ସୁଶାନ୍ତ ମୃତ୍ୟୁ ମାମଲାର ବଡ଼ ଖୁଲାସା, ଏମ୍ସ କହିଲା- ହତ୍ୟା ନୁହେଁ, ସୁଶାନ୍ତ କରିଥିଲେ ଆତ୍ମହତ୍ୟା

ମୁମ୍ବାଇ, (ଓଡିଶା ଟାଇମ୍) :ତିନି ମାସ ହେଲାଣି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏହି ଦୁନିଆରୁ ବିଦାୟ ନେଇ ସାରିଥିଲେ ମଧ୍ୟ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ଏ ପର୍ଯ୍ୟନ୍ତ ପରଦା ହଟିପାରି ନାହିଁ। ତାଙ୍କୁ ହତ୍ୟା କରାଯାଇଥିଲା ନା ସେ ଆତ୍ମହତ୍ୟା କରିଥିଲେ, ଏ ନେଇ ଦେଶର ତିନୋଟି ବୃହତ ଅନୁସନ୍ଧାନକାରୀ ସଂସ୍ଥା ତଦନ୍ତ କରୁଥିଲେ ମଧ୍ୟ ପ୍ରକୃତ କଥା ସାମ୍ନାକୁ ଆସିପାରି ନାହିଁ। ଏ ମଧ୍ୟରେ ସୁଶାନ୍ତଙ୍କ ଫରେନସିକ୍ ରିପୋର୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରିପୋର୍ଟରେ ସୁଶାନ୍ତଙ୍କୁ ହତ୍ୟା କରାଯାଇନଥିବା ବିଷୟରେ ଦର୍ଶାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ, ଯେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଛି ତାହା ଦର୍ଶାଉଛି ଯେ, ସୁଶାନ୍ତଙ୍କୁ ହତ୍ୟା ଉଦ୍ୟମ କରାଯାଇ ନାହିଁ, ସେ ଆତ୍ମହତ୍ୟା କରିଛନ୍ତି। ସୋମବାର ଏମ୍ସ ମେଡିକାଲ୍ ବୋର୍ଡ ଏହାର ଅନୁସନ୍ଧାନ ରିପୋର୍ଟକୁ କୁପର ହସ୍ପିଟାଲ୍ ଦ୍ୱାରା ଦିଆଯାଇଥିବା ତଥ୍ୟ ସହିତ ସିବିଆଇ ସହ ସେୟାର କରିଥିଲା।

ଏମ୍ସର ରିପୋର୍ଟ ପାଇବା ପରେ, ଆତ୍ମହତ୍ୟାକୁ ଦୃଷ୍ଟିରେ ରଖି ସିବିଆଇ ବର୍ତ୍ତମାନ ଏହି ମାମଲାର ତଦନ୍ତ କରିବ। ଯଦି ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି, ତେବେ ଏହାର କାରଣ କ’ଣ ଥିଲା? ତାଙ୍କୁ ଆତ୍ମହତ୍ୟା କରିବାକୁ କେହି ପ୍ରବର୍ତ୍ତାଇଥିଲେ କି? ଏବେ ଏହି ପ୍ରଶ୍ନର ଉତ୍ତର ଖୋଜିବ ସିବିଆଇ।

ସୂଚନାଯୋଗ୍ୟ ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ନେଇ ପରିବାର ସମେତ ଅନେକ ଲୋକ ସିବିଆଇ ତଦନ୍ତ ଦାବି କରିଥିଲେ। ଜୁନ୍ ୧୪ରେ ସୁଶାନ୍ତଙ୍କ ବାନ୍ଦ୍ରା ସ୍ଥିତ ବାସଭବନରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇ ଥିଲା। ଏହା ପରେ ସୁଶାନ୍ତଙ୍କ ପରିବାର ଲୋକଙ୍କ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତୀଙ୍କ ଉପରେ ଆତ୍ମହତ୍ୟା କରିବାକୁ ଉସକାଇଥିବା ଅଭିଯୋଗ ଆଣି ଥିଲେ। ତେବେ ଏବେ ଡ୍ରଗ୍ସ ମାମଲାରେ ରିୟା ଜେଲରେ ଅଛନ୍ତି।

Leave a Reply

Your email address will not be published. Required fields are marked *