ଆଫଗାନିସ୍ତାନରେ ସରକାର ଗଠନ କରିବ ତାଲିବାନ: ଆଫଗାନି ମହିଳାଙ୍କୁ କରିବ ସାମିଲ
କାବୁଲ, (ଓଡିଶା ଟାଇମ୍): ତାଲିବାନ ଆଫଗାନିସ୍ତାନରେ କବଜା କରିବା ପରେ ସେଠାରେ ସରକାର ଗଠନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ସରକାରୀ କର୍ମଚାରୀଙ୍କୁ କ୍ଷମା କରିବା ସହ କାମକୁ ଫେରିବାକୁ ନିର୍ଦ୍ଦେଶ ଦେବା ପରେ ତାଲିବାନ ଆଉ ଏକ ବଡ ଘୋଷଣା କରିଛି। ତାଲିବାନ କହିଛି ଯେ ଆଫଗାନିସ୍ତାନରେ ଇସ୍ଲାମିକ ସରକାର ଗଠନ ହେବ। ଏଥିରେ ମହିଳାମାନଙ୍କୁ ମଧ୍ୟ ସାମିଲ କରାଯିବ। ତାଲିବାନ କହିଛି ମହିଳାଙ୍କ ବିରୋଧରେ ହିଂସା ରୋକିବା ଏହାର ଉଦ୍ଦେଶ୍ୟ।
ଇସ୍ଲାମୀ ଅମିରାତ ସଂସ୍କୃତି ଆୟୁକ୍ତର ସଦସ୍ୟ ଇନାମୁଲ୍ଲାହ ସମନଗନୀ ମଙ୍ଗଳବାର ଦିନ ଆଫଗାନିସ୍ତାନର ସରକାରୀ ଟିଭିରେ ବୟାନ ଦେଇଛନ୍ତି। ସେ କହିଛନ୍ତି, ଆଫଗାନିସ୍ତାନ ବର୍ତ୍ତମାନ ତାଲିବାନ କବଜାରେ ଅଛି। ଇସ୍ଲାମୀ ଅମିରାତ ଚାହୁଁନି ଯେ ମହିଳାମାନେ ପୀଡିତ ହୁଅନ୍ତୁ। ତାଲିବାନ ଆଫଗାନିସ୍ତାନ ପାଇଁ ଇସ୍ଲାମୀ ଅମିରାତ ଶବ୍ଦ ବ୍ୟବହାର କରିଥାଏ।
ସମନଗନୀ କହିଛନ୍ତି, ‘ସରକାର ଢାଞ୍ଚା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ, କିନ୍ତୁ ଆମ ଅଭିଜ୍ଞତା ଆଧାରରେ ଏଥିରେ ପୂର୍ଣ୍ଣ ଇସ୍ଲାମୀ ନେତୃତ୍ୱ ହେବା ଉଚିତ ଏବଂ ଏଥିରେ ସବୁ ପକ୍ଷକୁ ସାମିଲ କରିବା ଉଚିତ। ବର୍ତ୍ତମାନ ସରକାର ଗଠନ ପାଇଁ ଏଜେଣ୍ଡା ପ୍ରସ୍ତୁତ କରାଯାଉଛି। ଖୁବ ଶୀଘ୍ର ପ୍ରସ୍ତାବ ଘୋଷଣା କରାଯିବ।’
ତାଲିବାନ ମଙ୍ଗଳବାର ଦିନ ସମସ୍ତ ସରକାରୀ କର୍ମଚାରୀଙ୍କୁ କ୍ଷମା ପ୍ରାର୍ଥନା ଦେବାକୁ ଘୋଷଣା କରିଛି। ତାଲିବାନ ବୟାନରେ କହିଛି, ସମସ୍ତଙ୍କ ପାଇଁ କ୍ଷମା ପ୍ରାର୍ଥନା ଘୋଷଣା କରାଯାଉଛି। ଆପଣମାନେ ନିଜର ଦୈନନ୍ଦିନ ଜୀବନ ସମ୍ପୂର୍ଣ୍ଣ ବିଶ୍ୱାସର ସହ ଆରମ୍ଭ କରିପାରିବେ। କୌଣସି ସରକାରୀ କର୍ମଚାରୀଙ୍କୁ ଡରିବା ଦରକାର ନାହିଁ। ଆପଣମାନଙ୍କର କେହି କିଛି କ୍ଷତି କରିବେନି। ସମସ୍ତେ କାମକୁ ଫେରି ଆସନ୍ତୁ, କାହାକୁ କିଛି କୁହାଯିବନି।’
ମହିଳାଙ୍କ ପାଇଁ ତାଲିବାନ ଏହିସବୁ ନିୟମ ଲାଗୁ କରିଛି :
୧. ବିନା ବୁର୍ଖାରେ ମହିଳାମାନେ ବାହାରକୁ ବାହାରି ପାରିବେ ନାହିଁ। ମହିଳାଙ୍କ ସହ ଜଣେ ପୁରୁଷ ସମ୍ପର୍କୀୟ ଉପସ୍ଥିତ ରହିବା ଆବଶ୍ୟକ।
୨. ମହିଳାମାନଙ୍କୁ ଘରର ବାଲକନିକୁ ବାହାରିବାକୁ ଅନୁମତି ନାହିଁ।
୩. ମହିଳାମାନେ ଯେମିତି ରାସ୍ତାରୁ କୌଣସି କୋଠା ଭିତରକୁ ନ ଦେଖନ୍ତି ସେଥିପାଇଁ କୋଠାଗୁଡିକର ଗ୍ରାଉଣ୍ଡ ଫ୍ଲୋର ଓ ଫାଷ୍ଟ ଫ୍ଲୋରର ସବୁ ଝରକାର କାଚକୁ ରଙ୍ଗ କରିଦିଆଯାଇଛି ଓ ପରଦା ଲଗାଯାଇଛି।
୪. ମହିଳାଙ୍କୁ ହାଇ ହିଲ ଜୋତା ପିନ୍ଧିବାକୁ ଅନୁମତି ନାହିଁ। ମେକଅପ କରିବାକୁ ବି ଅନୁମତି ନାହିଁ। ବଡ ପାଟିରେ ହସି ପାରିବେନି କିମ୍ବା କଥା ବି ହୋଇପାରିବେନି।