ସାହିତ୍ୟ ଏକାଡେମୀ ପୁରସ୍କାର ସହ ଘୋଷଣା ହେବ ଚୂଡ଼ାନ୍ତ ପର୍ଯ୍ୟାୟର ବହି ତାଲିକା


ଭୁବନେଶ୍ୱର,(ଓଟି): ଏଣିକି କେନ୍ଦ୍ର ସାହିତ୍ୟ ଏକାଡେମୀର ପୁରସ୍କାର ଘୋଷଣା ସହିତ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ପୁସ୍ତକଗୁଡ଼ିକର ନାମ ତାଲିକା ବି ଘୋଷଣା କରାଯିବ । ଏକାଡେମୀ ସଚିବ କେ. ଶ୍ରୀନିବାସନ୍‍ଙ୍କ ପକ୍ଷରୁ ଭୁବନେଶ୍ଵରର ନରେନ୍ଦ୍ର ନାରାୟଣ ଦାଶଙ୍କ ନିକଟକୁ ଲେଖାଯାଇଥିବା ଏକ ଚିଠିରୁ ଏହା ଜାଣିବାକୁ ମିଳିଛି ।

ସାହିତ୍ୟ ଏକାଡେମୀ ପ୍ରତିବର୍ଷ ଦେଶର ୨୪ଟି ସ୍ୱୀକୃତ ଭାଷାରେ ଚାରିଟି ପୁରସ୍କାର ପ୍ରଦାନ କରିଥାଏ। ସେହି ପୁରସ୍କାରଗୁଡ଼ିକ ହେଉଛି ୧. ସାହିତ୍ୟ ଏକାଡେମୀ ପୁରସ୍କାର, ୨. ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର, ୩. ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ଏବଂ ୪. ସାହିତ୍ୟ ଏକାଡେମୀ ବାଲ୍‍ ସାହିତ୍ୟ ପୁରସ୍କାର । ପ୍ରତିଟି ପୁରସ୍କାର ଘୋଷଣା ସହିତ ଚୂଡ଼ାନ୍ତ ପର୍ଯ୍ୟାୟର ତିନିଜଣିଆ ବିଚାରକ ମଣ୍ଡଳୀଙ୍କ ନାମ ଏବଂ ଚୂଡ଼ାନ୍ତ ଚୟନରେ ଥିବା ପୁସ୍ତକଗୁଡ଼ିକର ତାଲିକା ଘୋଷଣା କରାଯିବା ପାଇଁ ଏହିସବୁ ପୁରସ୍କାରର ନିୟମରେ ସ୍ପଷ୍ଟ ଉଲ୍ଲେଖ ରହିଛି । କିନ୍ତୁ ଏକାଡେମୀ ପକ୍ଷରୁ ପୁରସ୍କାର ଘୋଷଣା ସହିତ ତିନିଜଣିଆ ବିଚାରକଙ୍କ ନାମ ଘୋଷଣା କରାଯାଉଥିଲେ ମଧ୍ୟ, ଏଯାଏ ଚୂଡ଼ାନ୍ତ ଚୟନରେ ଥିବା ପୁସ୍ତକଗୁଡ଼ିକର ନାମ ଘୋଷଣା କରାଯାଉନାହିଁ।

ପୁରସ୍କାର ନିୟମ ପାଳନରେ ଅକାଦେମିର ଏହି ଗୁରୁତ୍ୱପୂର୍ଣ୍ଣ ବ୍ୟତିକ୍ରମ ସୂଚାଇ ସ୍ତମ୍ଭକାର ଅସିତ ମହାନ୍ତି ‘ସମ୍ବାଦ’ର ‘ସାହିତ୍ୟିକ ପାଣିପାଗ’ ସ୍ତମ୍ଭରେ ଗତ ଜାନୁଆରୀ ୧୧ ଓ ୨୫ ତାରିଖରେ ଦୁଇଟି ଲେଖା ଲେଖିଥିଲେ । ସେହି ଲେଖା ଦୁଇଟିର ଶୀର୍ଷକ ଥିଲା ‘ଅକାଦେମୀ ପୁରସ୍କାର: ଗୋପନୀୟତାର ଗୋପନ କଥା’ ଓ ‘ଅକାଦେମୀ ପୁରସ୍କାର: ଗୋପନୀୟତାର ଗଣ୍ଠି ଫିଟୁ’ । ସେହି ଲେଖା ପ୍ରକାଶ ପାଇବା ପରେ ଭୁବନେଶ୍ୱରର ସାହିତ୍ୟାନୁରାଗୀ ଓ ଅନୁବାଦକ ନରେନ୍ଦ୍ର ନାରାୟଣ ଦାଶ ଗତ ମାର୍ଚ୍ଚ ୧୯ ତାରିଖରେ ସାହିତ୍ୟ ଅକାଦେମୀର ସଚିବଙ୍କୁ ଏକ ଚିଠି ଲେଖି ପୁରସ୍କାର ନିୟମ ପାଳନରେ ଏହି ଗୁରୁତ୍ୱପୂର୍ଣ୍ଣ ଖିଲାପ ବାବଦରେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ତାହାର କପି ମଧ୍ୟ ଏକାଡେମୀ ର ସଭାପତିଙ୍କୁ ଦେଇଥିଲେ । ଏକାଡେମୀ ଏହି ତ୍ରୁଟି ସଂଶୋଧନ କରି ପୁରସ୍କାର ନିୟମକୁ ପୂର୍ଣ୍ଣ ଭାବରେ ପାଳନ କରୁ ବୋଲି ସେ ଅନୁରୋଧ କରିଥିଲେ ।

ସେହି ପତ୍ରର ଉତ୍ତରରେ ଏକାଡେମୀର ସଚିବ କେ. ଶ୍ରୀନିବାସନ, ଶ୍ରୀ ଦାଶଙ୍କୁ ମାର୍ଚ୍ଚ ୨୯ ତାରିଖ ଦିନ ଏକ ସ୍ୱତନ୍ତ୍ର ଚିଠି ଲେଖି ଜଣାଇଛନ୍ତି ଯେ ଏଣିକି ଅକାଦେମି ତାର ପୁରସ୍କାର ନିୟମ ପାଳନ କରି ପୁରସ୍କାର ଘୋଷଣା ସହିତ ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକଙ୍କ ନାମ ଓ ଚୂଡ଼ାନ୍ତ ଚୟନରେ ଥିବା ପୁସ୍ତକଗୁଡ଼ିକର ତାଲିକା ନିଶ୍ଚିତ ଭାବରେ ଘୋଷଣା କରିବ ।

ଆଗାମୀ ୧୪ ତାରିଖ ଦିନ ତ୍ରିପୁରାର ରାଜଧାନୀ ଅଗରତାଲାଠାରେ ଏକାଡେମୀର ୨୦୧୮ ବର୍ଷର ଅନୁବାଦ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ସେହି ଅବସରରେ ସାଧାରଣ ବୈଠକ ବସି ୨୦୧୯ର ଯୁବ ପୁରସ୍କାର ଓ ବାଲ୍‍ ସାହିତ୍ୟ ପୁରସ୍କାର ଘୋଷଣା ହେବାର କାର୍ଯ୍ୟକ୍ରମ ରହିଛି । ସେହି ଘୋଷଣା ସହିତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *