ବିସ୍ଫୋରଣରେ ଥରିଲା ସିମୋଗା, ଭାଙ୍ଗିଗଲା ଘରର କାଚ
ବେଙ୍ଗାଲୁରୁ, (ଓଡିଶା ଟାଇମ୍) :କର୍ଣ୍ଣାଟକର ସିମୋଗା ଜିଲ୍ଲାରେ ଗୁରୁବାର ରାତିରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି । ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ଅନେକ ଘରର କାଚ ଭାଙ୍ଗି ଯାଇଛି । ଏହି ଘଟଣାରେ କିଛି ବ୍ୟକ୍ତି ପ୍ରାଣ ହରାଇଥିବା ମଧ୍ୟ ଖବର ମିଳିଛି । ପୋଲିସ ଏବେସୁଦ୍ଧା ତିନୋଟି ମୃତଦେହକୁ ଉଦ୍ଧାର କରିଛି ।
ସିମୋଗାର ଜିଲ୍ଲାପାଳ ଶିବ କୁମାର କହିଛନ୍ତି ଯେ, ଭୟଭୀତ ହେବା ନେଇ କୌଣସି କଥା ନାହିଁ । ଏହା ଡିନାମାଇଟ୍ ବିସ୍ଫୋରଣ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ବିସ୍ଫୋରଣସ୍ଥଳକୁ ପୋଲିସ ଘେରି ରଖିଛି । ସିମୋଗା ସହରଠୁ ୫ରୁ୬ କିମି ଦୂରରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।
ସେହିପରି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ, ଏହି ଘଟଣାରେ କିଛି ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ତେବେ କେତେଜଣ ପ୍ରାଣ ହରାଇଛନ୍ତି ସେନେଇ କୌଣସି ସ୍ପଷ୍ଟ ହୋଇନାହିଁ । ଏହି ସମ୍ବନ୍ଧରେ କର୍ଣ୍ଣାଟକ ଏଡିଜିପି ପ୍ରତାପ ରେଡ୍ଡି କହିଛନ୍ତି ଯେ, ସିମୋଗାର ଗ୍ରାମୀଣ ଅଞ୍ଚଳରେ ଏହି ଅଘଟଣ ଘଟିଛି । ରାତି ୧୦ଟା ୧୫ରେ ଏହି ବିସ୍ଫୋରଣ ହୋଇଥିଲା ।