Skip to content
Post Views: 131
ରାଉରକେଲା, (ଓଡିଶା ଟାଇମ୍) : କଣ୍ଟେନମେଣ୍ଟ ଜୋନ୍ ଉଠାଇବା ଦାବିରେ ତାତିଲେ ଲୋକେ । କିଛି ଅଂଚଳରୁ ବଫର ଜୋନ୍ ଉଠିବା ପରେ ତାତିଲେ ଅନ୍ୟ ଅଚଂଳର ଲୋକେ । ମାସେ ପରେ ମଧୁସୂଦନ ଛକରୁ ଏବି ଲେନ୍ରୁ ବଫର ଜୋନ୍ ଉଠିଛି । ପାୱାର ହାଉସ୍ ରୋଡ୍ରୁ ଜନତା ନିବାସ ଗଳି ଯାଏଁ ବଫର ଜୋନ୍ ଉଠିଛି । ରାଉରକେଲା ମୁଖ୍ୟ ରାସ୍ତା ଉପରେ ପଥରମାଡ଼ କରି ପୁଲିସ ସହ ଧସ୍ତାଧସ୍ତି କରିଛନ୍ତି ସ୍ଥାନୀୟ ଲୋକେ । ରାଉରକେଲଶ ପ୍ଲାଣ୍ଟ ସାଇଟ୍ ଥାନା ପାଖରେ ଏହି ବିକ୍ଷୋଭ ହୋଇଛି । ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ନିଆଁ ଲଗାଇବା ସହ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି ।
ସୂଚନାଅନୁସାରେ, ରାଉରକେଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ବଫର ଜୋନ ଭାବେ ଗତ ମାସ ୨୬ ତାରିଖରେ ଘୋଷଣା କରାଯାଇ ବିଭିନ୍ନ କଟକଣା ଲଗାଯାଇଥିଲା । ଏକ ମାସ ପରେ ଆଜି ବଫର ଜୋନରୁ ସମସ୍ତ କଟକଣା ପ୍ରତ୍ୟାହାର କରିନିଆଯାଇଛି। ସେପଟେ କଣ୍ଟେନମେଣ୍ଟ ହଟାଇବାକୁ ସ୍ଥାନୀୟ ଲୋକ ଦାବି କରି ମୁଖ୍ୟ ରାସ୍ତାରେ ପାଟିତୁଣ୍ଡ କରିବାରୁ ଉତ୍ତେଜନା ପ୍ରକାଶ ପାଇଛି ।
ସମସ୍ତ ଅଞ୍ଚଳରେ ପଜିଟିଭ କେଶ ବାହାରିଥିବାରୁ ଏବଂ ତଦନୁଯାୟୀ ଯଥେଷ୍ଟ ସଂଖ୍ୟକ ଲୋକମାନଙ୍କର ସ୍ୱାବ ପରୀକ୍ଷା ହୋଇପାରିନଥିବାରୁ କଣ୍ଟେନମେଣ୍ଟ ଆଦେଶ ବର୍ତ୍ତମାନ ପାଇଁ ବଳବତ୍ତର ରଖିବାକୁ ସ୍ଥିର କରାଯାଇଛି। ଦୀର୍ଘ ୧ ମାସ ଧରି ସମ୍ପୃକ୍ତ ଅଞ୍ଚଳର ଲୋକେ ପ୍ରଶାସନକୁ ସହଯୋଗ କରିଛନ୍ତି। ପ୍ରଶାସନ ବି ସବୁବେଳେ ଲୋକଙ୍କ ସୁବିଧା ଲାଗି ବିଭିନ୍ନ ପଦକ୍ଷେପ ନେଇଛି। ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ହେଉ ଅବା ସ୍ୱାସ୍ଥ୍ୟ ସେବା କିମ୍ବା ସମ୍ପୃକ୍ତ ଅଞ୍ଚଳରେ ଫସି ରହିଥିବା ଅତ୍ୟାବଶକୀୟ ଜିନିଷ ପତ୍ର ସେଠାରୁ ବାହାର କରିବା ହେଉ ସବୁ କ୍ଷେତ୍ରରେ ମହାନଗର ନିଗମ ପ୍ରଶାସନ ଏକ ପ୍ରକୃତ ବନ୍ଧୁ ଭଳି ଲୋକଙ୍କ ସହ ଛିଡ଼ା ହୋଇଛି ।