ପ୍ରଯୋଜକ ତଥା ପ୍ରଚାରକ ଜିତେନ୍ଦ୍ର ମିଶ୍ରଙ୍କ ସହ ହାତ ମିଳାଇଲେ ସବ୍ୟସାଚୀ

ଭୁବନେଶ୍ୱର, (ଓଡିଶା ଟାଇମ୍): ବିଶ୍ୱବ୍ୟାପୀ ଫିଲ୍ମ ପ୍ରଚାର ପାଇଁ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଜିତେନ୍ଦ୍ର ମିଶ୍ରଙ୍କ ସହ ହାତ ମିଶାଇଲେ ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ର ।

ପାହାଡର ଲୁହ (ଜାତୀୟ ପୁରସ୍କାର), ଆଦିମ ବିଚାର (ଜାତୀୟ ପୁରସ୍କାର), ଏବଂ ସଲା ବୁଢା ଭଳି ମନୋନୀତ ଚଳଚ୍ଚିତ୍ରକୁ ବିଶ୍ୱସ୍ତରୀୟ ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା ତଥା ପ୍ରମୋଟର ଜିତେନ୍ଦ୍ର ମିଶ୍ରଙ୍କ ସହ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ର ଅଣ୍ଟା ଭିଡ଼ି ଛନ୍ତି ।

ଏନେଇ ସେମାନେ ଅଗଷ୍ଟ ୧ ତାରିଖରେ ‘ଦି ସମ୍ବଲପୁରୀ ଦିବସ’ (ସମ୍ବଲପୁରୀ ଦିନ୍) ଘୋଷଣା କରିବେ । ଏହି ଫିଲ୍ମ ଗୁଡ଼ିକ ପାଇଁ ଜିତେନ୍ଦ୍ର ଏବଂ ତାଙ୍କ ଟିମ୍ ଆନ୍ତର୍ଜାତୀୟ ସ୍ତରରେ ଏକ ସୁଯୋଗର ସନ୍ଧାନ କରିବେ ।
୪୦ ରୁ ଅଧିକ ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ପୁରସ୍କାରରେ ପୁରସ୍କୃତ ହୋଇଥିବା ସବ୍ୟସାଚୀ ମହାପାତ୍ର ଓଡିଆ,ସମ୍ବଲପୁରୀ-କୋଶଲି ଭାଷାରେ ପ୍ରଭାବଶାଳୀ ଚଳଚ୍ଚିତ୍ର ନିର୍ମାଣ କରି ଆନ୍ତର୍ଜାତୀୟ ସ୍ତରରେ ଜଣାଶୁଣା।

ସେ ତାଙ୍କ ଚଳଚ୍ଚିତ୍ର ପାହାଡର ଲୁହ, ଆଦିମ ବିଚାର ପାଇଁ କ୍ରମାଗତ ଦୁଇ ବର୍ଷ ସମ୍ମାନଜନକ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଛନ୍ତି।

ତାଙ୍କର ଅଧିକାଂଶ ଚଳଚ୍ଚିତ୍ର ପଶ୍ଚିମ ଓଡ଼ିଶାର ଆଦିବାସୀ ସମାଜର ସୌନ୍ଦ‌ର୍ଯ୍ୟ, ସମୃଦ୍ଧ ସଂସ୍କୃତି ଏବଂ ଏହାର ସାଂସ୍କୃତିକ ଐତିହକୁ ଚିତ୍ରିତ କରିଛନ୍ତି । ଓଡିଆ ସିନେମାରେ ତାଙ୍କର ଅବଦାନ ତଥା ପଶ୍ଚିମ ଓଡ଼ିଶାର ଆଦିବାସୀ ସଂସ୍କୃତିକୁ ଏକ ନୂତନ ପରିଚୟ ଦେଇଥିବାରୁ ତାଙ୍କୁ ସମ୍ମାନ ଜଣାଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରିଥିଲା।

ଏନେଇ ସବ୍ୟସାଚୀ ମହାପାତ୍ର କୁହନ୍ତି, “ଜିତେନ୍ଦ୍ର ମିଶ୍ର ଏକ ବିରଳ ପ୍ରତିଭା, ଯାହାଙ୍କର ଭଲ ସିନେମା ପାଇଁ ବଳିଷ୍ଠ ଦୃଷ୍ଟିକୋଣ ମଧ୍ୟ ରହିଛି । ସେ ଆନ୍ତର୍ଜାତୀୟ ସ୍ତରରେ ନିଜ ପାଇଁ ଏକ ସ୍ଥାନ ତିଆରି କରିପାରିଥିବାରୁ ମୁଁ ତାଙ୍କର ଖୁବ୍ ପ୍ରଶଂସା କରେ । ତାଙ୍କ ସହ ହାତ ମିଳାଇ ମୁଁ ଅତ୍ୟନ୍ତ ଖୁସି। ମୁଁ ନିଶ୍ଚିତ ଯେ ଆମେ ଆମର ସୁନ୍ଦର ଇତିହାସ, ସଂସ୍କୃତି ଏବଂ ମୂଲ୍ୟବୋଧକୁ ବିଶ୍ୱ ସ୍ତରରେ ଉପସ୍ଥାପନ କରିବାରେ ସକ୍ଷମ ହେବୁ”।

ସେହିପରି ଜିତେନ୍ଦ୍ର କୁହନ୍ତି ଯେ ମୁଁ ସବ୍ୟସାଚୀଙ୍କ ଫିଲ୍ମର ଜଣେ ବଡ ପ୍ରଶଂସକ । ତାଙ୍କ ଦ୍ୱାରା ୧୯୮୯ ମସିହାରେ ନିର୍ମିତ ‘ଭୁଖା’ ଚଳଚ୍ଚିତ୍ର ଦ୍ୱାରା ମୁଁ ଗଭୀର ଅନୁପ୍ରାଣିତ ହୋଇଥିଲି । ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ଚଳଚ୍ଚିତ୍ର ମାଧ୍ୟମରେ ଆମ ଅଞ୍ଚଳ ତଥା ରାଜ୍ୟର ସମୃଦ୍ଧ କଳା, ସଂସ୍କୃତି, ପରମ୍ପରାର ମହତ୍ୱକୁ ପ୍ରଚାର ଓ ପ୍ରସାର କରିବାର ସୁଯୋଗ ପାଇ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ।

ଟିଟିଲାଗଡରେ ଜନ୍ମଗ୍ରହଣ କରିଥିବା ଜିତେନ୍ଦ୍ର ମିଶ୍ର ହେଉଛନ୍ତି ଭାରତୀୟ ଚଳଚ୍ଚିତ୍ର ନିର୍ମାତା ତଥା ପ୍ରମୋଟରଙ୍କ ମଧ୍ୟରୁ ଅନ୍ୟତମ, ଯେଉଁମାନେ ଆନ୍ତର୍ଜାତୀୟ ସ୍ତରରେ ‘ଫିଲ୍ମ ପ୍ରଡକ୍ସନ, ଡିଷ୍ଟ୍ରିବୁସନ୍ ଓ ପ୍ରମୋସନ’ କ୍ଷେତ୍ରରେ ଏକ ବେଞ୍ଚ ମାର୍କ ପ୍ରତିଷ୍ଠା କରିପାରିଛନ୍ତି ।

ନୀନା ଗୁପ୍ତାଙ୍କ ଅଭିନୀତ ତଥା ସେଫ୍ ବିକାଶ ଖାନ୍ନାଙ୍କ ନିର୍ଦ୍ଦେଶିତ ହିନ୍ଦୀ ଫିଲ୍ମ ‘ଦି ଲାଷ୍ଟ କଲର୍‌’ର ପ୍ରଯୋଜନା ଦାୟିତ୍ୱ ତୁଲାଇଥିଲେ ଜିତେନ୍ଦ୍ର ମିଶ୍ର । ଯାହା ଓସ୍କାର ରେସରେ ରହି ପାରିଥିଲା। ଏହି ଚଳଚ୍ଚିତ୍ରଟି ୫୦ ରୁ ଅଧିକ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ମନୋନୀତ ହୋଇସାରିଛି ଏବଂ ବର୍ତ୍ତମାନ ସୁଦ୍ଧା ୧୫ ରୁ ଅଧିକ ବିଭିନ୍ନ ପୁରସ୍କାର ଗ୍ରହଣ କରିଛି।

ସମ୍ମାନଜନକ ‘ଓଡ଼ିଶାର ପୁତ୍ର’, ‘ୟଙ୍ଗ ଜୁରି’, ‘ୟୁଥ୍ ଆଇକନ୍’ ଏବଂ ଅନ୍ୟାନ୍ୟ ପୁରସ୍କାର ସହ ଜିତେନ୍ଦ୍ର ଶିଶୁ ତଥା ଯୁବକମାନଙ୍କ ପାଇଁ ଚଳଚ୍ଚିତ୍ରର ବିଶ୍ୱର ସର୍ବ ପୁରାତନ ମିଡିଆ ନେଟୱର୍କ ନିର୍ଦ୍ଦେଶକ ବୋର୍ଡ ପାଇଁ ମନୋନୀତ ହୋଇଛନ୍ତି ।

ଗତ ୮ ବର୍ଷ ଧରି ସେ କାନ୍ସ ପ୍ରଡ୍ୟୁସର ନେଟୱର୍କର ଜଣେ ସକ୍ରିୟ ସଦସ୍ୟ ଭାବରେ କାର୍ଯ୍ୟ କରି ଆସୁଛନ୍ତି ।

ଏପରିକି ୨୫ ରୁ ଅଧିକ ଅଗ୍ରଣୀ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜିତେନ୍ଦ୍ର ଅନ୍ତର୍ଜାତୀୟ ପ୍ରଫେସନାଲ୍ ଜୁରି ଭାବରେ ମନୋନୀତ ହୋଇଛନ୍ତି । ଏହାଛଡା ସେ ଏପରି ଜଣେ ଭାରତୀୟ ଯିଏକି ସମ୍ମାନଜନକ ୟୁରୋପିଆନ୍ ଚିଲଡ୍ରେନ୍ସ ଫିଲ୍ମ ଆସୋସିଏସନ୍ ଜୁରି ଭାବରେ ମନୋନୀତ ହୋଇଛନ୍ତି।

 

Leave a Reply

Your email address will not be published. Required fields are marked *