ସୁପ୍ରିମକୋର୍ଟରୁ ପରମବୀରଙ୍କୁ ଆଶ୍ୱସ୍ତି; ଗିରଫ ଉପରେ କଟକଣା
ମୁମ୍ବାଇ, (ଓଡିଶା ଟାଇମ୍):ମୁମ୍ୱାଇ ପୋଲିସ୍ର ପୂର୍ବତନ କମିଶନର୍ ପରମବୀର ସିଂହ ଦେଶରୁ ଲୁଚି ପଳାୟନ କରିନାହାନ୍ତି । ସୋମବାର ତାଙ୍କ ଓକିଲ ସୁପ୍ରିମ୍କୋର୍ଟରେ ପ୍ରକାଶ କରିଛନ୍ତି । ଓକିଲ ସୁପ୍ରିମ୍କୋର୍ଟକୁ ଏନେଇ କହିଛନ୍ତି ଯେ, ପରମବୀର ସିଂହ ଭାରତରେ ହିଁ ଅଛନ୍ତି ଏବଂ ମୁମ୍ବାଇ ପୋଲିସ ଠାରୁ ଜୀବନ ପ୍ରତି ବିପଦ ଥିବାରୁ ସେ ଆଗକୁ ଆସୁନାହାଁନ୍ତି । ପରମବୀର ୪୮ ଘଣ୍ଟା ମଧ୍ୟରେ କୌଣସି ସିବିଆଇ ଅଧିକାରୀ କିମ୍ବା କୋର୍ଟରେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି। ସୁପ୍ରିମ୍କୋର୍ଟ ତାଙ୍କ ଗିରଫଦାରୀକୁ ବର୍ତ୍ତମାନ ରୋକ ଲଗାଇଥିବା ବେଳେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୬ ତାରିଖରେ ହେବା ପାଇଁ ସ୍ଥିର କରିଛନ୍ତି ।
ଓକିଲ ପୁନୀତ ବାଲି ପରମବୀର ସିଂହଙ୍କ ସହ ତାଙ୍କର କଥାବାର୍ତ୍ତା ହୋଇଥିବା କୋର୍ଟଙ୍କୁ କହିଛନ୍ତି। ସୁପ୍ରିମକୋର୍ଟରେ ପରବର୍ତ୍ତୀ ଶୁଣାଣି ଡିସେମ୍ବର ୬ରେ ହେବ। ଏହି ଘଟଣାରେ ଆବେଦନକାରୀ ଅଂଶଗ୍ରହଣ କରିବା ଉଚିତ ବୋଲି କୋର୍ଟ କହିଛନ୍ତି। ପରମବୀର ସିଂହଙ୍କ ବିରୋଧରେ ୬ଟି ଏଫ୍ଆଇଆର୍ ରେଜିଷ୍ଟର ହୋଇଛି । ବର୍ତ୍ତମାନ ଏହି ସବୁ ମାମଲାରେ ପରମବୀର ସିଂହଙ୍କ ଗିରଫଦାରୀକୁ କୋର୍ଟ ସ୍ଥଗିତ ରଖିଛନ୍ତି।
ତେବେ କହିରଖୁଛୁ ଯେ, ପରମବୀର ସିଂହ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ନେଇ ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ସଚିନ ବାଝେଙ୍କୁ ୧୦୦ କୋଟି ଟଙ୍କାର ବଟି ଆଦାୟ କରିବା ପାଇଁ ଦେଶମୁଖ ଟାର୍ଗେଟ ଦେଇଥିଲେ ବୋଲି ପରମବୀର ଅଭିଯୋଗ କରିଥିଲେ। ଏହାକୁ ନେଇ ସେ ଚିଠି ଲେଖିଥିଲେ। ଏହା ପରେ ବିବାଦ ଉପୁଜିଥିଲା। ମୁମ୍ବାଇ କ୍ରାଇମବ୍ରାଞ୍ଚ ଏହି ବଟି ଆଦାୟ ମାମଲାର ଯାଞ୍ଚ କରୁଛି। ଏହି ମାମଲାରେ ଛୋଟା ଶକିଲର ନିକଟତର ରିୟାଜ ଭାଟି ମଧ୍ୟ ଅଭିଯୁକ୍ତ ଏବଂ ସେ ଏବେ ଗାଏବ ରହିଛି । ପୋଲିସ ଏବେ ତାକୁ ଖୋଜିବାକୁ ପ୍ରଚେଷ୍ଟା ଜାରି ରଖିଛି ।