କରୋନାରେ ମଲେ ପରିବାର ଲୋକଙ୍କୁ ମିଳିବ ଚାରି ଲକ୍ଷ, ଘୋଷଣା କଲେ ଏହି ରାଜ୍ୟ ସରକାର

ପାଟଣା, (ଓଡିଶା ଟାଇମ୍): କରୋନା ଯୋଗୁଁ ମୃତ୍ୟୁ ଘଟିଥିବା ଲୋକଙ୍କ ପରିଜନଙ୍କୁ ଅନୁକମ୍ପାମୂଳକ ରାଶି ଭାବେ ମିଳିବ ଚାରି ଲକ୍ଷ ଟଙ୍କା। ଏହି ରାଶି ବିପର୍ଯ୍ୟୟ ପ୍ରବନ୍ଧନ ବିଭାଗ ପକ୍ଷରୁ ଦିଆଯିବ। ସ୍ଵାସ୍ଥ୍ୟ ବିଭାଗର ପ୍ରସ୍ତାବ ପରେ ବିପର୍ଯ୍ୟୟ ପ୍ରଶମନ ବିଭାଗ ଏହାର ଅଧିସୂଚନା ଜାରି କରିଛନ୍ତି। ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ବିହାର ବାହାରେ ମରିଥିବା ରାଜ୍ୟବାସୀଙ୍କ ପରିଜନଙ୍କୁ ଏହି ଲାଭ ମିଳିବ ନାହିଁ। ରାଜ୍ୟ ସରକାର ଏହି ସୁବିଧା ସେହି ରାଜ୍ୟବାସୀଙ୍କୁ ମଧ୍ୟ ଦେବେ ଯାହାଙ୍କ ମୃତ୍ୟୁ ବିହାରରେ କରୋନା ଯୋଗୁଁ ଘଟିଛି।

କରୋନାରେ ମୃତ୍ୟୁ ପରେ ଅନୁକମ୍ପାମୂଳକ ରାଶିକୁ ନେଇ ମଙ୍ଗଳବାର ବିପର୍ଯ୍ୟୟ ପ୍ରଶମନ ବିଭାଗ ସ୍ଥିତି ସ୍ପଷ୍ଟ କରିଛନ୍ତି। ବିଭାଗ କହିଛି, ରାଜ୍ୟ ଭିତରେ ମରୁଥିବା ସେହି ଲୋକଙ୍କ ପରିଜନଙ୍କୁ ଚାରି ଲକ୍ଷ ଟଙ୍କା ଦିଆଯିବ, ଯେଉଁମାନେ ରାଜ୍ୟବାସୀ ହୋଇଥିବେ। ଯଦି ସେ ବିହାରର ଲୋକ ହୋଇଥିବେ କିନ୍ତୁ କରୋନାରେ ତାଙ୍କ ମୃତ୍ୟୁ ଅନ୍ୟ ରାଜ୍ୟରେ ହେଲେ, ସେମାନଙ୍କର ପରିଜନଙ୍କୁ ଚାରି ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ମିଳିବ ନାହିଁ।

ଏହା ପୂର୍ବରୁ ପୂରା ବ୍ୟବସ୍ଥାକୁ ନେଇ ଜାରି ଗାଇଡ୍‌ଲାଇନ୍‌ରେ ବିପର୍ଯ୍ୟୟ ପ୍ରବନ୍ଧନ ବିଭାଗ ଉପ ମୁଖ ସଚିବ କହିଛନ୍ତି, ରାଜ୍ୟ ସରକାର ଆରମ୍ଭରୁ କରୋନାରେ ମୃତ୍ୟୁ ଘଟିଥିବା ଲୋକଙ୍କ ପରିଜନଙ୍କ ପାଇଁ ଏହି ବ୍ୟବସ୍ଥା କରିଛନ୍ତି। ଅନୁକମ୍ପାମୂଳକ ରାଶି ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଡିରୁ ଦିଆଯାଉଛି। ମାତ୍ର କୋଭିଡ୍-୧୯ ମହାମାରୀକୁ କେନ୍ଦ୍ର ସରକାର ବିପର୍ଯ୍ୟୟ ବିଭାଗରେ ସାମିଲ୍ କରିଛନ୍ତି। ତେଣୁ ଏବେ ବ୍ୟବସ୍ଥା ଆଧାରରେ ମିଳୁଥିବା ଅନୁକମ୍ପାମୂଳକ ରାଶି ବିପର୍ଯ୍ୟୟ ପ୍ରବନ୍ଧନ ବିଭାଗରୁ ଦିଆଯିବ। ଏହି  ବ୍ୟବସ୍ଥା ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲାଗୁ ରହିବ।

Leave a Reply

Your email address will not be published. Required fields are marked *