ଆଜିଠୁ ଖୋଲିବ ଷଷ୍ଠ, ସପ୍ତମ ଶ୍ରେଣୀ

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜିଠୁ ସ୍କୁଲକୁ ଆସି କ୍ଲାସ ରୁମରେ ପାଠ ପଢିବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ । ସ୍କୁଲ୍ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଆଜିଠାରୁ ରାଜ୍ୟରେ ଖୋଲିବାକୁ ଯାଉଛି ଷଷ୍ଠ ଓ ସପ୍ତମ ଶ୍ରେଣୀ । ଦୀର୍ଘ ୧୮ ମାସର ବ୍ୟବଧାନ ପରେ ବହିବସ୍ତାନୀ ଧରି ସ୍କୁଲ ଯିବେ ପିଲା । ସକାଳ ୯ଟା ୩୦ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ ପାଠପଢା। କୋଭିଡ କଟକଣା ଭିତରେ ସ୍କୁଲ୍ ଖୋଲି ଅଫଲାଇନ୍ କ୍ଲାସ୍ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି।

ତେବେ ଛୋଟ ପିଲାଙ୍କ ସ୍କୁଲ୍ ଖୋଲିବ କି ନ ଖୋଲିବ ଏହାକୁ ନେଇ ବିଚାର ବିମର୍ଶ ଚାଲିଥିଲା। ବର୍ତ୍ତମାନ କରୋନା ସଂକ୍ରମଣ ପ୍ଲାଟୋ ସ୍ଥିତିରେ ରହିଥିବା ବେଳେ ଶିକ୍ଷା କ୍ଷେତ୍ରକୁ ଆଗକୁ ବଢାଇବାକୁ ଏପରି ନିଷ୍ପତ୍ତି ନିଆଯାଇଛି । ତେବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଲାଗି ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ କ୍ଲାସ୍ ଜାରି ରହିବ। କରୋନା ସଂକ୍ରମଣ ପାଇଁ ବହୁ ସମୟ ଧରି ରାଜ୍ୟ ତଥା ଦେଶରେ ଶିକ୍ଷା ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ଏବେ ଧୀରେ ଧୀରେ ସଂକ୍ରମଣ ହାର କମିବା ସହ ପିଲାଙ୍କ ଅଫଲାଇନ୍ ପାଠ ପଢା ପୁଣି ଥରେ ଆରମ୍ଭ ହେବାରେ ଲାଗିଛି। ସେହିପରି ପୂର୍ବରୁ ଅଷ୍ଟମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଜାରି ରହିଛି। ସୁରୁଖୁରୁରେ ପାଠପଢା ବି ଚାଲିଛି। ଆଜିଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲୁଛି । ପିଲାଏ ସ୍କୁଲ ଆସିବା ପୂର୍ବରୁ କ୍ଲାସ ରୁମ୍ କୁ ପରିଷ୍କାର କରିବା ସହ ସାନିଟାଇଜ୍ ମଧ୍ୟ କରାଯାଉଛି । ପିଲାମାନେ ସ୍କୁଲ ଆସିବାକୁ ହେଲେ ଅଭିଭାବକଙ୍କ ଅନୁମତି ନିହାତି ଆବଶ୍ୟକ ବୋଲି କୁହାଯାଇଛି। ପର୍ଯ୍ୟାୟକ୍ରମେ ଶ୍ରେଣୀଗୃହ ପାଠପଢାକୁ ଗଣଶିକ୍ଷା ବିଭାଗ ଗୁରୁତ୍ୱ ଦେଇଛି । ଅନ୍ୟପଟେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ହାତକୁ ସାନିଟାଇଜ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଯେଉଁ ସ୍ଥାନରେ କରୋନା ସଂକ୍ରମଣ ଅଧିକ ରହିଥିବା ସେଠାରେ ବିଦ୍ୟାଳୟ ଖୋଲିବା ନିମନ୍ତେ ଚୂଡ଼ାନ୍ତ ନିଷ୍ପତ୍ତି ଜିଲ୍ଲାପାଳ ମାନେ ନେଇପାରିବେ।

Leave a Reply

Your email address will not be published. Required fields are marked *