ମେ’ ୬ରୁ ସ୍କୁଲ୍‌, ୧୧ରୁ କଲେଜ ଛୁଟି

ଭୁବନେଶ୍ବର, (ଓଟି): ରାଜ୍ୟ ସରକାର ୨୦୨୦ ପାଇଁ ସ୍କୁଲ୍‌ ଗୁଡ଼ିକର ଛୁଟି ତାଲିକା ଘୋଷଣା କରିଛନ୍ତି। ଏହି ତାଲିକା ଅନୁସାରେ ଏଥର ସ୍କୁଲ୍‌ରେ ଗ୍ରୀଷ୍ମଛୁଟି ୫୪ ଦିନ ରହିବ। ଏହି ଛୁଟି ମେ ୬ ତାରିଖରୁ ଆରମ୍ଭ ହେବ। ଜୁନ୍‌ ୧୮ ତାରିଖ ଯାଏ ଛୁଟି ରହିବ। ସ୍କୁଲ୍‌ ଖୋଲିବ  ଜୁନ୍‌ ୧୯ ତାରିଖ ଶୁକ୍ରବାର ଦିନ। ପୂର୍ବବର୍ଷଗୁଡ଼ିକରେ ମେ’ ୨ ତାରିଖରୁ ଛୁଟି ଘୋଷଣା କରାଯାଉଥିଲା। କିନ୍ତୁ ଯେତେବେଳେ ତାତି ବଢ଼ୁଥିଲା ସେତେବେଳେ ଛୁଟି ଏପ୍ରିଲ୍‌ ଶେଷ ସପ୍ତାହରୁ ହିଁ ଆରମ୍ଭ ହେଉଥିଲା। ଏଥର ଯଦି ତାପମାତ୍ରା ଠିକ୍‌ ରହିବ ତେବେ ଛୁଟି କ୍ୟାଲେଣ୍ଡର ଅନୁସାରେ ଲାଗୁ ହୋଇପାରେ। 

ସମୁଦାୟ ୮୨ ଦିନ ଛୁଟି

୨୦୨୦ରେ ସମୁଦାୟ ୮୨ ଦିନ ସ୍କୁଲ ଛୁଟି ରହିବ। ସେଥିମଧ୍ୟରୁ ୮ ଦିନ ସ୍କୁଲରେ ଉତ୍ସବ ପାଳନ କରାଯିବ। ଯେପରିକି ସରସ୍ବତୀ ପୂଜା, ନେତାଜୀ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ, ଉତ୍କଳ ଦିବସ, ସ୍ବାଧୀନତା ଦିବସ, ଗୁରୁ ଦିବସ, ଗଣେଶ ପୂଜା, ଗାନ୍ଧୀ ଜୟନ୍ତୀ, ଶିଶୁ ଦିବସ ସମସ୍ତ ବିଦ୍ୟାଳୟରେ ପାଳିତ ହେବ। ଏହି ଦିନଗୁଡ଼ିକ ସ୍କୁଲ ଖୋଲାରହିବ। ଶିକ୍ଷକ,  ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ଆସିବେ।

୯ ଦିନ ପୂଜା ଛୁଟି

ଗ୍ରୀଷ୍ମ ଛୁଟି ବ୍ୟତୀତ ଚଳିତବର୍ଷ ୯ ଦିନ ପୂଜା ଛୁଟି ରହିବ। ଅକ୍ଟୋବର ୨୨ରୁ ୩୧ ତାରିଖ ଯାଏ ପୂଜା ଛୁଟି, ଡିସେମ୍ବର ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ବଡ଼ଦିନ ଛୁଟି ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ଛୁଟି ଦିନଗୁଡ଼ିକ ଗୋଟିଏ ଦିନ ଲେଖାଏଁ ରହିଛି। ଦୁଇଟି ସ୍ଥାନୀୟ ଛୁଟି(‌ଲୋକାଲ ହଲିଡେ) ରହିଛି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍କୁଲ କର୍ତୃପକ୍ଷମାନେ ଜାନୁଆରି ୨୦ ସୁଦ୍ଧା ସ୍ଥାନୀୟ ଛୁଟି ତାଲିକା ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ନିକଟରେ ଦାଖଲ କରିବେ। ସାଧାରଣତନ୍ତ୍ର ଦିବସ, ନୂଆଖାଇ, ମହରମ୍‌ ପାଳନ ରବିବାର ପଡ଼ୁଥିବାରୁ ଉକ୍ତ ଦିନଗୁଡ଼ିକୁ ଛୁଟି ତାଲିକାରେ ସ୍ଥାନିତ କରାଯାଇ ନାହିଁ।

୨୭ ଦିନ କଲେଜ ଛୁଟି 

ଅନ୍ୟପକ୍ଷରେ ୨୦୨୦ରେ ରାଜ୍ୟରେ ଥିବା ସରକାରୀ, ବେସରକାରୀ, ସେଲ୍ଫ ଫାଇନାନ୍ସ, ସ୍ବୟଂଶାସିତ ଯୁକ୍ତ୩ କଲେଜଗୁଡ଼ିକ ପାଇଁ ୭୨ଟି ଛୁଟି ରଖାଯାଇଛି। ମେ’ ୧୧ରୁ ଜୁନ୍‌ ୬ ପର୍ଯ୍ୟନ୍ତ ୨୭ ଦିନ ଧରି ଗ୍ରୀଷ୍ମ ଛୁଟି ହେବ। ଏହାବ୍ୟତୀତ ଅକ୍ଟୋବର ୨୨ରୁ ୩୧ ପର୍ଯ୍ୟନ୍ତ ପୂଜା ଛୁଟି ହେବ। ଅନ୍ୟ ଛୁଟିଗୁଡ଼ିକ ଗୋଟିଏ ଦିନ ଲେଖାଏ ରହିଛି। କଲେଜ କର୍ତୃପକ୍ଷ ଦୁଇଦିନ ସ୍ଥାନୀୟ ଛୁଟି ଘୋଷଣା କରିପାରିବେ। ତେବେ ଏ ନେଇ କଲେଜ କର୍ତୃପକ୍ଷମାନେ ୭ ଦିନ ଭିତରେ ସ୍ଥାନୀୟ ଛୁଟି ନେଇ ଆଞ୍ଚଳିକ ଶିକ୍ଷା ନିର୍ଦେଶକଙ୍କୁ ଜଣାଇବେ। ଡିସେମ୍ବର ଶେଷ ସପ୍ତାହରେ କୌଣସି ବି କଲେଜ ଛୁଟି ରହିବ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Leave a Reply

Your email address will not be published. Required fields are marked *