ସ୍କୁଲ ବନ୍ଦ ନିୟମ ଏବର୍ଷ ଲାଗୁ ହେବନାହିଁ
ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱର ୦୭।୦୬: ରାଜ୍ୟରେ ଏବର୍ଷ କୌଣସି ସ୍କୁଲ ବନ୍ଦ ହେବନି । ସବୁ ସ୍କୁଲରେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ନାମଲେଖା ହେବ । ପୂର୍ବବର୍ଷ ଯେଉଁ ସବୁ ସ୍କୁଲରେ ନାମଲେଖା ହୋଇଥିଲା ଏବର୍ଷ ବି ସେଠାରେ କରାଯିବ । ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଏବର୍ଷ କାର୍ଯ୍ୟକାରୀ କରାଯିବ ନାହିଁ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ବିଭାଗର ପୂର୍ବ ନିଷ୍ପତ୍ତି ଅନୁସାରେ ଚଳିତ ଶିକ୍ଷା ବର୍ଷରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡ଼ିକୁ ବନ୍ଦ କରାଯାଇ ଥାଆନ୍ତା । ସେହି ସ୍କୁଲଗୁଡ଼ିକ ନିକଟସ୍ଥ ସ୍କୁଲରେ ମିଶାଯାଇ ଥାଆନ୍ତା । ସେଠାକାର ଛାତ୍ରଛାତ୍ରୀ ପାଖ ସ୍କୁଲରେ ପଢ଼ିଥାଆନ୍ତେ । ହେଲେ ଏବର୍ଷ କରୋନା ମହାମାରୀ ସଙ୍କଟ ପାଇଁ ସବୁକିଛି ସମୟ ଅନୁସାରେ ହୋଇନାହିଁ ।
ପିଲାଙ୍କ ପରୀକ୍ଷା ବନ୍ଦ ହେଲା । ସେମାନଙ୍କୁ ଷାଣ୍ମାସିକ ପରୀକ୍ଷାର ଫଳ ଆଧାରରେ ଉପର ଶ୍ରେଣୀକୁ ଉନ୍ନୀତ କରାଗଲା । କିନ୍ତୁ ଚଳିତବର୍ଷ କୌଣସି ସ୍କୁଲ ବନ୍ଦ ହେବନି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।