ଆଜି ଅର୍ଚ୍ଚିତାଙ୍କ ହାତ ଧରିବେ ଅଭିନେତା ସବ୍ୟସାଚୀ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ଅର୍ଚ୍ଚିତାଙ୍କ ହାତ ଧରିବେ ଅଭିନେତା ସବ୍ୟସାଚୀ ମିଶ୍ର । ବିବାହ ବନ୍ଧରେ ବାନ୍ଧିହେବେ ଦୁଇ ପ୍ରେମପକ୍ଷୀ । ଓଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ତଥା ସୁପର୍‌ଷ୍ଟାର ସବ୍ୟସାଚୀ ମିଶ୍ର ଏବଂ ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁଙ୍କର ସୋମବାର ବାହାଘର ହେବ । ଏ ନେଇ ଦୁହେଁ ନିଜ ନିଜର ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ଜଣାଇଛନ୍ତି। ରାଜସ୍ଥାନରେ ଏକ ବିଳାସପୂର୍ଣ୍ଣ ହୋଟେଲ୍‌ରେ ଅଳ୍ପ କିଛି ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏହି ବିବାହ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

ଅନେକ ଦିନ ଧରି ସବ୍ୟ-ଅର୍ଚ୍ଚିତାଙ୍କ ଯୋଡ଼ି ବିଷୟରେ ଅନେକ କଥା ଶୁଣିବାକୁ ମିଳୁଥିଲା । ଦୁହିଁଙ୍କ ଭିତରେ ବନ୍ଧୁତା ଏବଂ ପରେ ପ୍ରେମ ଆଉ ଖୁବ୍‌ଶୀଘ୍ର ବାହାଘର ମଧ୍ୟ ହେଉଛି ବୋଲି ଶୁଣିବାକୁ ମିଳିଥିଲା । ରବିବାର ଏ ନେଇ ଉଭୟ ସୂଚନା ଦେବା ପରେ ଦୁହିଁଙ୍କ ପ୍ରଶଂସକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଅର୍ଚ୍ଚିତା ନିଜ ଫେସ୍‌ବୁକ୍‌ ପେଜ୍‌ରେ ଲେଖିଛନ୍ତି ଯେ, ସୁଖ ଆଉ ଦୁଃଖର ନାମ ଜୀବନ । ଅନେକ ଥର ଲାଗେ ସବୁକିଛି ସରିଗଲା । ହେଲେ ଭଗବାନ ସବୁବେଳେ ନିଷ୍ଠୁର ହୁଅନ୍ତି ନାହିଁ । ବୋଧେ ସେଥିପାଇଁ ମତେ ଏମିତି ଏକ ଜୀବନସାଥୀ ମିଳିପାରିଲା । ଆପଣଙ୍କ ଆଶୀର୍ବାଦ ଆଉ ଭଲପାଇବା ଆମର ସବୁ ଯାତ୍ରାକୁ ସଫଳ କରିବ। ସୋମବାର ଆମର ବାହାଘର । ଆମ ପାଇଁ ନିଶ୍ଚୟ ଠାକୁରଙ୍କୁ ଡାକିବେ । ସେହିପରି ଅନୁରୂପ ଭାବେ ସବ୍ୟସାଚୀ ମଧ୍ୟ ତାଙ୍କର ପ୍ରଶଂସକ ମାନଙ୍କୁ ତାଙ୍କର ସୁଖୀ ଜୀବନ ପାଇଁ ଆଶୀର୍ବାଦ କରିବାକୁ ନିବେଦନ କରିଛନ୍ତି ।

ଅଭିନେତା ସବ୍ୟସାଚୀ ୨୦୦୭ରୁ ‘ପାଗଳପ୍ରେମୀ’ ଚଳଚ୍ଚିତ୍ର ମାଧ୍ୟମରେ ଓଲିଉଡ୍‌ରେ ଏଣ୍ଟ୍ରି କରିଥିବା ବେଳେ ଅର୍ଚ୍ଚିତା ୨୦୦୫ରେ ‘ଓ ମାଇଁ ଲଭ୍‌’ରେ ପ୍ରଥମଥର ଅଭିନୟ କରିବାର ସୁଯୋଗ ପାଇଥିଲେ। ସବ୍ୟସାଚୀ ଏଯାବତ ୩୭ର ଊର୍ଦ୍ଧ୍ୱ ସିନେମାରେ ଏବଂ ଅର୍ଚ୍ଚିତା ୪୦ରୁ ଅଧିକ ଫିଲ୍ମରେ କାମ କରି ସାରିଛନ୍ତି। ଦୁହିଁଙ୍କ ମଧ୍ୟରେ ‘ସପନର ସୌଦାଗର’ ଚଳଚ୍ଚିତ୍ରରୁ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଯାହା ୨୦୦୮ରେ ମୁକ୍ତିଲାଭ କରିବା ପରେ ଏହି ଯୋଡ଼ିକୁ ଦର୍ଶକ ଅଧିକ ଭଲ ପାଇବେ ଦେଇଥିଲେ।

Leave a Reply

Your email address will not be published. Required fields are marked *