ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୁଲିସ ଏସ୍ଆଇ
ଉତ୍ତରପ୍ରଦେଶ, (ଓଡିଶା ଟାଇମ) : ଉତ୍ତର ପ୍ରଦେଶ ବାଗପତ ରାମାଲା ଥାନାରେ ନିୟୋଜିତ ସବଇନ୍ସପେକ୍ଟର ଇନ୍ତସାର ଅଲିଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ବିନା ଅନୁମତିରେ ଲମ୍ବା ଦାଢ଼ି ରଖିବା ଅଭିଯୋଗରେ ପୋଲିସ ଅଧିକ୍ଷକ ତାଙ୍କୁ ନିଲମ୍ବିତ କରି ପୋଲିସ ଲାଇନ ପଠାଇ ଦେଇଛନ୍ତି। ପୋଲିସ ଅଧିକ୍ଷକ ଇନ୍ତସାର ଅଲିଙ୍କୁ ଦାଢ଼ି କାଟିବାକୁ ତିନିଥର ଚେତାବନୀ ଦେଇଥିଲେ। ଏହାସହ ଦାଢ଼ି ରଖିବାକୁ ସେ ବିଭାଗ ଠାରୁ ଅନୁମତି ନିଅନ୍ତୁ ବୋଲି ମଧ୍ୟ ତାଙ୍କୁ କହିଥିଲେ। କିନ୍ତୁ ଇନ୍ତସାର ଅଲି ପୋଲିସ ଅଧିକ୍ଷକଙ୍କ ଚେତାବନୀକୁ ଗତ କିଛି ମାସ ହେଲା ଅଣଦେଖା କରି ଦାଢ଼ି ରଖିଥିଲେ।
ସହରନପୁର ବାସିନ୍ଦା ଇନ୍ତସାର ଅଲି ଉତ୍ତର ପ୍ରଦେଶ ପୋଲିସରେ ଏସଆଇ ପଦବୀରେ ନିଯୁକ୍ତ ହୋଇଛନ୍ତି ଓ ଗତ ତିନି ବର୍ଷ ହେଲା ସେ ବାଗପତ ଜିଲ୍ଲାରେ ନିୟୋଜିତ ଅଛନ୍ତି। ଲକଡାଉନ ପୂର୍ବରୁ ତାଙ୍କୁ ରାମାଲା ଥାନାକୁ ସ୍ଥାନାନ୍ତର କରାଯାଇଥିଲା। ପୋଲିସ ବିଭାଗ ନିୟମ ବିରୋଧରେ ଲମ୍ବା ଦାଢ଼ି ରଖି ସେ ଚର୍ଚ୍ଚାକୁ ଆସିଥିଲେ।
ଏସପି ଅଭିଷେକ ସିଂହ କହିଛନ୍ତି ଯେ, ପୋଲିସ ମାନୁଆଲ ଅନୁସାରେ, ପୋଲିସବଳରେ ନିୟୋଜିତ ଥିବା ଶିଖ ସମ୍ପ୍ରଦାୟର ପୋଲିସକର୍ମୀଙ୍କୁ ଛାଡିଦେଲେ ଅନ୍ୟ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଦାଢ଼ି ରଖି ପାରିବେନାହିଁ। ଯଦି କେହି ରଖିବାକୁ ଚାହିଁବେ ତାହେଲେ ତାଙ୍କୁ ପ୍ରଶାସନର ଅନୁମତି ନେବାକୁ ପଡିଥାଏ। କିନ୍ତୁ ଇନ୍ତସାର ଅଲି ବିନା ଅନୁମତିରେ ଦାଢ଼ି ରଖିଥିଲେ। ଏହାକୁ ନେଇ ଅଭିଯୋଗ ମଧ୍ୟ ହୋଇଥିଲା। ବୁଝାଇବା ପରେ ଓ ନୋଟିସ ଦେବା ପରେ ମଧ୍ୟ ସେ ଦାଢ଼ି କାଟିନଥିଲେ ଓ ଅନୁଶାସନହୀନତା ପ୍ରଦର୍ଶନ କରିଥିଲେ। ଏହାପରେ ଇନ୍ତସାର ଅଲିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।