ଭାରତରେ ସ୍ପୁଟନିକ୍-ଭି ଭାକସିନ୍ର ଉତ୍ପାଦନ ଆରମ୍ଭ, ବର୍ଷକୁ ତିଆରି ହେବ ୧୦ କୋଟି ଡୋଜ୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍): କୋଭିଡ-୧୯ ଟିକାକରଣ ଅଭିଯାନ ଜୋରଦାର ହେବ । ଏଥିପାଇଁ ଆଜିଠାରୁ ରୁଷର କରୋନା ଟିକା ସ୍ପୁଟନିକ-୫ର ଉତ୍ପାଦନ ଏଠାରେ ଆରମ୍ଭ ହୋଇଯାଇଛି । ଦିଲ୍ଲୀର ପ୍ୟାନେସିଆ ବାୟୋଟେକ ଏହାର ଉତ୍ପାଦନ ଆରମ୍ଭ କରିଛି ଏବଂ ବର୍ଷକୁ ଏହାର ପାଖାପାଖି ୧୦ କୋଟି ଡୋଜ ଉତ୍ପାଦନ କରିବ ବୋଲି ଲକ୍ଷ୍ୟଧାର୍ଯ୍ୟ କରିଛି । ରସିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (ଆରଡିଆଇଏଫ) ଏକ ବିବୃତି ଜାରି କରି ସୋମବାର ଏହି ସୂଚନା ଦେଇଛି ।
ଆରଡିଆଇଏଫ କହିଛି ଯେ, ପ୍ୟାନେସିଆ ବାୟୋଟେକ ଦ୍ୱାରା ଉତ୍ପାଦିତ ସ୍ପୁଟନିକ-ଭିର ପ୍ରଥମ ବ୍ୟାଚକୁ କ୍ୱାଲିଟି କଣ୍ଟ୍ରୋଲ ପାଇଁ ରୁଷର ଗାମେଲିଆ ଇନଷ୍ଟିଚ୍ୟୁଟ ନିକଟକୁ ପଠାଯିବ । ସେଠାରେ ଟିକାଗୁଡ଼ିକର ପରୀକ୍ଷାନିରୀକ୍ଷା ପରେ ରିପୋର୍ଟ ଦିଆଯିବ । ଗାମେଲିଆ ଇନଷ୍ଟିଚ୍ୟୁଟ ରିପୋର୍ଟ ଦେବା ପରେ ପ୍ୟାନେସିଆ ବାୟୋଟେକ ଉତ୍ପାଦନକୁ ଜୋରଦାର କରିବ । ଗାମେଲିଆ ଇନଷ୍ଟିଚ୍ୟୁଟ ଦ୍ୱାରା ସ୍ପୁଟନିକ-ଭି ଟିକା ବିକଶିତ କରାଯାଇଛି । ଦିଲ୍ଲୀର ପ୍ୟାନେସିଆ ବାୟୋଟେକ ୧୯୮୪ରେ ସ୍ଥାପିତ ହୋଇଥିଲା । ଏହା ଅନେକ ପ୍ରକାର ଔଷଧ ଏବଂ ଟିକା ଉତ୍ପାଦନ କରୁଛି । ଏବେ ରୁଷ ଟିକା ଉତ୍ପାଦନ କରି ଏହା ଦେଶର କୋଭିଡ ଟିକାକରଣକୁ ବ୍ୟାପକ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି । ଆର୍ଡିଆଇଏଫ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କିରିଲ ଦିମିତ୍ରିଏଭ କହିଛନ୍ତି, ପ୍ୟାନେସିଆ ବାୟୋଟେକ ଦ୍ୱାରା ସ୍ପୁଟନିକ-ଭିର ଉତ୍ପାଦ ନ ଆରମ୍ଭ ହେବା ଭାରତ ପାଇଁ ଭଲ ଖବର ।
କରୋନା ମହାମାରୀ ବିରୋଧରେ ଲଢ଼ୁଥିବା ଭାରତ ପାଇଁ ଏହା ବେଶ ସହାୟକ ହୋଇପାରିବ । ସ୍ପୁଟନିକ-ଭି ଟିକା ପ୍ରଥମ ଓ ଦ୍ୱିତୀୟ ଡୋଜରେ ଦୁଇଟି ପୃଥକ ପୃଥକ ଆଡନୋଭାଇରସ ବ୍ୟବହାର କରିଥାଏ । ଏହି ଟିକା ୬୬ ରାଷ୍ଟ୍ରରେ ପଂଜୀକୃତ ହୋଇସାରିଲାଣି । ଚିକିତ୍ସା କ୍ଷେତ୍ରର ପ୍ରମୁଖ ପତ୍ରିକା ଦ ଲାନସେଟର ମୁତାବକ ସ୍ପୁଟନିକ-ଭି କୋଭିଡ-୧୯ ବିରୋଧରେ ୯୧.୬% ପ୍ରଭାବୀ । ରୁଷରେ ହୋଇଥିବା ଟିକାକରଣ ତଥ୍ୟ ମୁତାବକ ଏହା ୯୭.୬% ପ୍ରଭାବୀ । ପ୍ୟାନେସିଆ ବାୟୋଟେକର ପରିଚାଳନା ନିର୍ଦ୍ଦେଶକ ଡା. ରାଜେଶ ଜୈନ କହିଛନ୍ତି, ସ୍ପୁଟନିକ-ଭି ଟିକାର ଉତ୍ପାଦନ ଆରମ୍ଭ କରିବା ଏକ ବଡ଼ ପଦକ୍ଷେପ । ଆରଡିଆଇଏଫ ସହ ମିଶି ଆମେ ଟିକାକରଣ ଅଭିଯାନକୁ ଜୋରଦାର କରିବାରେ ସହଯୋଗ କରିବୁ । ଦେଶରେ ସ୍ୱାଭାବିକତା ଫେରାଇ ଆଣିବା ପାଇଁ ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଉଲ୍ଲେଖଯୋଗ୍ୟ, ଭାରତରେ ଜରୁରି ବ୍ୟବହାର ପାଇଁ ସ୍ପୁଟନିକ-ଭିକୁ ସରକାର ଏପ୍ରିଲ ୧୨ରେ ମଂଜୁରି ଦେଇଥିଲେ । ଚଳିତମାସ ୧୪ ତାରିଖରେ ଏହି ଟିକାକୁ ଟିକାକରଣ ଅଭିଯାନରେ ସାମିଲ କରାଯାଇଛି । ରୁଷରୁ ଟିକା ଅଣାଯାଇ ଏଠାରେ ଲୋକଙ୍କୁ ଦିଆଯାଉଛି । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ)ର ସିଇଓ ଅଦାର ପୁନାୱାଲା ପ୍ୟାନେସିଆ ବାୟୋଟେକରେ ଥିବା ନିଜର ସମ୍ପୂର୍ଣ୍ଣ ୫.୧୫% ଅଂଶଧନ ବିକ୍ରି କରିଦେଇଛନ୍ତି । ଏଥିରେ ୧୧୮ କୋଟି ଟଙ୍କା କାରବାର ହୋଇଥିଲା । ଏହି ସେୟାରଗୁଡ଼ିକୁ ଏସ୍ଆଇଆଇ କିଣିନେଇଥିଲା ।