ତାଲିବାନ ଓ ହକ୍କାନୀ ନେଟ୍ଓ୍ୱାର୍କ ମଧ୍ୟରେ ଗୁଳିମାଡ, ମୁଲ୍ଲା ବରାଦର ଆହତ
କାବୁଲ, (ଓଡିଶା ଟାଇମ୍): ଗୁଳିମାଡ଼ରେ ତାଲିବାନ ମୁଖ୍ୟ ମୁଲ୍ଲା ବରାଦର ଆହତ । ତାଲିବାନରେ କ୍ଷମତା ପାଇଁ ସଂଘର୍ଷ । ତାଲିବାନ ଓ ହକ୍କାନୀ ନେଟ୍ ୱର୍କ ମଧ୍ୟରେ ଗୁଳିମାଡ ହୋଇଛି। ଏଥିରେ ତାଲିବାନ ମୁଖ୍ୟ ମୁଲ୍ଲା ବରାଦର ଆହତ ହୋଇଥିବା ସୂଚନା ମିଳିଛି । ପାକିସ୍ତାନର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତାଲିବାନ ଉପରେ ଅନ୍ତର୍ଜାତୀୟ ଚାପ ପଡୁଥିବାରୁ ନୂଆ ସରକାର ଘୋଷଣା ବିଳମ୍ବିତ ହେଉଛି ।
ଅନ୍ତର୍ଜାତୀୟ ଚାପ ବଢ଼ିବାରୁ ତାଲିବାନ ସରକାର ଘୋଷଣା ପ୍ରକ୍ରିୟାକୁ ସପ୍ତାହକ ପାଇଁ ସ୍ଥଗିତ ରଖିଛି। ଅନ୍ୟ ପଟେ ବିଦ୍ରୋହୀ ଗୋଷ୍ଠୀ ମଧ୍ୟ ବିଭିନ୍ନ ଅଂଚଳରେ ସକ୍ରିୟ ହୋଇଉଠିଥିବା ବେଳେ ତରବରିଆ ଭାବେ ସରକାର ଘୋଷଣା ସମସ୍ୟା ବଢ଼ାଇବ ବୋଲି ତାଲିବାନ ନେତାମାନେ ଆଶଙ୍କା କରୁଛନ୍ତି। ତାଲିବାନର ସହ-ପ୍ରତିଷ୍ଠାତା ମୁଲ୍ଲା ବରାଦର ଚାହୁଁଛନ୍ତି ଯେ ସଂଖ୍ୟାଲଘୁ ସମ୍ପ୍ରଦାୟ ସରକାରରେ ଯୋଗ ଦିଅନ୍ତୁ ।
କିନ୍ତୁ ତାଲିବାନର ଡେପୁଟି ନେତା ସିରାଜୁଦ୍ଦିନ ଏବଂ ତାଙ୍କ ଗୋଷ୍ଠୀ ହକ୍କାନୀ ନେଟୱାର୍କ କାହା ସହ କ୍ଷମତା ବାଣ୍ଟିବାକୁ ଚାହୁଁନାହାଁନ୍ତି। ଏହାକୁ ନେଇ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ସଂଘର୍ଷ ବେଳେ ଗୁଳି ମାଡ ହୋଇଥିଲା। ଏଥିରେ ବରାଦର ଆହତ ହୋଇଥିବା ସୂଚନା ମିଳିଛି। ସେପଟେ ତାଲିବାନ ଏବଂ ହକ୍କାନୀ ନେଟ୍ ୱର୍କର ସଙ୍ଘର୍ଷ ନିଆଁରେ ଘିଅ ଢ଼ାଳୁଛି ପାକିସ୍ତାନ । ପାକିସ୍ତାନର ଗୁପ୍ତ ଏଜେନ୍ସି ଆଇଏସ୍ ଆଇର ପ୍ରମୁଖ ଲେଫ୍ଟନାଣ୍ଟ ଜେନରାଲ ଫେଜ ହମିଦ ବର୍ତ୍ତମାନ କାବୁଲରେ ଅଛନ୍ତି। ସେ ଦୁଇ ଦଳ ମଧ୍ୟରେ ସମାଧାନ କରି ହକ୍କାନୀ ନେଟୱର୍କ ସପକ୍ଷରେ ଯେପରି ସରକାର ଗଠନ କରିପାରିବେ ସେଥିପାଇଁ ଚେଷ୍ଟା ଚଳାଇଛନ୍ତି।