ହାରୁ ନେତାଙ୍କ କବଳରେ ଶଶୀ

ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଏଠାରୁ ବିଜେଡି ପ୍ରାର୍ଥୀ ହେବାପରେ ଏବେ କିଛି ହାରୁ ନେତାଙ୍କ ବଳୟରେ ପଡିଛନ୍ତି। କାଉନସିଲର ଓ ଜିଲ୍ଲାପରିଷଦ ନିର୍ବାଚନରେ ପ୍ରାର୍ଥୀହୋଇ ହାରିଥିବା ଏହି ନେତାମାନେ ଦୀର୍ଘଦିନ ହେଲା ବିଜେଡିରେ କୋଣଠେସା ହୋଇ ରହିଥିବାବେଳେ ନବାଗତ ଶଶୀଙ୍କୁ ପାଇ ତାଙ୍କ ଚାରିପାଖେ ଘୂରି ବୁଲୁଛନ୍ତି। ଶଶୀ ଯଦି ଏହି ହାରୁନେତାଙ୍କ କବଳରୁ ନଖସନ୍ତି ତେବେ ଏମାନେ ତାଙ୍କୁ ଦିନରେ ଚନ୍ଦ୍ର ଦେଖାଇଦେବେ ବୋଲି ଜିଲ୍ଲାରେ ଚର୍ଚ୍ଚା ହେଉଛି।

ଶଶୀଙ୍କ ଚାରିପଟେ ବୁଲୁଥିବା ଏହି ହାରୁନେତାଙ୍କ ମଧ୍ୟରେ ତିନି ଜଣ କାଉନ‍୍‌ସିଲର ଭାବେ ବିଜେଡି ପ୍ରାର୍ଥୀ ହୋଇ ହାରିଥିବାବେଳେ ଜଣେ ଜିଲ୍ଲାପରିଷଦ ପ୍ରାର୍ଥୀ ହୋଇ ହାରିଥିଲେ। ଆଉ ଗୋଟିଏ ସସ୍ତ୍ରୀକ ହାରୁ ଯୋଡି ମଧ୍ୟ ଏହି ତାଲିକାରେ ଅଛନ୍ତି। ଏମାନେ ବହୁ ଆଡମ୍ୱରରେ ବିଜେଡି ଟିକଟ ନେଇ ନିର୍ବାଚନ ହାରିବାପରେ ଦଳରେ ଏକ ପ୍ରକାର କୋଣଠେସା ହୋଇ ରହିଥିଲେ। ଏପରିକି ଏମାନଙ୍କ କାର୍ଯ୍ୟକଳାପ ନେଇ ସ୍ଥାନୀୟ ବିଧାୟକ କିମ୍ୱା କୌଣସି ନେତା ସନ୍ତୁଷ୍ଟ ନଥିଲେ। ଫଳରେ ରାଜନୀତିରେ ଏମାନେ ଅଲୋଡା ହୋଇ କାଳ କାଟୁଥିଲେ।

ହେଲେ ଶଶୀ କେନ୍ଦ୍ରାପଡା ପ୍ରାର୍ଥୀ ହେବା ଶୁଣିବାପରେ ଏମାନେ ଏବେ ଯାଇ ତାଙ୍କ ପାଖରେ ହାଜର ହୋଇଛନ୍ତି। ନିଜକୁ ବିଜେଡିର ଆଗଧାଡିର ନେତାର ପରିଚୟ ଦେଇ ଏକ ବଳୟ ସୃଷ୍ଟି କରିଛନ୍ତି। ଅବସ୍ଥା ଏଭଳି ହୋଇଛି ଯେ ଏହି ହାରୁ ନେତାମାନେ ଆଉ କାହାରିକୁ ଶଶୀଙ୍କ ନିକଟରେ ପୂରାଇ ଦେଉନାହାନ୍ତି। ଯଦି କୌଣସି ବିଜେଡି ନେତା ଶଶୀଙ୍କ ନିକଟକୁ ଯାଉଛି ସେଠାରୁ ଫେରିଲାପରେ ଏହି ହାରୁନେତାମାନେ ତା ନାଁରେ ଶଶୀଙ୍କ ଆଗରେ ମିଛ ଖଚ କହି ବଦନାମ କରୁଛନ୍ତି। ଏହା ଫଳରେ ଦଳର କୌଣସି ସକ୍ରିୟ କର୍ମୀ ଏବେ ବିଧାୟକ ପ୍ରାର୍ଥୀଙ୍କ ନିକଟକୁ ଯିବାକୁ ଡରିଲେଣି।

ଅନ୍ୟ ପକ୍ଷରେ ବିଧାୟକ କିଶୋରଙ୍କ ଆର୍ଶୀବାଦରେ ନିର୍ବାଚନ ଲଢି ଚିତ୍ପଟାଙ୍ଗ ମାରିଥିବା ଏହି ହାରୁ ନେତାମାନେ କିଛିଦିନ ହେଲା କିଶୋରଙ୍କୁ ଦେଖା ଦେଉନଥିଲେ। ଏବେ ଶଶୀଙ୍କ ନିକଟରେ ପହଞ୍ଚି କିଶୋରଙ୍କ କୁସିାରଟନା କରିବାରେ ଲାଗିଛନ୍ତି। କିଶୋରଙ୍କ କୌଣସି ସମର୍ଥକ ଆସିଲେ ତାଙ୍କ ନାଁରେ ବି ମିଛ କହିବାକୁ ପଛାଉ ନାହାନ୍ତି। ଶଶୀ ଓ କିଶୋରଙ୍କ ମଧ୍ୟରେ ଦୂରତା ବଢାଇବାପାଇଁ ଏହି ହାରୁ ନେତାମାନେ ଲାଗି ପଡିଥିବାବେଳେ ଯଦି ସେମାନେ ଏଥିରେ ସଫଳ ହେବେ ତେବେ କେନ୍ଦ୍ରାପଡାରେ ବିଜେଡି ହାରିବାଟା ଏକ ପ୍ରକାର ଥୟ ବୋଲି ଖୋଦ ବିଜେଡି ନେତାମାନେ କହୁଛନ୍ତି। ସେମାନଙ୍କର କହିବାକଥା ହେଲା କିଶୋର ଏବେ ଜିଲ୍ଲା ବିଜେଡି ସଭାପତି। ବିଧାୟକ ହିସାବରେ ତାଙ୍କର ଦୃଢ ସଂଗଠନ ରହିଛି। ତେଣୁ ଶଶୀ ପ୍ରଥମେ ତାଙ୍କୁ ସାଙ୍ଗରେ ନେଇ ଯିବାକଥା। ହେଲେ ଦଳର ଏହି ବରିଷ୍ଠ ନେତା ଯେଭଳି କିଛି ଟାଉଟର ହାରୁନେତାଙ୍କ ହାବୁଡରେ ପଡିଛନ୍ତି ତାହା ବିଜେଡି ପାଇଁ ସମସ୍ୟା ସୃଷ୍ଟି କଲାଣି। ତୁରନ୍ତ ଏହି ହାରୁ ନେତାଙ୍କୁ ପାଖରୁ ହଟାଇବା ସହିତ ଜିଲ୍ଲା ବିଜେଡି ସଭାପତିଙ୍କୁ ସାଙ୍ଗରେ ନେଇ ମଇଦାନକୁ ଓହ୍ଲାଇବାକୁ ମତପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *