ସୁନାବେଶ କେବେଠୁ ଆରମ୍ଭ ହେଲା, କେଉଁ ଦିଅଁ ପିନ୍ଧନ୍ତି କ’ଣ

ସୁନାବେଶକୁ ସବୁଠାରୁ ଆକର୍ଷଣୀୟ ବେଶ ବୋଲି କୁହାଯାଏ। ଏହା ରାଜାଧିରାଜ ବେଶ ଭାବେ ମଧ୍ୟ ପରିଚିତ। ବିଧି ଅନୁସାରେ ଶ୍ରୀ ଜଗନ୍ନାଥଙ୍କର ବର୍ଷକୁ ୫ ଥର ସୁନାବେଶ ଅନୁଷ୍ଠିତ ହୁଏ। କିନ୍ତୁ ରଥ ଉପରେ ବର୍ଷକୁ ଥରେ ଏହି ବେଶ ହୁଏ ବାହୁଡ଼ା ଏକାଦଶୀରେ। ଏବର୍ଷ କିନ୍ତୁ ଦଶମୀ ଓ ଏକାଦଶୀ ତିଥି ଗୋଟିଏ ଦିନ ହେଉଥିବାରୁ ପଣ୍ଡିତଙ୍କ ପରାମର୍ଶ ଓ ବିଚାର ଅନୁସାରେ ତାହାକୁ ଗୋଟିଏ ଦିନ ଘୁଞ୍ଚାଯାଇଛି।

କେବେଠୁ ଆରମ୍ଭ ହେଲା ସୁନାବେଶ

ଶ୍ରୀ ଜିଉଙ୍କ ସୁନାବେଶ ଅନେକ ପୁରୁଣା। ‘ନୀତିସ୍ଵତ୍ତ୍ଵ’ ବା ରେକର୍ଡ଼ ଅଫ୍‌ ରାଇଟ୍ସ ଅନୁସାରେ ଏହି ବେଶକୁ ପରିଚାଳନା କରାଯାଇଥାଏ। ଶ୍ରୀଜିଉଙ୍କ ସୁନା ଅଳଙ୍କାରକୁ ଭିତର ଭଣ୍ଡାରଘରୁ ସମ୍ପୃକ୍ତ ସେବକଙ୍କ ଦ୍ଵାରା ବାହାରକୁ କଢ଼ାଯାଏ। ଏ ଭିତରେ ଠାକୁରଙ୍କ ହାତ, ଗୋଡ଼, ସେମାନେ ଧରୁଥିବା ବିଭିନ୍ନ ଅସ୍ତ୍ର ଓ ପିନ୍ଧୁଥିବା ଅଳଙ୍କାର ଯେମିତି କିରଟି, ଗହଣା, ଅଣ୍ଟାପଟି ପ୍ରଭୃତି ସାମିଲ ରହିଛି। ପାଖାପାଖି ୧୫୦ ପ୍ରକାରର ଗହଣା ଶ୍ରୀଜିଉଙ୍କୁ ଲଗାଯାଏ। ଏହି ବେଶ ପରମ୍ପରା କପିଳେନ୍ଦ୍ର ଦେବଙ୍କ ସମୟରୁ ଆରମ୍ଭ ହୋଇଥିବା ବିଶ୍ଵାସ କରାଯାଏ । ଶ୍ରୀ ଜିଉଙ୍କୁ ରାଜ୍ୟ ସମର୍ପଣର ଏହା ଏକ ନମୁନା ଥିଲା। ସେତେବେଳେ ଦାକ୍ଷିଣାତ୍ୟ ବିଜୟ କରିଥିଲେ କପିଳେନ୍ଦ୍ର। ସେଠାରୁ ଆଣିଥିବା ସୁନାକୁ ଠାକୁରଙ୍କୁ ଅର୍ପଣ କରି ଅଳଙ୍କାର ତିଆରୀି ନିମନ୍ତେ ଆଦେଶ ଦେଇଥିଲେ।

ନଜର ପକାନ୍ତୁ କିଏ କ’ଣ ପିନ୍ଧନ୍ତି:

୧୩୮ ପ୍ରକାର ଅଳଙ୍କାର

ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କୁ ୧୩୮ ପ୍ରକାର ଗହଣା ଲାଗି କରାଯାଏ। ଯାହାର ଓଜନ ୨୩୮ କିଲୋ ବୋଲି କୁହାଯାଏ। କିନ୍ତୁ ଏବେ ଏସମସ୍ତ ଗହଣା ଲାଗି କରାଯାଉ ନାହିଁ। ୨୦/୩୦ ପ୍ରକାର ଗହଣାରେ ଠାକୁର ଅତ୍ୟନ୍ତ ସୁନ୍ଦର ଦିଶନ୍ତି।

ଶ୍ରୀମନ୍ଦିରରୁ ଅଳଙ୍କାର ନିଆଯାଉଛି। ଫାଇଲ୍‌ ଫଟୋ

ଶ୍ରୀ ଜଗନ୍ନାଥଙ୍କ ସୁବଣ୍ଣ ହାତ ଓ ପୟର ( ପାଦ)ର ଓଜନ ୮୧୮ ତୋଳା ଅର୍ଥାତ୍‌ ପାଖାପାଖି ୯ କିଲୋ ୨୫୦ ଗ୍ରାମ ଠିକ୍‌ ସେହିପରି ବଳଭଦ୍ରଙ୍କ ହାତ ଓ ପୟରର ଓଜନ ହେଉଛି ୭୧୦ ତୋଳା ବା ୮ କିଲୋରୁ ଅଧିକ। ଜଗନ୍ନାଥଙ୍କ ମୁକୁଟ ଯାହା ମସ୍ତକରେ ବନ୍ଧା ଯାଏ ତାହାର ଓଜନ ପାଖାପାଖି ୬୧୦ ତୋଳା ବା ୭ କିଲୋ ହୋଇଥିବାବେଳେ ବଳଭଦ୍ରଙ୍କ ମୁକୁଟର ଓଜନ ୪୩୪ ତୋଳା ଏବଂ ଶୁଭଦ୍ରାଙ୍କ ମୁକୁଟର ଓଜନ ପାଖାପାଖି ୨୭୪ ତୋଳା। ଗୋଟିଏ ତୋଳା ଏବେ ପାଖାପାଖି ୧୧.୩୩ ଗ୍ରାମ ହୋଇଥିବାରୁ ବଳଭଦ୍ରଙ୍କ କିରଟିର ଓଜନ ପାଖାପାଖି ୫ କିଲୋ ଏବଂ ଶୁଭଦ୍ରାଙ୍କ କିରଟିର ଓଜନ ପାଖାପାଖି ସାଢ଼େ ତିନିକିଲୋ ହେବ।

ମସ୍ତକରେ ଲାଗିବାକୁ ଥିବା ମୁକୁଟକୁ ନିଆଯାଉଛି

କ’ଣସବୁ ପିନ୍ଧନ୍ତି

କେବଳ ମୁକୁଟ, ହସ୍ତ, ପୟରରେ ଶେଷ ହୁଏ ନାହିଁ ତାଲିକା। ଅଳଙ୍କାର ତାଲିକାରେ ରହିଛି: ମୟୂରଚନ୍ଦ୍ରିକା। ଯେମିତି ଶ୍ରୀକୃଷ୍ଣ ପିନ୍ଧନ୍ତି, ଠିକ୍‌ ସେମିତି। କୁଣ୍ଡଳ, ରାହୁରେଖା, ବିଭିନ୍ନ ପ୍ରକାର ମାଳା ଯେମିତି ପଦ୍ମମାଳ, ସେବତି ମାଳ, ଅଗସ୍ତି ମାଳ, କଦମ୍ବ ମାଳ, ମୟୁର ମାଳ, ଚମ୍ପା ମାଳ ପ୍ରଭୃତି। କିନ୍ତୁ ଏସବୁ ସୁନାରେ ତିଆରି।

ହଁ ଜଗନ୍ନାଥଙ୍କ ଅସ୍ତ୍ର ଥାଏ ଶଙ୍ଖ,ଚକ୍ର. ଗଦା, ପଦ୍ମ। ଏହାକୁ ସୁବଣ୍ଣ ହାତରେ ଧରିଥାଆନ୍ତି ଶୀ ଜଗନ୍ନାଥ। ବଳଭଦ୍ରଙ୍କୁ ହଳ ଲଙ୍ଗଳ ଧରାଯାଇଥାଏ।

ମଣିମୁକ୍ତା ଖଚ୍ଚିତ ଶ୍ରୀ ଚିତ୍ତା ହେଉଛି ସବୁଠାରୁ ଅଧିକ ଆକର୍ଷଣୀୟ। ଏହାକୁ ଶ୍ରୀଜିଉଙ୍କ ତୃତୀୟ ନୟନ ବୋଲି କୁହାଯାଏ। ରତ୍ନ ସିଂହାସନରେ ଥିବା ସମୟରେ ଏହି ଚିତା ଲାଚି ହୁଏ। କିନ୍ତୁ ରଥଯାତ୍ରା ସମୟରେ ଏହା କଢ଼ାଯାଇଥାଏ। କେବଳ ସୁନାବେଶରେ ଏହି ଚିତା ଲଗାଯାଇ ପରେ କଢ଼ି ନିଆଯାଇଥାଏ। ଚିତଉ ଅମାବାସ୍ୟାରେ ପୁଣିଥରେ ଚିତା ଲାଗି ହୁଏ।

Leave a Reply

Your email address will not be published. Required fields are marked *