ସୁଦକ୍ଷ ଭୁତାଣୁ ପ୍ରବକ୍ତାଙ୍କ ଲୁଚକାଳି ଖେଳ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ସରକାରଙ୍କ ଦ୍ଵାରା ଅଧିକୃତ ପ୍ରମୁଖ ଭୁତାଣୁ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀଙ୍କ ଦୀର୍ଘ ଦିନର ଅନୁପସ୍ଥିତି ଓ ହଠାତ ପୁନଃ ଆବିର୍ଭାବ ସର୍ବସାଧାରଣ ତଥା ପ୍ରଶାସନିକ ମହଲରେ କିଛି ଭିନ୍ନ ଭାବ ଇଙ୍ଗିତ କରୁଛି। ତାଙ୍କର ଏହି ପୁନଃଆବିର୍ଭାବରେ ବାସି ସୂଚନା ଓ ଗୁଗୁଲ୍‌-ଉପଲବ୍ଧ ତଥ୍ୟକୁ ନବୀନଙ୍କ ନାଁରେ ବିତରଣ କରିବାର ନାଟକୀୟ ପରମ୍ପରା ପୁଣି ଆରମ୍ଭ ହୋଇଛି।

ଆବିର୍ଭାବର ଠିକ୍‌ ପୂର୍ବରୁ ରାଜ୍ୟର ପ୍ରମୁଖ ଖବରକାଗଜରେ ତାଙ୍କଦ୍ଵାରା ରଚିତ ଏକ ଆଲେଖ୍ୟ ପ୍ରକାଶ ପାଇବା, ମୁଖ୍ୟ ସଚିବ ତଥା ତାଙ୍କ ବନ୍ଧୁ ଅସିତ ତ୍ରିପାଠୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଅଢ଼େଇକୋଟି ଟଙ୍କା ଦାନ କରିବା ଏବଂ କିଛି ନ୍ୟୁଜ୍‌ ପୋର୍ଟାଲ୍‌ରେ ତାଙ୍କର ଅତିରଞ୍ଜିତ ଜୟଗାନ ପ୍ରଭୃତି ଏବେ ସବୁ ମହଲରେ ଗୁଞ୍ଜରଣ ସୃଷ୍ଟି କରିଛି।

ଗୁଗୁଲ୍‌ ଜ୍ଞାନ, ବାସି ସୂଚନା ଓ ନାଟକବାଜୀ

ମାର୍ଚ ମାସରେ ବାର୍ତ୍ତା ପ୍ରଦାନ ପାଇଁ ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷ ଦାୟିତ୍ଵରେ ଥିବା ରାଜ୍ୟ ସରକାରଙ୍କ କ୍ୟାବିନେଟ୍‌ ପାହ୍ୟା ପରାମର୍ଶଦାତା ସୁବ୍ରତୋ ବାଗ୍‌ଚୀଙ୍କର ‘କୋଭିଡ଼୍‌‌ ମୁଖପାତ୍ର’ ଭାବେ ଆବିର୍ଭାବ ହେଲା। ଦୀର୍ଘଦିନ ଧରି ସାଉଁଟିଥିବା ବଜାର-ଚତୁରତା ଓ ନିବେଶକାରୀଙ୍କୁ ଆକର୍ଷଣ କରିବାର ଅଭିଜ୍ଞତା ରଖିଥିବା ବାକ୍‌‌ଚତୁର ଶ୍ରୀ  ବାଗ୍‌ଚୀ ଏହି ମଞ୍ଚ ମାଧ୍ୟମରେ ତଥ୍ୟ କମ୍‌ ଓ ଆତ୍ମପ୍ରଚାର ଅଧିକ ଭିତ୍ତିରେ କାର୍ଯ୍ୟ ନିର୍ବାହ କରିଚାଲିଲେ।  ଡାକ୍ତର ତଥା ଅଭିଜ୍ଞ ସ୍ଵାସ୍ଥ୍ୟସେବା ପ୍ରଶାସନିକ ଅଧିକାରୀମାନେ କୋଭିଡ୍‌ ବାବଦରେ ସାରା ବିଶ୍ଵରେ ଲୋକଙ୍କୁ ସଚେତନ ଓ ସତର୍କ କରାଇବା ପାଇଁ ଅଧିକୃତ ହୋଇଥିବାବେଳେ ଓଡ଼ିଶାରେ କିନ୍ତୁ ତାହାର ବ୍ୟତିକ୍ରମ ହେଲା। ଜଣେ ଅତିଚତୁର ବେପାରି ବ୍ୟକ୍ତି ବରିଷ୍ଠ ଅଧିକାରୀମାନଙ୍କୁ  ନିର୍ଦ୍ଦେଶ ଦେବା ଭଳି କାର୍ଯ୍ୟମାନ କରି ଚାଲିଲେ।  ଏପରିକି ବିଭିନ୍ନ ସରକାରୀ ବୈଠକରେ ଡିଏମ୍‌ଇଟି ଉପସ୍ଥିତ ଥାଇ ମଧ୍ୟ ବାଗ୍‌ଚୀ ନିଜର ଅତି ମାମୁଲି ଗୁଗୁଲ-ଚୋରି  ସୂଚନାକୁ ଉପସ୍ଥାପନ କରି ଦର୍ଶକ ତଥା ଶ୍ରୋତାଙ୍କୁ ବିରକ୍ତ କରିବାକୁ ପଛାଇଲେ ନାହିଁ।

ଏକଦା ପୁରୀ ଗସ୍ତ କରି ଅଧିକାରୀମାନଙ୍କୁ କୋଭିଡ୍‌ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ କେତେ ପ୍ରସ୍ତୁତ ସେ ବିଷୟରେ ଏକ ସମୀକ୍ଷା ବୈଠକ ଡକାଇ ନ୍ୟୁୟର୍କ ସହ ପୁରୀକୁ ତୁଳନା କରିଲେ ଏବଂ ଜିଲ୍ଲା ବରିଷ୍ଠ  ଅଧିକାରୀମାନଙ୍କୁ ଏଣୁତେଣୁ ପ୍ରଶ୍ନ କରିବାରେ ଲାଗିଲେ। ଶେଷରେ ପୁଣିଥରେ ଶ୍ରୀ ବାଗ୍‌ଚୀ ନ୍ୟୁୟର୍କର ମୃତ୍ୟୁ ସଂଖ୍ୟା ପୁରୀରେ ଘଟିବାର ଆଶଙ୍କା ଦର୍ଶାଇଲେ। ପୁରୀରେ କୋଭିଡ଼୍‌ ‌ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଲେ ତାହାକୁ ପରିଚାଳନା କରିବା ଲାଗି ପାରମ୍ପରିକ ଶବଦାହ ନୁହେଁ ଇଲେକ୍ଟ୍ରିକ୍‌ ଶବଦାହ ଚୂଲା‌ର ଜରୁରୀ ଆବଶ୍ୟକତା ବିଷୟ କହିଲେ। ଏଥିଲାଗି ପ୍ରକଳ୍ପ ବାବଦ ନଥି କରି ପଠାଇଲେ ସେ ଅନୁମୋଦନ ଲାଗି ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଥିବା କେତେକଉଚ୍ଚ ପ୍ରଦସ୍ଥ ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି। ଏଭଳିକି ଆରକ୍ଷୀ ମୁଖ୍ୟ ଅନ୍ୟ ଉପାୟ ନପାଇ ତାଙ୍କୁ ଦର୍ଶାଇଥିଲେ ଯେ, ଜୀବନ ବଞ୍ଚାଇବାର ଉଦ୍ୟମ କାର୍ଯ୍ୟରେ ମୃତ୍ୟୁ ଓ ଶବଦାହ କଥାଟି ଚର୍ଚା ନକଲେ ଠିକ୍‌ ହୁଅନ୍ତା।  ସେଇଠି ଶ୍ରୀ ବାଗ୍‌‌ଚୀଙ୍କ ଚେତା ଫେରିଥିଲା ଓ ସେ ନୀରବ ରହିଥିଲେ।

ବାଗ୍‌ଚୀ ଦମ୍ପତ୍ତି ମୁଖ୍ୟ ସଚିବଙ୍କ ହାତରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରୁଛନ୍ତି। (ଫାଇଲ୍‌ ଫଟୋ)

‘ଓଡ଼ିଶାଟାଇମ୍‌’ ରେ ଲଗାତାର ଭାବେ ଶ୍ରୀ ବାଗ୍‌ଚୀଙ୍କ ‘ପୋକା ବାଇଗଣ ଉପାଖ୍ୟାନ’ ଓ  ବାଗ୍‌ଚୀ ଦମ୍ପତ୍ତି କିପରି ସରକାରଙ୍କ ଦ୍ଵାରା ପ୍ରଚଣ୍ଡ ଭାବେ ଅନୁଗୃହୀତ ହୋଇଛନ୍ତି ତାହାକୁ ଦର୍ଶାଯାଇ ରିପୋର୍ଟ ପ୍ରକାଶ ପାଇଥିଲା। କାରଣ ଓଡ଼ିଶା ଗଠନ ହେବାଠୁ ଆଜି ଯାଏ ଯଦି ସରକାରୀ କଳଦ୍ଵାରା କୌଣସି ଦମ୍ପତ୍ତି ସବୁଠାରୁ ଅନୁଗୃହୀତ ହୋଇଥାଆନ୍ତି ତା’ ହେଲେ ସେମାନେ ହେଲେ ଶ୍ରୀମାନ ଓ ଶ୍ରୀମତୀ  ବାଗ୍‌ଚୀ ଦମ୍ପତ୍ତି। ଆଜି ଯାଏ କୌଣସି ଦମ୍ପତ୍ତି ଏକା ସଙ୍ଗେ ରାଜ୍ୟ ସରକାରରେ ମନ୍ତ୍ରୀ ପାହ୍ୟା ପାଇ ନଥିବାବେଳେ ଏବେ ସୁବ୍ରତୋ ବାଗ୍‌ଚୀ କ୍ୟାବିନେଟ୍‌ ପାହ୍ୟା ଏବଂ  ପତ୍ନୀ  ରାଷ୍ଟ୍ରପାହ୍ୟା ମନ୍ତ୍ରୀଙ୍କ ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି।

ଓଡ଼ିଶା ଟାଇମ୍‌ରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ତାହାର ସତ୍ୟତା ଖୋଜାଯାଇ ତାଙ୍କୁ ଏହି ବାସି ସୂଚନା ପ୍ରଦାନ ସମାରୋହରୁ ହଟାଇ ଦିଆଯାଇଥିଲା। ତାଙ୍କର ଅନୁପସ୍ଥିତିରେ କୋଭିଡ଼୍‌‌ ମୁକାବିଲା କାର୍ଯ୍ୟରେ ସଂଶ୍ଳିଷ୍ଟ ପ୍ରମୁଖ ଅଧିକାରୀମାନେ ଚମତ୍କାର ଭାବରେ ଗୁରୁତ୍ଵପୂଣ୍ଣ ସୂଚନା ପ୍ରଦାନ କରିଚାଲିଲେ। ଦର୍ଶକ ଓ ଶ୍ରୋତାମାନେ ବି କହିଲେ ଡାକ୍ତର, ଅଧିକାରୀମାନେ ସରଳ କଥା ସଳଖ ଭାବରେ ବୁଝାଉଛନ୍ତି, ନାଟକବାଜୀ ଓ ଅଯଥା କଥା ନାହିଁ। ଶ୍ରୀ ବାଗ୍‌ଚୀଙ୍କୁ କେହି ଥରୁଟିଏ ଖୋଜିଲେ ନାହିଁ।  ଏଣୁ ଭୁତାଣୁ ପ୍ରବକ୍ତା କୁଆଡ଼େ ଅପସରି ଗଲେ କେହି ଜାଣିବାକୁ ଇଚ୍ଛା କଲେ ନାହିଁ।

ଏଭଳିକି କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନ ଦେବା ଲାଗି ବନ୍ଦେ ଉତ୍କଳ ଜନନୀ ଗାନ ଉତ୍ସବରେ ମଧ୍ୟ ଶ୍ରୀ ବାଗ୍‌ଚୀଙ୍କୁ ଦେଖିବାକୁ ମିଳି ନଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଏହା ଓଡ଼ିଆ ଜାତୀୟତାବୋଧ ଭାବନା ପ୍ରକାଶ ଓ ସେମାନଙ୍କ ସ୍ଵତନ୍ତ୍ରପଣକୁ ଜାହିର କରିବା ଲାଗି ଏକ ବିଶେଷ ଉଦ୍ୟମ ଥିଲା। ଯେଉଁଥିରେ ବିଶ୍ଵର ବିଭିନ୍ନ କୋଣରେ ଥିବା ଓଡ଼ିଆ ସମ୍ମାନଜନକ ଭାବେ ନିଜର ଐକ୍ୟ ପ୍ରଦର୍ଶନ କରି ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ।

କିନ୍ତୁ ସବୁଠି ମୁହଁ ଦେଖାଇବାର ଆଗ୍ରହ ରଖିଥିବା ପ୍ରବକ୍ତା ଅଦୃଶ୍ୟ ହୋଇଯାଇଥିାଲ। ବର୍ତମାନ ଲକ୍‌ଡାଉନ୍‌ ଅବସ୍ଥାରେ ବାଗ୍‌ଚୀ ତ ଭୁବନେଶ୍ଵର ଛାଡ଼ି ରାଜ୍ୟ ବା ଦେଶ ବାହାରକୁ ଯାଇପାରି ନଥିବେ ! ତେବେ ଲୁଚି ରହିଲେ କାହିଁକି ? ଏତେବଡ଼ କରୋନା ଲଢ଼େଇ କାର୍ଯ୍ୟକ୍ରମରେ ପଦୁଟିଏ କହିଲେନି କାହିଁକି ? ଏସବୁ ବିଚିତ୍ର ଅବସ୍ଥାରେ ପୁଣି ଥରେ ମଞ୍ଚ ଉପରେ ଉଭା ହେବା ଦେଖି ଲୋକେ ସ୍ତବ୍ଧ। ଏଠାରେ ସୂଚନା ଦିଆଯାଇପାରେ ଯେ, ତାଙ୍କର ‘ମାଇଣ୍ଡ ଟ୍ରୀ’ ସହିତ ଆଉ କିଛି ମାତ୍ର ସମ୍ପର୍କ ନାହିଁ । ଲାର୍ସେନ୍‌ ଆଣ୍ଡ ଟର୍ବୋ ସଂସ୍ଥା କିଣି ସାରିବା ପରେ ବାଗ୍‌ଚୀଙ୍କୁ ଆଗରୁ ବିଦା କରି ସାରିଛି। ଶ୍ରୀ ଆଉ ଶ୍ରୀମତୀ ବାଗ୍‌ଚୀଙ୍କର ମିଳିତ ଭାବରେ ମାତ୍ର ୪.୬୩ ପ୍ରତିଶତ ଅଂଶଧନ ରହିଛି। ଲାଭ ହେଲେ କିଛି ପାଇବେ, ନହେଲେ ଘରେ ଚୁପ୍‌ଚାପ୍‌ ବସିବେ।

ଓଡ଼ିଶା ପଦବୀରୁ ହଟିଲେ ତାଙ୍କର ସମ୍ମାନୀୟ ସ୍ଥିତି ଆଉ କୋଉଠି ନାହିଁ।   କଳବଳେ କୌଶଳେ ପଦବୀ ମାଡ଼ିବସି ରଖିବାକୁ ହେବ। ସବୁଠାରୁ ବିରକ୍ତିକର କଥାଟି ହେଲା କେହି କେହି ପ୍ରଭାବିତ ବ୍ୟକ୍ତି ଓ ଗଣମାଧ୍ୟମ ନବୀନ ପଟ୍ଟନାୟକଙ୍କ ପରେ ସୁବ୍ରତୋ ବାଗ୍‌ଚୀ ହିଁ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଛନ୍ତି ବୋଲି ଚର୍ଚା କଲେଣି।

ପୁନଃ ଆବିର୍ଭାବ

ଜୁନ୍‌ ୫ ତାରିଖରେ ପ୍ରକାଶିତ ଏକ ଟ୍ବିଟ୍‌ରେ ଶ୍ରୀ ବାଗ୍‌ଚୀ ବଲାଙ୍ଗୀରରେ ସେ ଜନ୍ମ ନେଇଥିବା ସ୍ଥାନ ଭାବେ ଏକ ଭଗ୍ନ ଘରକୁ ଦର୍ଶାଇଛନ୍ତି। ଏହା ସହ ବଲାଙ୍ଗୀରରେ କୋଭିଡ୍‌ ଥଇଥାନ କାର୍ଯ୍ୟ ପାଇଁ ଅଢ଼େଇ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରିଥିବା କହିଛନ୍ତି। ଏହା ପରେ ଗଣମାଧ୍ୟମରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କୁ ବାଗ୍‌ଚୀ ଦମ୍ପତ୍ତି ଚେକ୍‌ ହସ୍ତାନ୍ତର କରୁଥିବାର ଫଟୋ ଦେଖାଯାଇଛି। କିନ୍ତୁ ଏହି ମୋଟା ଅଙ୍କକୁ ବାଗ୍‌ଚୀ ଦମ୍ପତ୍ତି ନିଜ ବ୍ୟକ୍ତିଗତ ସଞ୍ଚିତ ଧନରୁ ବା ଆଉ କେଉଁଠୁ ଆଣି ପ୍ରଦାନ କରିଛନ୍ତି ଅଥବା କୌଣସି ଟ୍ରଷ୍ଟ ପକ୍ଷରୁ ଦେଉଛନ୍ତି ତାହା ସ୍ପଷ୍ଟ  ହୋଇନି। ଅନ୍ୟପକ୍ଷରେ ଦୀର୍ଘ ୪ ମାସ ହେଲା ଭୁତାଣୁ ପ୍ରବକ୍ତା କାର୍ଯ୍ୟ ତୁଲାଉଥିବା ବାଗ୍‌ଚୀଙ୍କ ପୂର୍ବରୁ ଏପରି ମହନୀୟ ଉଦ୍ଦେଶ୍ୟ କେବେ ସାମ୍ନାକୁ ଆସି ନଥିଲା । ଏବେ ହଠାତ କାହିଁକି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଏତେ ବଡ଼ ପରିମାଣ ଦାନ ପାଇଁ ସେ ଆଗଭର ହେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଆଗରୁ ଫୋନି ବିପର୍ଯ୍ୟୟ ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ ସେତେବେଳେ କୌଣସି ଆଞ୍ଚଳିକବାଦକୁ ପ୍ରଶ୍ରୟ ଦେଇ ନଥିଲେ। ଏବେ   ସେ  ‘ବଲାଙ୍ଗୀର’ କାର୍ଡ ଖେଳି ଥିବାରୁ ଆଗକୁ ପ୍ରତ୍ୟକ୍ଷ ଓଡ଼ିଶା ରାଜନୀତିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ହେବେ ବୋଲି ଗୁଜବ ଉଡ଼ୁଛି।


ଦୀର୍ଘ ସମୟ ଧରି ଦକ୍ଷତା ବିକାଶ ଲାଗି ନିୟୋଜିତ  ବାଗ୍‌ଚୀ ଏବେ ତାଙ୍କର ପାରିଲାପଣିଆ ପ୍ରମାଣିତ କରିବା ବେଳ ଆସିଛି। କାରଣ ଏବେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ କରୋନା ଭୟରେ ଓଡ଼ିଶା ଫେରିଛନ୍ତି। ସେମାନଙ୍କୁ ସ୍ଵତନ୍ତ୍ର ଦକ୍ଷତା ଦେଇ ଜୀବୀକା ପାଇଁ ସୁଯୋଗ ସୃଷ୍ଟି କରିବା ତାଙ୍କର ମୁଖ୍ୟ ଦାୟିତ୍ଵ। ସେହି ମୁଳ କାମରୁ ଦୂରେଇ ଯାଇ କରୋନା କ୍ଷେତ୍ରରେ କାହିଁକି ସମୟ ନଷ୍ଟ କରୁଛନ୍ତି ବୋଲି ଲୋକେ ବିବ୍ରତ। ଆଉ କେହି କୁହନ୍ତି ଯେ କରୋନା ଭୁତାଣୁ ପ୍ରବକ୍ତା ଜଣେ ଆତ୍ମପ୍ରଚାର-ପାଗଳ ବ୍ୟକ୍ତି। କୁଆଡ଼େ ଇତିମଧ୍ୟରେ ସେ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ଭିଡିଓ  ପ୍ରସ୍ତୁତି କରି ୟୁଟ୍ୟୁବ୍‌ରେ ଥୋଉଛନ୍ତି। ଉଦ୍ଦେଶ୍ୟ କେବଳ ଆତ୍ମପ୍ରଚାର ଛଡ଼ା ଆଉ କିଛି ହୋଇ ନପାରେ।   ମାଇଣ୍ଡ ଟ୍ରୀ ତ ହାତରୁ ଯାଇଛି, ବେଶୀ ଲୋଭ କଲେ ଓଡ଼ିଶା ପଦବୀ ମଧ୍ୟ ଯିବ। ଭୁତାଣୁ ପ୍ରବକ୍ତା ଆତ୍ମପ୍ରଚାରରୁ ଟିକିଏ କ୍ଷାନ୍ତ ରୁହନ୍ତୁ। ଲୋକେ ତାଙ୍କୁ ମୁଣ୍ଡେଇବେ ଯଦି କେବଳ ଗରିବ ଖଟିଖିଆଙ୍କ ପାଇଁ ସତରେ ହୃଦୟ ଥିବ!

Leave a Reply

Your email address will not be published. Required fields are marked *