ବାଜି ମାରିଲେ ମହାନ୍ତି, ବିଜେପି ରାଜ୍ୟ ସଭାପତି ଭାବେ ନିର୍ବାଚିତ

ଭୁବନେଶ୍ୱର(ଓଟି): କିଏ କେତେ ଭାବୁଥିଲେ, ପୁଣି କିଏ କେତେ ଆଶା ବାନ୍ଧିଥିଲେ। ହେଲେ ଶେଷରେ ମହାନ୍ତି ବାବୁ ବାଜି ମାରିନେଲେ। ହଁ ଆପଣ ଠିକ୍ ଅନୁମାନ କରିଛନ୍ତି। ଆମେ ରାଜ୍ୟ ବିଜେପି କଥା ହିଁ କହୁଛୁ। ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ରାଜ୍ୟ ବିଜେପି ମୁଖିଆ ହୋଇଛନ୍ତି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଶ୍ରୀ ମହାନ୍ତି ଖାଲି ନିର୍ବାଚିତ ହୋଇନାହାନ୍ତି; ନିର୍ଦ୍ୱନ୍ଦ୍ୱ ଭାବେ ବିଜୟୀ ହୋଇଛନ୍ତି। କଥାହେଲା ଆଜି ଦଳର ରାଜ୍ୟ ସଭାପତି ନିର୍ବାଚନ ପାଇଁ ନାମାଙ୍କନପତ୍ର ଆହ୍ୱାନ କରାଯାଇଥିଲା। କିନ୍ତୁ ଆଉକେହି ଦାଖଲ କରିନଥିଲେ। ଅର୍ଥାତ୍ ଶ୍ରୀ ମହାନ୍ତି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ଫଳରେ ସେ ସଭାପତି ହେବା ସ୍ପଷ୍ଟ ହୋଇଯାଇଛି। କିନ୍ତୁ ଏନେଇ ଦଳ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇନି। ଶୁକ୍ରବାର ସବୁ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ ସଭାପତି ପଦ ଆଶାୟୀ ନେତା ଓ ସେମାନଙ୍କ ସମର୍ଥକ ମହଲରେ ନିରାଶ ଖେଳିଯାଇଥିବା ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ ସଭାପତି ଭାବେ ବସନ୍ତ ପଣ୍ଡାଙ୍କ ୩ବର୍ଷିଆ କାର୍ଯ୍ୟକାଳ ୨୦୧୮ ଜାନୁଆରୀରୁ ସରିଥିଲା। କିନ୍ତୁ ସାଧାରଣ ନିର୍ବାଚନ ଲାଗି ଦଳୀୟ ନିର୍ବାଚନ ହୋଇପାରିନଥିଲା ଏବଂ ଶ୍ରୀ ପଣ୍ଡା ହିଁ ଦାୟିତ୍ୱରେ ଥିଲେ। ତେବେ ସେ କଳାହାଣ୍ଡିରୁ ସାଂସଦ ଭାବେ ନିର୍ବାଚିତ ହେବାପରେ ରାଜ୍ୟ ବିଜେପି ମୁଖିଆ କିଏ ହେବ ବୋଲି ଚର୍ଚ୍ଚା ଲାଗିରହିଥିଲା। ରେସ୍ ରେ ସୁରେଶ ପୂଜାରୀ, ସମୀର ଦେ, କେବି ସିଂହଦେଓ ଓ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖଙ୍କ ସମେତ ଆଉକିଛି ନାଁ ରହିଥିଲା। ତେବେ ସବୁ ଆକଳନର ଅନ୍ତ ହୋଇଛି। ସମ୍ପ୍ରତି ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି – ବାଜି ମାରିନେଲେ ମହାନ୍ତି ବାବୁ।

[] ଏସପି

Leave a Reply

Your email address will not be published. Required fields are marked *