ ଏବଂ ସେବା କ୍ଷେତ୍ରରେ ଅନେକ ସଫଳତା ମିଳିବା ସହିତ ବିଶ୍ୱସ୍ତରରେ ଭାରତୀୟ ଅର୍ଥନୀତି ଉଲ୍ଲେଖଜନକ ସ୍ଥିତିରେ ପହଞ୍ଚିପାରିଛି। ବିଶ୍ୱର ୨୦ଟି ପ୍ରମୁଖ  ଅର୍ଥନୈତିକ ପ୍ରଗତିଶୀଳ ରାଷ୍ଟ୍ରାମାନଙ୍କୁ ନେଇ ଉପରୋକ୍ତ ସଂସ୍ଥା ପକ୍ଷରୁ ସ୍ୱତନ୍ତ୍ର ଅଧ୍ୟୟନ କରାଯାଇଥିବା ବେଳେ ଭାରତ ନେତୃତ୍ୱରେ ଏସିଆର ଅଭିବୃଦ୍ଧି ୭୩%, ସ୍ୱିଡେନ୍ ନେତୃତ୍ୱରେ ୟୁରୋପର ୫ଟି ରାଷ୍ଟ୍ରର ଅଭିବୃଦ୍ଧି ୪୭% ଏବଂ ଇଜିପ୍ଟ ନେତୃତ୍ୱରେ ଆଫ୍ରିକା ମହାଦେଶର ଅଭିବୃଦ୍ଧି ୬୬ % ରହିଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *