ଝାରସୁଗୁଡ଼ା: ୫୨ହଜାର ପରିବାରର ସ୍କ୍ରିନିଂ ସରିଲା

ଭୁବନେଶ୍ଵର,ଝାରସୁଗୁଡ଼ା(ଓଟି): ଝାରସୁଗୁଡ଼ା ଜିଲ୍ଲାର ରେଡ୍‌ ଜୋନ୍‌ର ୫୨ ହଜାର ପରିବାରର ସ୍କ୍ରିନିଂ ସମ୍ପନ୍ନ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଘରକୁ ଘର ବୁଲି ଏଭଳି କାର୍ଯ୍ୟ ସୂଚାରୁ ରୂପେ କରାଯାଇଛି। ଡାକ୍ତର, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ସମସ୍ତଙ୍କ ସ୍ଵାସ୍ଥ୍ୟ ସମ୍ପର୍କରେ ସୂଚନା ସଂଗ୍ରହ କରିବା ସହ ଆବଶ୍ୟକ ଅନୁସାରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରିଥିଲେ।

ସୂଚନାଯୋଗ୍ୟ ଯେ ଜିଲ୍ଲା ପ୍ରଶାସନ ପକ୍ଷରୁ ଝାରସୁଗୁଡ଼ା ବ୍ଲକ, ବ୍ରଜରାଜନଗର ମ୍ୟୁନିସିପାଲିଟି ଓ ଲଇକେରା ବ୍ଲକକୁ ରେଡ୍‌ଜୋନ୍‌ ଭାବେ ଘୋଷଣା କରାଯାଇଥିଲା। ଉପରୋକ୍ତ ଅଞ୍ଚଳକୁ ରାଜ୍ୟ ତଥା ରାଜ୍ୟ ବାହାରରୁ ଟ୍ରେନ୍‌ ଓ ବସ୍‌ ଯୋଗେ ଲୋକେ ଆସିଥିବା ଜଣାପଡ଼ିବା ପରେ ମାସ୍‌ ସ୍କ୍ରିନିଂ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଜିଲ୍ଲା ପ୍ରଶାସନ ଦେଇଥିବା ତଥ୍ୟ ଅନୁସାରେ ୫୨ ହଜାର ୩୯ ପରିବାରକୁ ସ୍କ୍ରିନିଂ କରାଯାଇଛି। ସେ ମଧ୍ୟରେ ୧୬୫ ଜଣଙ୍କୁ ଜର, ୫୫୧ ଜଣଙ୍କୁ କାଶ, ୩୦୪ଙ୍କୁ ନାକରୁ ପାଣି ବୋହିବା, ୪୦ ଜଣଙ୍କୁ ଗଳା ଜନିତ ସମସ୍ୟା ଓ ୨ ଜଣଙ୍କୁ ଶ୍ଵାସକ୍ରିୟା ଜନିତ ସମସ୍ୟା ରହିଥିବା ଜଣାପଡ଼ିଛି। ସେମାନଙ୍କ ସ୍ଵାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଶ୍ଵାସକ୍ରିୟା ସମସ୍ୟା ଥିବା ୨ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏଥିସହ ସମସ୍ତଙ୍କୁ ନିଜ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *