ଓଡ଼ିଶା ପୁନର୍ଗଠନର ମହାନାୟକ: ହରେକୃଷ୍ଣ ମହତାବ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):   ସେତେବେଳର ପ୍ରମିୟର ଅର୍ଥାତ୍‌  ସମ୍ବିଧାନ ପ୍ରଣୟନ ହେବା ପୂର୍ବରୁ ଓଡ଼ିଶାର ପ୍ରଧାନମନ୍ତ୍ରୀ ଥିବା ହରେକୃଷ୍ଣ ମହତାବଙ୍କ ଆଗରେ ଯେଉଁସବୁ ପ୍ରମୁଖ ଚ୍ୟାଲେଞ୍ଜ ରହିଥିଲା ସେଥିରେ ପ୍ଲାରମୁଖ ଥିଲା ଗଡ଼ଜାତ ମିଶ୍ରଣ। ପୁଣି ଶ୍ରୀ ମହତାବ ସେତେବେଳେ ଓଡ଼ିଶାର ଗଡ଼ଜାତଗୁଡ଼ିକୁ ମୁଖ୍ୟପ୍ରଦେଶରେ ସାମିଲ୍‌ କରିବା ଲାଗି ଯେଉଁ ଅଦମ୍ୟ ସାହସ ଓ ଦୂରଦୃଷ୍ଟି ପୋଷଣ କରିଥିଲା ତାହା ଭାରତୀୟ ରାଜନୀତିର ମୋଡ଼ ପରିବର୍ତ୍ତନରେ ଆଉ ଏକ ଉଦାହରଣ ହୋଇଥିଲା। ତାଙ୍କରି ସମୟରେ ଭାରତର ପ୍ରଥମ ଗଡ଼ଜାତ ମିଶ୍ରଣ  ଓଡ଼ିଶାରେ ହୋଇଥିଲା। ଆଉ ପରେ ଏହାକୁ ଦୃଷ୍ଟାନ୍ତ ଆକାରରେ ଗ୍ରହଣ କରିଥିଲା ଭାରତର ରାଜନୀତିକ ଶାସନ।  ଆଜି ତାଙ୍କ ଜନ୍ମବାର୍ଷିକୀ ଅବସରରେ  ସ୍ୱତନ୍ତ୍ର ଉପସ୍ଥାପନା

ବ୍ରିଟିଶ୍ ସଂସଦରେ ଭାରତ ସ୍ବାଧୀନତା ଆଇନ ପାରିତ ହେବା ପରେ ଜୁଲାଇ ୧୮ ତାରିଖ ୧୯୪୭ ମସିହାରେ ଏହା ବ୍ରିଟିଶ୍ ରାଣୀଙ୍କ ଅନୁମୋଦନ ଲାଭ କଲା। ଏହା ଶୁଣି ସାରା ଭାରତବର୍ଷ ଖୁସିରେ ନାଚୁଥାଏ କିନ୍ତୁ ଭିତରେ ଭିତରେ ରାଜନୀତିକ ରୋଷ, ବିଦ୍ବେଷ ଓ କୂଟନୀତି ଜମାଟ ବାନ୍ଧି ଅନେକ ଅଘଟଣର ଅଙ୍କୁରୋଦ୍ଗମ କରୁଥାଏ। ଆଉ ଏସବୁକୁ କଳେ, ବଳେ ବା କୌଶଳେ ଦମନ କରିବା ତତ୍କାଳୀନ ନେତାଙ୍କ ଆଗରେ ଗୋଟିଏ ଗୋଟିଏ ଆହ୍ବାନ ସୃଷ୍ଟି କରୁଥାଏ। ଏହି ଆହ୍ବାନ ଗୁଡ଼ିକ ଭିତରେ ପ୍ରମୁଖ ଥିଲା ଦେଶ ଭିତରେ ଅନେକ ଦେଶ, ଅନେକ ଶାସନ ଓ ସୀମା ସାର୍ବଭୌମତ୍ବ । ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡ଼ିକ ସେମିତି ସମସ୍ୟାସବୁ ସୃଷ୍ଟି କରୁଥାଆନ୍ତି। ଅର୍ଥାତ୍ ଭାଷା ଦୃଷ୍ଟିରୁ ଏକ ଦଶନ୍ଧି ତଳେ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିବା ଓଡ଼ିଶାରେ ନିର୍ବାଚିତ ସରକାରଙ୍କ ଶାସନ ସହ ସମାନ୍ତରାଳ ଭାବେ ଅନେକ ରାଜା ମହାରାଜାଙ୍କ ଶାସନ ଚାଲୁଥାଏ। ଏମିତି ଚାଲିଲେ ଓଡ଼ିଶା ଫାଳ ଫାଳ ହେବାର ଆଶଙ୍କା ଥାଏ।

କିଛିଦିନ ପରେ ପୂର୍ବରୁ ବ୍ରିଟିଶ୍ ଭାରତର ଅଞ୍ଚଳଠାରୁ ଭିନ୍ନ ବୋଲି ଘୋଷଣା କରି ଏହି ଗଡ଼ଜାତ ରାଜ୍ୟଗୁଡ଼ିକ ନିଜ ପାଇଁ ସ୍ୱତନ୍ତ୍ର ଶାସନ ପ୍ରତିଷ୍ଠା କଲେ । ସେପଟେ କିଛି ଅଦୂରଦର୍ଶୀ ପ୍ରଜାମଣ୍ଡଳ ନେତାମଧ୍ୟ ରାଜାମାନଙ୍କ ଛଳନା ଜାଲରେ ବାନ୍ଧି ହୋଇଯାଇଥିଲେ ପ୍ରାୟ । ଏତିକି ବେଳେ ଚତୁରତାର ଜାଲ ବୁଣିଥିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌, ସେତେବେଳର ଓଡ଼ିଶା ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଓ ସ୍ୱରାଷ୍ଟ୍ର ସଚିବ ଭିପି ମେନନ୍ । ଯାହାଙ୍କ ଉଦ୍ୟମରେ ଓଡ଼ିଶାରୁ ଗଡ଼ଜାତ ଶାସନ ଲୋପ ପାଇଥିଲା, ୧୯୪୮ ଜାନୁୟାରୀ୧ରେ ।

କିନ୍ତୁ ଏସବୁ ଦିନକରେ ସମ୍ଭବ ହୋଇ ନଥିଲା । ମୁଁ ଆପଣଙ୍କୁ ଏହାର କିଛିଦିନ ପୂର୍ବ ଘଟଣାକୁ କହିବାକୁ ଚାହିଁବି। ସେଦିନ ୧୯୪୭ ଅଗଷ୍ଟ ମାସ ପହିଲା ଥିଲା । ରାୟପୁରଠାରେ ସେମାନେ ଏକାଠି ହୋଇ ସଡ଼ିଶାର ରାଜାମାନେ ନିଜ ଭିତରେ ଏକ ୟୁନିୟନ୍ ଘୋଷଣା କଲେ । ଯାହାର ନାଁ ରହିଲା ଇଷ୍ଟର୍ଣ୍ଣ ଷ୍ଟେଟ୍ସ ଏଜେନ୍ସୀ । ଏହା ରାଜ୍ୟ ଭିତରେ ସମାନ୍ତରାଳ ଶାସନ ଚଳାଇବାକୁ ପ୍ରସ୍ତୁତ ହେଲା । ଏଥିପାଇଁ ଏକ ସମ୍ବିଧାନ ମଧ୍ୟ ଘୋଷଣା କରାଗଲା । ଏହ ସମ୍ବିଧାନ ଅନୁସାରେ ରାଜାମାନେ ଶାସନର ମୁଖ୍ୟ ରହିବେ । ତାଙ୍କ ନାଁରେ ପ୍ରତି ରାଜ୍ୟରେ ଶାସନ ଚଳାଇବେ ଜଣେ ଜଣେ ପ୍ରିମିୟର୍ । ପୁଣି ପ୍ରମିୟରଙ୍କୁ ଶାସନ କାର୍ଯ୍ୟରେ ସହାୟତା ପାଇଁ ଜଣେ ମୁଖ୍ୟ ସଚିବ, ଯୁଗ୍ମ ପୁଲିସ ବ୍ୟବସ୍ଥା, ଜଣେ ପୁଲିସ ଆଇଜି ଏବଂ ଏକ କୋର୍ଟ ମଧ୍ୟ ରଖିବାର ବ୍ୟବସ୍ଥା ରଖିବା ଲାଗି ବ୍ୟବସ୍ଥା ହେଲା । ପୁଲିସ ବ୍ୟବସ୍ଥାକୁ ଇଷ୍ଟଣ୍ଣ ଷ୍ଟେଟ୍‌ସ ଏଜେନ୍ସୀ ପୁଲିସ୍ ବୋଲି କୁହାଗଲା । ଯାହାର ମୁଖ୍ୟ ହେଲେ ଜଣେ ଇଂଲିଶ୍ ଅଫିସର । ପଠାନ୍ ଏବଂ ପଞ୍ଜାବୀ ଲୋକଙ୍କୁ ଏଥିରେ ନିଯୁକ୍ତି ଦିଆଗଲା । କୌଣସି ରୂପେ ଦେଶୀୟ ଲୋକ ଏଥିରେ ଚାକିରି ପାଇଲେ ନାହିଁ । ଏହାର ଅର୍ଥ ଥିଲା ଦେଶୀୟ ଲୋକ ବିରୋଧ କଲେ ସେମାନଙ୍କ ଦମନ ସୁନିଶତଚିତ। ଏହା ରାଜାମାନଙ୍କ ଦମନମୂଳକ ପନ୍ଥାକୁ ସ୍ପଷ୍ଟ ହୋଇଗଲା ।

ରାଜାମାନଙ୍କ ଏହି ୟୁନିୟନ୍ ପଛର ମୁଖ୍ୟ କାରଣ ଥିଲା ଓଡ଼ିଶା ପ୍ରଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବଙ୍କୁ ଚ୍ୟାଲେଞ୍ଜ୍ ଦେବା । କାରଣ ସେ ଚହୁଁଥିଲେ ଗୋଟିଏ ରାଜ୍ୟରେ ଗୋଟିଏ ଶାସନ। ଏକାଧିକ ଶାସନ ବ୍ୟବସ୍ଥା ଅରାଜକତା ଆଣିବ ବୋଲି ସେ ରାଷ୍ଟ୍ରୀୟ ନେତାଙ୍କୁ ସ୍ପଷ୍ଟ କହୁଥିଲେ। ଏଣୁ ବିରୋଧ ଅବଶ୍ୟମ୍ଭାବୀ ହୋଇପଡ଼ିଥିଲା।

ହେଲେ ଏଥିରେ ମୟୁରଭଞ୍ଜ, ବସ୍ତର୍ ଭଳି ବୃହତ୍ ରାଜ୍ୟଗୁଡ଼ିକ ସାମିଲ୍ ହୋଇ ନଥିଲେ । କଳାହାଣ୍ଡି, ପାଟଣା, ଢେଙ୍କାନାଳ, ଷଢ଼େଇକଳା ରାଜା ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ । ୨୫ ଜୁଲାଇ ୧୯୪୭ରେ ରାଜାମାନେ ଗଭର୍ଣ୍ଣର ଜେନେରାଲ୍ ମାଉଣ୍ଟବ୍ୟାଟେନ୍‌ଙ୍କ ସହ ଆଲୋଚନା କରି ନିଜର ସ୍ୱତନ୍ତ୍ରତା ବଜାୟ ରଖିବାକୁ ଦାବି କରିଥିଲେ । ଚାମ୍ବର ଅଫ ପ୍ରିନ୍ସେସ୍‌ରେ ସେଦିନ ଲର୍ଡ଼ ମାଉଣ୍ଟବ୍ୟାଟେନ୍ ମଧ୍ୟ ସେମାନଙ୍କୁ ଏ ବିଷୟରେ ଆଶ୍ୱାସନା ଦେଲେ । ଏହା ପୂର୍ବରୁ ୫ ଜୁଲାଇ ଦିନ ସର୍ଦ୍ଦାର୍ ପଟେଲ୍ ମଧ୍ୟ ରାଜ୍ୟ ମାନଙ୍କ ସହ କିପରି ସମ୍ପର୍କ ବୃଦ୍ଧି ପାଇପାରିବ ସେ ନେଇ ଆଲୋଚନା କରିଥିଲେ । ସେମାନଙ୍କ ଐକ୍ୟ ବଜାୟ ରଖିବାକୁ ଉଦ୍ୟମ ଚାଲିଥିଲା ।


କିନ୍ତୁ ରାଜାମାନଙ୍କ ଏପରି ୟୁନିୟନ୍ ‘ବି’ କ୍ଲାସ୍ ରାଜ୍ୟଗୁଡ଼ିକ ଉପରେ କିଛି ପ୍ରଭାବ ପକାଇ ନଥିଲା । ଧୀରେ ଧୀରେ ନୀଳଗିରି ଓ ଢେଙ୍କାନାଳରେ ପରିସ୍ଥିତି ଅଶାନ୍ତ ହେବାରେ ଲାଗିଲା । ଢେଙ୍କାନାଳରେ ରାଜା ଅନେକ ଦିନ ରାଜ୍ୟ ବାହାରେ ରହିଲାପରେ ରାଜ୍ୟ ଭିତରକୁ ପୁଣି ଆସିବାରୁ ପରିସ୍ଥିତି ଜଟିଳ ହୋଇଥିଲା ।

ଏଠାରେ ନୀଳଗିରିର ପରିସ୍ଥିତି ଉଲ୍ଲେଖନୀୟ। ସେପଟେ କଶ୍ମୀରରେ ଯେମିତି ମେଳି ହୋଇଥିଲା ସେଠାକାର ଶାସନ ବ୍ୟବସ୍ଥାକୁ ନେଇ ଠିକ୍ ସେମିତି ନୀଳଗିରିରେ ଆଦିବାସୀ ମେଳି ଆରମ୍ଭ ହେଲା । ଧୀରେ ଧୀରେ ରାଜାଙ୍କ ଉଆସ ଆଡ଼କୁ ଆଦିବାସୀ ମାଡ଼ି ଚାଲିଲେ । ରାଜା ଏ ବଷୟରେ ଖବର ପାଇ ନବ ଗଠିତ ଇଷ୍ଟର୍ଣ୍ଣ ଷ୍ଟେଟ୍ସ ୟୁନିୟନ୍‌ର ସହାୟତା ମାଗିଲେ । ପଠାନ୍ ଓ ପଞ୍ଜାବୀ ପୁଲିସ ସବୁ ଏକାଠି ହେଲେ । ରାଜାଙ୍କୁ ବଞ୍ଚାଇବା ଲାଗି ଅନେକ ଉଦ୍ୟମ ହେଲା । ପ୍ରଜାମେଳି କିଛି ସମୟ ପାଇଁ ଥମିଲା । କିନ୍ତୁ ଏହା ପୁଣି ଉଗ୍ର ହେଲା ନଭେମ୍ବର ମାସରେ । ଏହାକୁ ଆୟତ୍ତ କରିବା ଲାଗି କେନ୍ଦ୍ର ଗୃହ ବିଭାଗରୁ ଚାପ ପଡ଼ିବା ପରେ ପ୍ରିମିୟର୍ ହରେକୃଷ୍ଣ ମହତାବ ସ୍ୱରାଷ୍ଟ୍ର ବିଭାଗର ଅନୁମତି ଚାହିଁଲେ।

ଏ ଅନୁମତି କ’ଣ ପାଇଁ ହୋଇଥିବ? ସିଧାସଳଖ ଭାବେ ନହେଲେ ବି ପରୋକ୍ଷରେ ନୀଳଗିରିର ଶାସନକୁ ପ୍ରଦେଶ ସରକାର ହାତକୁ ନେବାଲାଗି ବିଚାର ହେଲା । କିନ୍ତୁ ସ୍ବରାଷ୍ଟ୍ର ବିଭାଗ ଏଥିଲାଗି ସିଧା ସିଧା କୌଣସି ଅନୁମତି ଦେଇ ନଥିଲେ। କାରଣ ଦେଶରେ ବିଭାଜନ ଏବଂ ଦଙ୍ଗା ପରି ଯେଉଁ ସମସ୍ୟା ଲାଗି ରହିଥିଲା ତାହା ଆଉ ଏକ ଦେଶୀୟ ବିବାଦକୁ ନିୟନ୍ତ୍ରଣ କରି ପାରିବ ବୋଲି ଦୃଢ଼ ଆଶା ପୋଷଣ କରିପାରୁ ନଥିଲା।ତଥାପି ସ୍ୱରାଷ୍ଟ୍ର ବିଭାଗର ଅନୁମତି ମିଳିଲା ପରେ ୧୪ ନଭେମ୍ବରରେ ଚତୁରତାର ସହ ପ୍ରଦେଶ ସରକାରଙ୍କ ପୁଲିସ ବାହିନୀ ନିଳଗିରି ଅଭିମୁଖେ ଚାଲିଲେ । ସେତେବେଳେ ପ୍ରଦେଶ ପୁଲିସ ଆଇଜି ପିଅର୍‌ମେନ୍ ଏହାର ନେତୃତ୍ୱ ନେଉ ଥାଆନ୍ତି । ଗଡ଼ଜାତ ରାଜ୍ୟ ପ୍ରଶାସନର କମିଶନର ନୀଳମଣି ସେନାପତି, ମୁଖ୍ୟ ସଚିବ ବିସି ମୁଖାର୍ଜୀ, ରାଜ୍ୟ ମନ୍ତ୍ରିମଣ୍ଡଳର ପ୍ରମୁଖ ସଦସ୍ୟ ନବକୃଷ୍ଣ ଚୌଧୁରୀ ଏହାକୁ ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଥିଲେ । ଆଉ ଦିଲ୍ଲୀରେ ଥାଇ ଶ୍ରୀ ମହତାବ ଏହାକୁ ସୁଚାରୁ ରୂପେ ନିୟନ୍ତ୍ରଣ କରୁଥାଆନ୍ତି। ଲକ୍ଷ୍ୟ ସଫଳ ହେଲା । ନୀଳଗିରିର ଶାସନକୁ ବାଲେଶ୍ୱର ପ୍ରଶାସନ ହାତରେ ଦିଆଗଲା । ଯଦିଓ ରାଜାଙ୍କୁ ଉଚ୍ଛେଦ କରାଗଲା ବୋଲି କିଛି ବିଧିବଦ୍ଧ ଭାବେ କୁହାଗଲା ନାହିଁ କିନ୍ତୁ ରାଜାଙ୍କ ହାତରେ କୌଣସି କ୍ଷମତା ରହିଲା ନାହିଁ। ରାଜାଙ୍କ କ୍ଷମତାସବୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଉପରେ ନ୍ୟସ୍ତ ରହିଲା। ଏହାପରେ ଆରମ୍ଭ ହେଲା ଅନ୍ୟ ରାଜ୍ୟଗୁଡ଼ିକୁ ମିଶାଇବାର ପ୍ରକ୍ରିୟା ।

ପରବର୍ତ୍ତୀ ସମୟରେ ଗଡ଼ଜାତ ରାଜ୍ୟଗୁଡ଼ିକରେ ବଢ଼ୁଥିବା ସମସ୍ୟାଗୁଡ଼ିକୁ ଭାରତ ଭୂଖଣ୍ଡରେ ଗୋଟିଏ ଗୋଟିଏ ଘା’ ବୋଲି ବିଚାର କଲେ ଭାରତ ସରକାରଙ୍କ ସ୍ବରାଷ୍ଟ୍ର ବିଭାଗ । ଏହାକୁ ତୁରନ୍ତ ଭଲ କରିବା ବା ମୂଳପୋଛ କରିବା ପାଇଁ ସ୍ୱରାଷ୍ଟ୍ର ବିଭାଗ ଚିନ୍ତା କଲାପରେ ଓଡ଼ିଶାରୁ ଆରମ୍ଭ ହେଲା ରାଜ୍ୟ ମିଶ୍ରଣ ପ୍ରକ୍ରିୟା । ୧୪ଡିସେମ୍ବରରେ କଟକରେ ପହଞ୍ଚିଲେ ସର୍ଦ୍ଦାର୍ ପଟେଲ୍‌, ଭିପି ମେନନ୍ ତଥା ଅନ୍ୟ ଅଧିକାରୀ । ରାଜ୍ୟ ପକ୍ଷରୁ ହରେକୃଷ୍ଣ ମହତାବ, ଶ୍ରୀ ସେନାପତି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । ସକାଳ ୧୦ଟା ବେଳେ ଆଠଗଡ଼, ବଡ଼ମ୍ବା, ଦଶପଲ୍ଲା, ହିନ୍ଦୋଳ, ଖଣ୍ଡପଡ଼ା, ଖରସୁଆଁ, ନରସିଂହପୁର, ନୀଳଗିରି, ପାଳଲହଡ଼ା, ରଣପୁର ଏବଂ ତାଳଚେର ପରି ‘ବି’ ବର୍ଗୀୟ ରାଜାମାନେ ଏବଂ ଅପରାହ୍ଣରେ ବାମଣ୍ଡା, ବୌଦ୍ଧ, ଢେଙ୍କାନାଳ, ଗାଙ୍ଗପୁର, କଳାହାଣ୍ଡି, କେନ୍ଦୁଝର, ମୟୁରଭଞ୍ଜ, ନୟାଗଡ଼, ପାଟଣା, ଷଢେଇକଳା, ସୋନ୍‌ପୁର ପ୍ରଭୃତି ‘ଏ’ ବର୍ଗୀୟ ରାଜାମାନେ ଏକାଠି ହୋଇ ଆଲୋଚନା କଲେ । ଅନେକ ତର୍ଜମା ପରେ ସେମାନେ ବାଧ୍ୟ ହେଲେ ନିଜ ପ୍ରିଭି ପର୍ସରେ ସନ୍ତୁଷ୍ଟ ହେବା ପାଇଁ । ଆଉ ଓଡ଼ିଶାରେ ମିଶିବାକୁ ସହମତି ଦେଲେ । ହେଲେ ଏଥିରେ ମୟୁରଭଞ୍ଜ ସାମିଲ୍ ନଥିଲା । ମୟୁରଭଞ୍ଜରେ ପୂର୍ବରୁ ଏକ ବ୍ୟବସ୍ଥାପିକା କାର୍ଯ୍ୟ କରୁଥିବାରୁ ରାଜା ଏବିଷୟରେ ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି କହିଲେ । ହେଲେ ଅନେକ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପ୍ରସ୍ତାବରେ ଏକମତ ହେଲେ । ୧୬ ଡିସେମ୍ବର ଦିନ ଗଡ଼ଜାତ ମିଶ୍ରଣର ଏକ ମହାପର୍ବ ଅନୁଷ୍ଠିତ ହେଲା । କିନ୍ତୁ ଏହା ପରେ କିଛି ରାଜା ଗାନ୍ଧିଜୀଙ୍କ ଦୃଷ୍ଟି ଆକର୍ଷଣ କଲେ । ଗାନ୍ଧିଜୀ କିନ୍ତୁ ଗଡ଼ଜାତ ମିଶ୍ରଣକୁ ଏକ ଗଣତନ୍ତ୍ରର ମହୌଷଧି ଭାବେ ବିବେଚନା କଲେ । ପରେ ସ୍ୱରାଷ୍ଟ୍ର ବିଭାଗ ସ୍ପଷ୍ଟ ଭାବେ ରାଜାଙ୍କୁ କ୍ଷମତା ଦେବାକୁ ମନା କରିବାରୁ ଦେଶୀୟ ରାଜ୍ୟଗୁଡ଼ିକ ଅନ୍ୟ ଉପାୟ ନପାଇ ସ୍ୱାଧୀନ ଭାରତରେ ସାମିଲ ହେଲେ ।


୨୩ ଡିସେମ୍ବର ୧୯୪୭ର ବିଜ୍ଞପ୍ତି ଅନୁସାରେ ଓଡ଼ିଶା ସରକାର ଏହି ଗଡ଼ଜାତଗୁଡ଼ିକର ଶାସନକୁ ନିଜ ହାତରେ ନେଲେ । ଯାହାଫଳରେ ଓଡ଼ିଶା ଭିତରେ ଥିବା ବିଭିନ୍ନ ଶାସନର ପରିସମାପ୍ତି ଘଟିଲା । ବ୍ୟବସ୍ଥାପିକା ସଭାକୁ ସେମାନଙ୍କ ଅଞ୍ଚଳରୁ ପ୍ରତିନିଧିମାନେ ମନୋନୀତ ହେଲେ । ବ୍ୟବସ୍ଥାପିକା ସଭାରେ ୯୧ଜଣ ସଦସ୍ୟ ମଧ୍ୟ ରହିଲେ । ଯେଉଁଥିରୁ ୩୧ଜଣ ଗଡ଼ଜାତରୁ ମନୋନୀତ ହେଲେ । ବିଭିନ୍ନ ଗଡ଼ଜାତରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଓଡ଼ିଶା ସରକାରଙ୍କ ବିଭିନ୍ନ ସେବାରେ ନିୟୋଜିତ ହେଲେ । ଏହାର ଠିକ୍ ୧ ବର୍ଷ ପରେ ମୟୁରଭଞ୍ଜ ରାଜା ପ୍ରଦୀପଚନ୍ଦ୍ର ଭଞ୍ଜଦେଓ ସର୍ଦ୍ଦାର୍ ପଟେଲ୍‌ଙ୍କୁ ନୂଆଦିଲ୍ଲୀରେ ଭେଟି ତାଙ୍କ ରାଜ୍ୟ ହସ୍ତାନ୍ତର କଲେ । ଫଳରେ ୧୯୪୮ରେ ମୟୁରଭଞ୍ଜ ଓଡ଼ିଶା ସହ ମିଶିଲା । ଗୋଟିଏ ରାଜ୍ୟରେ ଗୋଟିଏ ଶାସନ ବ୍ୟବସ୍ଥା ପ୍ରଚଳିତ ହେଲା । ଆଉ ପରେ ସମସ୍ତେ ଭାରତ ଗଣତନ୍ତ୍ରର ଅଂଶ ବିଶେଷ ହେଲେ । ନା ଏଠି କେହି ରାଜା ରହିଲେ ନା କାହାର ରାଜ୍ୟ ରହିଲା । ଗୋଟିଏ ସମ୍ବିଧାନରେ ସମସ୍ତେ ବନ୍ଧା ହେଲେ । ଅର୍ଥାତ୍ ନୂଆ ବର୍ଷ ଏକ ନୂଆ ସକାଳ ଆଣିଲା ଓଡ଼ିଶାର ଗଡ଼ଜାତ ପ୍ରଜାଙ୍କ ପାଇଁ ।

Leave a Reply

Your email address will not be published. Required fields are marked *