ପାକିସ୍ତାନ : ନିକାହର ନର୍କ ଓ ଧର୍ମରେ ଧର୍ଷଣ!
ବିଭୂତି ପତି ସଫ୍ଦରଜଙ୍ଗ୍ ଏନ୍କ୍ଲେଭ, ନୂଆଦିଲ୍ଲୀ ୯୯୧୦୭୪୦୮୩୯
କ୍ରିଶ୍ମାସ୍, ଡ଼ିସେମ୍ବର ୨୫ ତାରିଖ ବଡ଼ଦିନର ପୂର୍ବ ରବିବାର କରାଚୀର ଐତିହାସିକ ଚର୍ଚ୍ଚ “”ସେଣ୍ଟ୍ପ୍ୟାଟ୍ରିକ୍ସ” ରେ ଉତ୍ସବ ମୁଖରିତ ପରିବେଶ । ପ୍ରାର୍ଥନା ହଲ୍ର ଦ୍ୱାରଦେଶରେ କାର୍ଡ଼ ବୋର୍ଡ଼ ଏବଂ ତୁଳାରେ ତିଆରି ବରଫର ପାହାଡ଼, ବୃକ୍ଷଲତା ଏବଂ ମଣିଷମାନଙ୍କର ସାଜସଜ୍ଜା ଦୃଶ୍ୟ ସାଙ୍ଗକୁ ଚର୍ଚ୍ଚର ରଙ୍ଗବେରଙ୍ଗର କାଚ ଝରକା ଓ କବାଟର ସୌନ୍ଦର୍ଯ୍ୟ, ସ୍ୱର୍ଗର ସୁଷମା ଗଢ଼ି ତୋଳୁଥିଲା । ମନକୁ ପବିତ୍ର କରି ପ୍ରାର୍ଥନାର ମଙ୍ଗଳ ମୁହୂର୍ତ୍ତ ଖୁସିରେ ସମସ୍ତେ ଆତୁର ହୋଇ ଅପେକ୍ଷା କରୁଥିଲେ । ୨୦୨୦, ଏକ କଷ୍ଟଦାୟକ ବର୍ଷର ପରିସମାପ୍ତି ହେବାକୁ ଯାଉଥିବାରୁ ନୂତନ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ବୋଲି ପ୍ରାର୍ଥନା କରି ୨୦୨୧ କୁ ସ୍ୱାଗତ କରିବାକୁ ସମସ୍ତେ ଚାହିଁ ରହିଥିଲେ ।
ହସଖୁସି, ଉତ୍ସାହ, ଉଦ୍ଦୀପନା ଏବଂ ଭକ୍ତିଭାବନାରେ ଆରମ୍ଭ ହୋଇଥିଲା ବହୁ ପ୍ରତିକ୍ଷିତ ପ୍ରାର୍ଥନା । ସମଗ୍ର ମଣିଷ ସମାଜର ମଙ୍ଗଳ, ବିଶ୍ୱରେ ଶାନ୍ତି ଓ ନିରୋଗ ପ୍ରତିଷ୍ଠା ସାଙ୍ଗକୁ ପାକିସ୍ତାନର ପ୍ରଗତି କାମନା କରି “ସେଣ୍ଟ ପ୍ୟାଟ୍ରିକ୍ସ’ ଚର୍ଚ୍ଚରେ ଖ୍ରୀଷ୍ଟଧର୍ମୀମାନେ ସମବେତ ପ୍ରାର୍ଥନା କରିଥିଲେ । ଏପରିକି ପାକିସ୍ତାନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରାଯାଇଥିଲା । ହେଲେ ଏତେ ସବୁ ଖୁସି ଭିତରେ ଅନେକ ପରିବାରଙ୍କ ଆଖିରୁ ଝରି ପଡ଼ୁଥିଲା ଲୋତକର ଧାର । ସମସ୍ତଙ୍କ ମଧ୍ୟରେ ବାରି ହୋଇପଡ଼ୁଥିଲେ ରାଜା ଲାଲ୍ମାସି ଏବଂ ତାଙ୍କ ପତ୍ନୀ ରୀତା । ଯେତେ ବୁଝାଇଲେ ମଧ୍ୟ ରାଜା ଓ ରୀତାଙ୍କର ଲୁହର ଧାର କିମ୍ବା ମନର କୋହ ବନ୍ଦ ହୋଇପାରୁନଥିଲା ।’
ପ୍ରାର୍ଥନାର ମୂର୍ଚ୍ଛନା ଓ ସର୍ବଶକ୍ତିମାନ ଇଶ୍ୱରଙ୍କ ଅସ୍ତିତ୍ୱ ମଧ୍ୟରେ ରାଜା ଓ ରୀତା ଖୋଜୁଥିଲେ ନିଜ କୋମଳମତି କନ୍ୟା ୧୩ବର୍ଷ ବୟସ୍କା ଆରଜୁର ଅସ୍ମିତା । ହଜିଲା ଅତୀତର ଅପାଶୋରା ଆନନ୍ଦ ଚର୍ଚ୍ଚର ଚାରି କାନ୍ଥରେ ଚାପିହୋଇ ପ୍ରାର୍ଥନା ସ୍ଥଳୀରେ ଲେଖି ଦେଉଥିଲା ରାଜା ଓ ରୀତାଙ୍କ ଲହୁଲୁହ କାହାଣୀ ସାଙ୍ଗକୁ ଆରଜୁ ଅତ୍ୟାଚାରର ଅସରନ୍ତି ବେଦନା । ସତେ ଯେପରି ସେଣ୍ଟ୍ପ୍ୟାଟ୍ରିକ୍ସ ଚର୍ଚ୍ଚର ସମବେତ ପ୍ରାର୍ଥନା ପ୍ରଚାର କରୁଛି ପାକିସ୍ତାନର ଅମାନବୀୟ ପ୍ରତିଛବି ଏବଂ ଉଚ୍ଚାରଣ କରୁଛି ବିଶ୍ୱବାସୀଙ୍କ ସମ୍ମୁଖରେ “ଇସ୍ଲାମ୍ ଫୋବିଆ’ ଫାର୍ସରେ କିପରି ଚାଲିଛି ନିକାହର ନର୍କ ଏବଂ ଧର୍ମରେ ଧର୍ଷଣ । ରାଜା ଓ ରୀତାଙ୍କ ଭଳି ଶହ ଶହ ସଂଖ୍ୟା ଲଘୁ ପରିବାର ପ୍ରତି ହେଉଥିବା ପାଶବିକ ଅତ୍ୟାଚାରର ମୂକସାକ୍ଷୀ ପାଲଟିଛି ପାକିସ୍ତାନ ।
ପାକିସ୍ତାନରେ ୨୦୨୦ ମସିହାର ସବୁଠାରୁ ବଡ଼ ଚର୍ଚ୍ଚିତ ଓ ବିବାଦୀୟ ଖବର ଥିଲା ରାଜା ଓ ରୀତାଙ୍କ ଅପ୍ରାପ୍ତ ବୟସ୍କା କିଶୋରୀ କନ୍ୟା ଆର୍ଜୁ । ମାତ୍ର ୧୩ ବର୍ଷ ବୟସରେ ଅକ୍ଟୋବର ମାସରେ ପାଦ ଥାପିଥିଲା ଆର୍ଜୁ । କରାଚୀ ସହରରେ ସେଣ୍ଟ୍ ଆଣ୍ଟୋନି କଲୋନୀର ପାରିସ୍ ଅଞ୍ଚଳରେ ଆର୍ଜୁ ପରିବାର ବସବାସ କରନ୍ତି । ଆର୍ଜୁ ପରିବାର ସଂଖ୍ୟାଲଘୁ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ । ରୀତା ଓ ରାଜାଙ୍କର ଆର୍ଜୁକୁ ନେଇ ହସଖୁସିର ସଂସାର । ଅକ୍ଟୋବର ମାସ ୧୩ତାରିଖ ଦିନ ହଠାତ୍ ରାଜା ଓ ରୀତାଙ୍କ ହସଖୁସିରେ ଜୁଆରର ଯନ୍ତ୍ରଣା ମାଡ଼ିଆସିଲା । ରାଜା ଓ ରୀତାଙ୍କ ଜୀବନ ପୃଷ୍ଠାରେ ଲେଖା ହୋଇଗାଲା ଅମା ଅନ୍ଧକାରର ଅଲିଭା କାହାଣୀ । ସମଗ୍ର ବିଶ୍ୱ ଦେଖିଲା ମାନବୀୟଧର୍ମ କଥା କହୁଥିବା ପାକିସ୍ତାନ ଦେଶରେ କିପରି ନିରୀହା ଅପ୍ରାପ୍ତ ବୟସ୍କା କିଶୋରୀମାନଙ୍କୁ କରାଯାଉଛି ଅପହରଣ । ଅପହରଣ ପରେ ସେହି ଅବଳା କନ୍ୟାମାନଙ୍କର ବଳପୂର୍ବକ ହେଉଛି ଧର୍ମ ପରିବର୍ତ୍ତନ । ଧର୍ମ ନାମରେ ସେମାନେ ହେଉଛନ୍ତି ଧର୍ଷଣ । ପବିତ୍ର ନିକାହ ନାମରେ ସେମାନଙ୍କୁ ଦିଆଯାଉଛି ନର୍କର ଯନ୍ତ୍ରଣା । ପାକିସ୍ତାନର ପାପ ପୃଷ୍ଠାର ଅକ୍ଷମଣୀୟ ଅପରାଧରେ ଅନ୍ୟ ଏକ ଅଧ୍ୟାୟ ଯୋଡ଼ି ଦେଉଛି ଆର୍ଜୁ । ଯାହାକୁ ଶୁଣି ଓ ଦେଖି ମାନବଜାତି ହୋଇଯାଇଛି ସ୍ତବ୍ଧ ।
ଆର୍ଜୁ ଅପହରଣ :
ସବୁଦିନ ପରି ସେଦିନ ମଧ୍ୟ ଆର୍ଜୁ ନିଜ ସାଙ୍ଗ ସାଥିଙ୍କ ସହିତ ଖେଳାଖେଳି କରି ମୁହଁ ସଞ୍ଜରେ ଘରକୁ ଫେରୁଥିଲା । ମାତ୍ର ହଠାତ୍ ଘର ସମ୍ମୁଖ ରାସ୍ତା ଉପରେ କିଛି ଲୋକ ଏକ ଗାଡ଼ିରୁ ଓହ୍ଲାଇ ଆର୍ଜୁକୁ ମାଡ଼ିବସି ଟେକିନେଇ ଗାଡ଼ିଭିତରେ ପୁରାଇ ଦେଲେ । ଆର୍ଜୁର ପଡ଼ୋଶୀ ପାଟିକରି ଯେତେବେଳେ ଏହାର ପ୍ରତିରୋଧ କରିବାକୁ ଚେଷ୍ଟା କଲେ ସେତେବେଳେ ଅନ୍ୟ ଏକ ଗାଡ଼ିରୁ କେତେକ ବ୍ୟକ୍ତି ମାରଣାସ୍ତ୍ର ଧରି ସେଇ ପଡ଼ୋଶୀମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହେଲେ ଏବଂ ଥାନାକୁ ଗଲେ ସେମାନଙ୍କୁ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଲେ । ଭୟରେ ପଡ଼ୋଶୀମାନେ ଚୁପ୍ ରହିଗଲେ । କେହି କିଛି ବୁଝିବା ପୂର୍ବରୁ ଆର୍ଜୁ ଅପହରଣ ହୋଇଗଲା ।
ସେହି ସମୟରେ ଆର୍ଜୁର ମାଆ ବାପା ରୀତା ଓ ରାଜା ନିଜ କାର୍ଯ୍ୟାଳୟରେ ଥିଲେ । ପଡ଼ୋଶୀମାନେ ଫୋନ୍ରେ ସେମାନଙ୍କୁ ଜଣାଇଲେ ଆର୍ଜୁ ଅପରହଣ ହୋଇଯାଇଛି । ରାଜା ଓ ରୀତା ଏକ ସଂଖ୍ୟାଲଘୁ ବିଦ୍ୟାଳୟରେ କାମ କରନ୍ତି । ସନ୍ଧ୍ୟାରୁ ରାତି ୧୦ଟା ପର୍ଯ୍ୟନ୍ତ ରାଜା ଓ କିଛି ପଡ଼ୋଶୀ ବ୍ୟକ୍ତିମାନେ ମିଳିମିଶି ପାଖଆଖରେ ଆର୍ଜୁକୁ ଖୋଜିବାକୁ ଲାଗିଲେ । ହେଲେ କୌଣସି ପତ୍ତା ମିଳିଲାନି ଆର୍ଜୁର । ଏହାପରେ ସାହି ଲୋକ ଏବଂ ରାଜା ଓ ରୀତା ସ୍ଥାନୀୟ ଚର୍ଚ୍ଚ ଓ ପୋଲିସ୍ ଥାନାକୁ ଗଲେ । ମାତ୍ର ସ୍ଥାନୀୟ ପୋଲିସ୍ ଆର୍ଜୁର ଅପହରଣ ସମ୍ପର୍କିତ ଏଫ୍.ଆଇ.ଆର ଏବଂ କେଶ୍ ଦାୟର କରିବା ପରିବର୍ତ୍ତେ ସେମାନଙ୍କୁ ନିରାଶ କରି ମାନସିକ ନିର୍ଯାତନା ଦେଲେ । ରାଜା ଓ ରୀତା ତଥା ଅନ୍ୟମାନେ ହତାଶ ହୋଇ ଅକ୍ଟୋବର୧୩ ତାରିଖ ରାତିରେ ଥାନାରୁ ଫେରିଲେ ।
ଅକ୍ଟୋବର ୧୪ତାରିଖ ଦିନ ସାହି ପଡ଼ିଶା ଏବଂ ଚର୍ଚ୍ଚର ମୁଖ୍ୟ ପାଷ୍ଟର ଗଜାଲା ସଫିକ୍ ପୋଲିସ୍ ଥାନାକୁ ସକାଳ ୧୦ଟାରେ ଯାଇ ପହଞ୍ଚି ଏକ ବିଧିବଦ୍ଧ କେଶ ଦାୟର କରି ଆର୍ଜୁ ଅପହରଣ ହୋଇଛି ବୋଲି ତଦନ୍ତ କରିବାକୁ ଜିଦ୍ କରିବସିଲେ । ସେହି ସମୟରେ ମଧ୍ୟ ପୋଲିସ ସେମାନଙ୍କୁ ନିରାଶ କରିବାକୁ ବାରମ୍ବାର ଆର୍ଜୁ କେତେ ବର୍ଷର ବୋଲି ପଚାରି ଚାଲିଲେ ଏବଂ ଅନେକ ଅବାନ୍ତର ତଥା ଅଶାଳୀନ ପ୍ରଶ୍ନ ଓ ମନ୍ତବ୍ୟ ଦେଲେ । ପରିଶେଷରେ ଚାପଗ୍ରସ୍ତ ହୋଇ ପୋଲିସ୍ କେଶ୍ ଦାୟର କଲେ । ଅବଶ୍ୟ ଏଥିପାଇଁ ରାଜା ଓ ରୀତା ତଥା ସାହି ପଡ଼ିଶା ଥାନାରେ ଅନେକ ଦୁର୍ବବ୍ୟବହାରର ଶିକାର ହେଲେ ଏବଂ ଅନେକ ପ୍ରମାଣ ଦାଖଲ କଲେ ବୋଲି ଗଣମାଧ୍ୟମରେ ସେମାନେ ଅଭିଯୋଗ କରିଥିଲେ ।
ହଠାତ୍ ଅକ୍ଟୋବର ୧୮ତାରିଖ ଦିନ ପୋଲିସ ରାଜା ଓ ରୀତାଙ୍କୁ ଫୋନ୍ କରି ଥାନାକୁ ଡ଼କାଇଲେ । ଏହା ପୂର୍ବରୁ ରାଜା ଓ ରୀତାଙ୍କୁ କେତେକ ଅଜଣା ବ୍ୟକ୍ତି ଜୀବନରୁ ମାରିଦେବାର ଧମକ ଫୋନ୍ରେ ଦେବା ସହିତ କେଶ୍ କଲେ ଆର୍ଜୁକୁ ହତ୍ୟା କରାଯିବ ବୋଲି ମଧ୍ୟ କହୁଥିଲେ । ଏସବୁ ରାଜା ଓ ରୀତା ଥାନାରେ ଲିଖିତ ଅଭିଯୋଗ କରୁଥିଲେ । ଅପ୍ରତ୍ୟାଶିତ ଫୋନ୍ ଥାନାରୁ ମିଳିବା ପରେ ରାଜା ଓ ରୀତା ଥାନାରେ ହାଜର ହେଲେ । ଥାନାରେ ପହଞ୍ଚିଲା ପରେ ପୋଲିସ୍ ଅଧିକାରୀ ରାଜା ଓ ରୀତାଙ୍କୁ ଆର୍ଜୁର ନିକାହନାମା (ବିବାହ ପ୍ରମାଣ ପତ୍ର) ଦେଖାଇଲେ ଏବଂ କହିଲେ ଆର୍ଜୁ ନିଜ ଇଚ୍ଛାରେ ଖ୍ରୀଷ୍ଟିଆନ୍ ଧର୍ମ ପରିତ୍ୟାଗ କରିଇସ୍ଲାମ୍ ଧର୍ମ ଗ୍ରହଣ କରିସାରିଛି, କାରଣ ଆର୍ଜୁ ୪୪ବର୍ଷ ବୟସ୍କ ମୁସଲମାନ ବ୍ୟକ୍ତି ସୟଦ ଆଝାର ଅଲ୍ଲୀଙ୍କୁ ପ୍ରେମ କରୁଥିଲା । ଏପରିକି ଆର୍ଜୁର ଜାଲ୍ ଜନ୍ମ ତାରିଖ ସାର୍ଟିଫିକେଟ୍ ଦେଇ ତା’ର ବୟସ ୧୩ ବର୍ଷ ଦର୍ଶାଇଛନ୍ତି ବୋଲି ପୋଲିସ୍ ରାଜା ଓ ରୀତାଙ୍କୁ ଦଣ୍ଡ ଦେବାର ଧମକ ମଧ୍ୟ ଦେଲା । ଆର୍ଜୁ ନିକାହ ନାମରେ ଅନ୍ୟ ଏକ ବୟସର ପ୍ରମାଣ ପୋଲିସ୍ ରାଜା ଓ ରୀତାଙ୍କୁ ଦେଖାଇଲା । ସେମାନେ ଏହା ଜାଲ୍ ହୋଇଛି ବୋଲି ଯେତେ ନେହୁରା ହୋଇ ପୋଲିସ୍କୁ କହିଲେ ମଧ୍ୟ ପୋଲିସ୍ କିଛି ଶୁଣିନଥିଲେ ବୋଲି ରୀତା କହିଥିଲେ ।
ଯେତେବେଳେ ବିଶ୍ୱର ଗଣମାଧ୍ୟମରେ ଆର୍ଜୁ ଅପହରଣ ଏବଂ ପୋଲିସ୍ ପ୍ରଶାସନର ନିଷ୍କ୍ରିୟତା ଉପରେ ଚର୍ଚ୍ଚା ଜୋର ଧରିଲା, ସେତେବେଳେ ପୋଲିସ୍ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ । ଅକ୍ଟୋବର୨୩ ତାରିଖରେ ସ୍ଥାନୀୟ ପୋଲିସ୍ ପ୍ରଶାସନ ଆର୍ଜୁ ଅପହରଣ ଅପବାଦରୁ ନିଜକୁ ମୁକ୍ତ କରିବାକୁ ଶିଶୁ ବିବାହ, ବଳପୂର୍ବକ ଅପହରଣ ଓ ଧର୍ମ ପରିବର୍ତ୍ତନ, ପାଶବିକ ନିର୍ଯାତନା ଏବଂ ହତ୍ୟା ଧମକ ପ୍ରଭୃତି ଦଫା ଲଗାଇ କେଶ ଦାୟର କଲେ । ମାତ୍ର ପ୍ରଥମେ ପୋଲିସ୍ ପ୍ରଶାସନ ସୟଦ ଆଝାର ଅଲ୍ଲୀ ଏବଂ ଅନ୍ୟ ଅପହରଣକାରୀମାନଙ୍କ ସହିତ ଆପୋଷ ସମାଧାନ କରିବାକୁ ଆର୍ଜୁ ପରିବାର ଏବଂ ଚର୍ଚ୍ଚ ପାଷ୍ଟର ଗଜାଲାଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି କଲେ । ରାଜା ଓ ରୀତା ପୋଲିସ୍ ପ୍ରଶାସନର ନିର୍ଯାତନା ଓ ଚାପ କିମ୍ବା କୌଣସି ପ୍ରକାରର ଧମକ ଆଗରେ ଭୟଭୀତ ତଥା ହାର ନମାନି ନ୍ୟାୟ ପାଇବାର ଲଢେଇ ଆରମ୍ଭ କରିଥିଲେ ବୋଲି କରାଚିର ପ୍ରସିଦ୍ଧ ଓକିଲ ଓ ମାନବିକ ଅଧିକାର କର୍ମୀ ଜିବ୍ରନ୍ ନାସିର ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
ବିପଦରେ ରାଜା ଓ ରୀତା:
ରାତିରେ ଶୋଇ ପାରୁନଥିଲେ ରାଜା ଓ ରୀତା । ପ୍ରତି ପାଦରେ ଥିଲା ସେମାନଙ୍କ ଜୀବନ ପ୍ରତି ବିପଦ । ଫୋନର ଘଣ୍ଟି ବାଜିଲେ ରାଜା ଓ ରୀତା ଶୁଣୁଥିଲେ ମରଣର ଧମକ । ଏପରିକି ଅଧିକାଂଶ ଥର ରାତିରେ ଅପହରଣକାରୀ ଓ ସେମାନଙ୍କ ସର୍ମ୍ପକୀୟମାନେ ମଧ୍ୟ ରାଜା ଓ ରୀତାଙ୍କ ଘରକୁ ଆସି ଖୋଲାଖୋଲି ଜୀବନରୁ ମାରିଦେବାର ଧମକ ଦେଇଯାଉଥିଲେ । ଦିନେ ରାତି ଅଧରେ ମୁଖ୍ୟ ଖଳନାୟକ ସୟଦ ଆଝାର ଅଲ୍ଲୀର ଭଉଣୀ ଏବଂ ଅନ୍ୟ କେତେକ ପୁରୁଷ ଓ ମହିଳା ରାଜା ଓ ରୀତାଙ୍କ ଘରେ ପଶି ସେମାନଙ୍କୁ ହାଣି ଦେବାର ଧମକ ଦେଇଥିଲେ । ରୀତା ତଣ୍ଟିରେ ଛୁରୀ ଲଗାଇ କାଟି ଦେବାକୁ ଉଦ୍ୟତ ହୋଇଥିଲେ ବୋଲି ରୀତା ଅଭିଯୋଗ କରିଛନ୍ତି ।
ପରିସ୍ଥିତିର ମୁକାବିଲା କରିବା ରାଜା ଓ ରୀତାଙ୍କ ସାଧ୍ୟ ବାହାରକୁ ଚାଲି ଯାଉଥିଲା ସତ ମାତ୍ର ସେମାନେ ବିବ୍ରତ ହେଉନଥିଲେ । ଦୃଢମନା ହୋଇ ଜୀବନ ରକ୍ଷା କରିବାକୁ ରାଜା ଓ ରୀତା ଚର୍ଚ୍ଚ ପାଷ୍ଟର ଗଜାଲାଙ୍କ ଘରେ ଆଶ୍ରୟ ନେଇ ନ୍ୟାୟର ଲଢେଇ ଆରମ୍ଭ କରିଥିଲେ । ସେତିକିବେଳେ ଆର୍ଜୁ ଜୀବନ ପ୍ରତି ଯେତିକି ବିପଦ ଥିଲା ଠିକ୍ ସେତିକି ପରିମାଣରେ ଅସହ୍ୟ ଯନ୍ତ୍ରଣା ମଧ୍ୟ ରହିଥିଲା । ଏକାଧିକ ଥର ରାଜା ଓ ରୀତାଙ୍କ ମନରେ ଆତ୍ମହତ୍ୟା କରିଦେବାର ମାନସିକତା ମଧ୍ୟ ସୃଷ୍ଟି ହୋଇଛି କିନ୍ତୁ ପାଷ୍ଟର ଗଜାଲା ସେମାନଙ୍କୁ ସାହାସ ଦେଇ ନ୍ୟାୟ ପାଇବାକୁ ସଂଗ୍ରାମ କରିବା ପାଇଁ ପ୍ରେରଣା ଦେଇଛନ୍ତି ଏବଂ ପ୍ରଭୂଙ୍କର ଉପଦେଶ ସେମାନଙ୍କୁ ଅସୀମ ଶକ୍ତି ଦେଇଛି ବୋଲି ରାଜା କୁହନ୍ତି ।
ମଳିନ ମିଳନ:
ସେଦିନ ଥିଲା ଅକ୍ଟୋବର ୨୭ ତାରିଖ । ସମୟ ସକାଳ ୧୧ଟା । ସ୍ଥାନୀୟ କୋର୍ଟର ସିକ୍ୟୁରିଟି ରୁମ୍ । ଶୋକାକୁଳ ପରିବେଶ । ନୀରବ ଲୁହର ଧାର ମଧ୍ୟରେ କେବଳ ରାଜା, ରୀତା ଓ ଆରଜୁର ନିଶ୍ୱାସ ପ୍ରଶ୍ୱାସର ଶଦ୍ଦ ସୃଷ୍ଟି କରୁଥିଲା ମଳିନ ମିଳନ ମୂହୁର୍ତ୍ତର ମରଣ ମୁର୍ଚ୍ଛନା ।
ଆର୍ଜୁ ଅପହରଣ ହେବାର ଦୁଇ ସପ୍ତାହ ପରେ ତାକୁ ପ୍ରଥମଥର ପାଇଁ ସେଦିନ ରାଜା ଓ ରୀତା ଭେଟିଥିଲେ । ପାଖରେ ଥିଲେ ପାଷ୍ଟର ଗଜାଲା । ଝିଅ ଆର୍ଜୁକୁ ଦେଖି ବିକଳ ହୋଇ କିଛି କହିବାକୁ ଯାଉଥିବା ସମୟରେ ହଠାତ୍ ରୀତା ଚେତାଶୂନ୍ୟ ହୋଇଗଲେ । ଆର୍ଜୁ କିଛି କହିବାକୁ ଚେଷ୍ଟା କରି ଅଧାରେ ଅଟକି ଯାଇଥିଲା । ରୀତା ଅଭିନୟ କରୁଛି ବୋଲି କହି ପୋଲିସ୍ ବିଦୃପ କରିଥିଲେ । ଉପସ୍ଥିତ ସୁରକ୍ଷାକର୍ମୀ ପରିହାସ କରି କହୁଥିଲେ, ସବୁ ସଂଖ୍ୟାଲଘୁ ସାମ୍ପ୍ରଦାୟର ଝିଅମାନେ ଇସଲାମ ଧର୍ମକୁ ଭଲପାଇ ପାକିସ୍ତାନୀ ମୁସଲମାନଙ୍କୁ ବିବାହ କରିବାପରେ ତାଙ୍କ ମା’ ବାପା ଏହିପରି ଡ଼୍ରାମା କୋର୍ଟ ସିକ୍ୟୁରିଟ ରୁମରେ କରନ୍ତି । ଏହାର ପ୍ରମାଣ ପାଷ୍ଟର ଗାଜାଲା ଭିଡିଓ ରେକଡିଙ୍ଗ ମାଧ୍ୟମରେ ୟୁଟ୍ୟୁବରେ ଦର୍ଶାଇଛନ୍ତି । ଆର୍ଜୁ ହାଡ଼ ପରୀକ୍ଷା କରିବା ପାଇଁ ସିନ୍ଧ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଏବଂ ଆର୍ଜୁର ହାଡ଼ ପରୀକ୍ଷା ପରେ ଜଣାପଡ଼ିଲା ସେ ଅପ୍ରାପ୍ତ ବୟସ୍କା । ହାଇକୋର୍ଟଙ୍କ ରାୟପରେ ରାଜା ଓ ରୀତା ଆରଜୁଙ୍କୁ ଭେଟିବାର ରାସ୍ତା ପ୍ରସ୍ତୁତ ହୋଇଥିଲା ଏବଂ ପୋଲିସ ନିରୁପାୟ ହୋଇଥିଲା । ଏଥିପାଇଁ ସମସ୍ତ ଶ୍ରେୟ ଗଣମାଧ୍ୟମର ବୋଲି ଗଜାଲା କୁହନ୍ତି ।
ଆର୍ଜୁ ଅପହରଣ, ଧର୍ମ ପରିବର୍ତ୍ତନ ଏବଂ ନିକାହ କେଶ ଶୁଣାଣୀ ବେଳେ ଅତି ଆଶ୍ଚର୍ଯ୍ୟଜନକ ଭାବେ ଆର୍ଜୁ କୋର୍ଟରେ କହିଲା, ” ମୁଁ ନିଜ ଇଛାରେ ଖ୍ରୀଷ୍ଟିଆନ ଧର୍ମ ପରିତ୍ୟାଗ କରି ଇସଲାମ ଧର୍ମ ଗ୍ରହଣ କରିଛି ଏବଂ ସୟଦ ଆଝାର ଅଲ୍ଲୀକୁୁ ବିବାହ କରିଛି । ମାତ୍ର ମାନ୍ୟବର କୋର୍ଟ ଓକିଲ ନୂରନାଜ୍ ଆଗାଙ୍କ ବଳିଷ୍ଟ ଯୁକ୍ତି ଓ ଅପହରଣକାରୀ ଖଳନାୟକ ସୟଦ ଆଝାର ଅଲ୍ଲୀକୁ ଜେରାର ଜବାବରେ ସନ୍ତୁଷ୍ଟ ହୋଇ ସିଧାସଳଖ ଦର୍ଶାଇଥିଲେ, \”\” ଆର୍ଜୁ ଅପ୍ରାପ୍ତବୟସ୍କା କିଶୋରୀ କନ୍ୟା । ନାବାଳିକା କିଶୋରୀ ନିକାହ କରିବା କିମ୍ବା ସ୍ୱଇଛାରେ ଧର୍ମ ପରିବର୍ତ୍ତନ କରିବାର ଅଧିକାର ନାହିଁ ଏବଂ ଏଥିପାଇଁ ଆର୍ଜୁ ଚୁକ୍ତି କରିପାରିବ ନାହିଁ ।
ଏହା ସହିତ ବିଚାରପତି କେ.କେ.ଆଗାଙ୍କ ଡ଼ିଭିଜନ ବେଞ୍ଚ ଆର୍ଜୁ ଏକ ଆଶ୍ରୟଗୃହରେ ରହିବା ସହତି ସୟଦ ଆଝାର ଅଲ୍ଲୀକୁ ଗିରଫ କରିବାର ନିର୍ଦ୍ଦେଶ ଜାରି କରି ରାୟ ଦେଲେ । ପରବର୍ତ୍ତୀ ସମୟରେ ସୟଦ ଆଝାର ଅଲ୍ଲୀ ଗିରଫ ହେଲା ଏବଂ ନାବାଳିକା କନ୍ୟା ଅପହରଣ, ଦୁଷ୍କର୍ମ ଓ ନିକାହ, ହତ୍ୟା ଧମକ ଏବଂ ବଳପୂର୍ବକ ଧର୍ମ ପରିବର୍ତ୍ତନ ଅଭିଯୋଗରେ ଜେଲ୍ ଗଲା । କିନ୍ତୁ ସୟଦ ଆଝାର ଅଲ୍ଲୀର ସହଯୋଗୀମାନେ ଗିରଫ ହୋଇନାହାନ୍ତି, ତେଣୁ ପ୍ରତିଟି ସମୟରେ ରାଜା, ରୀତା ଓ ଆର୍ଜୁ ଜୀବନ ପ୍ରତି ବିପଦ ରହିଛି ବୋଲି ପାଷ୍ଟର ଗଜାଲା କୁହନ୍ତି ।
ଆଶ୍ରୟଗୃହର ଅସରନ୍ତି ଅଶୃ:
ଆଶ୍ରୟଗୃହରେ ଅସରନ୍ତି ଅଶୃ ଝରାଉଛି ଆର୍ଜୁ । ଆଶ୍ରୟଗୃହକୁ ରାଜା ଓ ରୀତା ଯେତେବେଳେ ନିଜ ଝିଅ ଆର୍ଜୁକୁ ଭେଟିବାକୁ ଯାଆନ୍ତି ସେତେବେଳେ ମଧ୍ୟ ସେମାନଙ୍କୁ ମାନସିକ ନିର୍ଯ୍ୟାତନା ଦିଅନ୍ତି ଉପସ୍ଥିତ ମୁସଲମାନ ସୁରକ୍ଷାକର୍ମୀ । ସେମାନଙ୍କୁ ଏପରି ଯାଞ୍ଚ କରାଯାଏ ସତେ ଯେପରି ସେମାନେ ଆତଙ୍କବାଦୀ କିମ୍ବା ହତ୍ୟାକାରୀ । ସୁରକ୍ଷାକର୍ମୀ ବଦଳିଯାଆନ୍ତି କିନ୍ତୁ ସୋନଙ୍କର ଦୁର୍ବବ୍ୟବହାର ବଦଳେନାହିଁ । ରାଜା କୁହନ୍ତି, “ପ୍ରଥମ ସାକ୍ଷାତକାରରେ ଆର୍ଜୁ କାହିଁକି କେଶ କଲ ଏବଂ ଗଣମାଧ୍ୟମକୁ ସାମିଲ କଲ ବୋଲି ଆମକୁ ପଚାରିଥିଲା । ଦ୍ୱିତୀୟ ଦେଖାରେ ଆର୍ଜୁ କହିଲା, ମୁଁ ଯଦି ମୁହଁ ଖୋଲିବି ତେବେ ପାକିସ୍ତାନରେ ପ୍ରଳୟ ସୃଷ୍ଟି ହେବ ଏବଂ ଆମମାନଙ୍କର ମୃତ୍ୟୁ ନିଶ୍ଚିତ । ମୁଁ ବହୁତ ମାନସିକ ଓ ଶାରିରୀକ ନିର୍ଯାତନାର ଶୀକାର ହୋଇଛି । ମାତ୍ର ସାତ ଦିନରେ, ମୋତେ ୧୪ ଜଣ ବୟସ୍କ ବ୍ୟକ୍ତି ନିକାହ ଓ ତଲାକ କରି ମୋ ସହିତ ବଳପୂର୍ବକ ଯୌନ ସମ୍ପର୍କ କରିଛନ୍ତି । ଏହା ଯଦି ମୁଁ କୋର୍ଟରେ କିମ୍ବା ସର୍ବସାଧାରଣରେ କହିବି ତେବେ ତୁମମାନଙ୍କର ହତ୍ୟା ନିଶ୍ଚିତ” ।
ପାକିସ୍ତାନରେ ଏହା କିଛି ନୂଆ କଥା ନୁହେଁ ବୋଲି ପାଷ୍ଟର ଗଜାଲା ଏବଂ ପାକିସ୍ତାନୀ ମାନବିକ ଅଧିକାର କର୍ମୀ ଓକିଲ ଜିବ୍ରାନ ନାସିର ନିଜ ଅଭିଜ୍ଞତାରୁ କୁହନ୍ତି, “ଅନେକ ଅପ୍ରାପ୍ତ ବୟସ୍କା ଝିଅମାନଙ୍କୁ ଅପହରଣ କରିନିଆଯାଏ ଏବଂ ଧର୍ମକୁ ଢାଲ କରି ଇସଲାମ ପ୍ରଥାରେ ସେହି ଝିଅମାନଙ୍କୁ ଏକାଧିକ ବାର ଅନେକ ବ୍ୟକ୍ତି ଉପଭୋଗ କରିବାକୁ ନିକାହ କରନ୍ତି ଏବଂ ତଲାକ ଦେଇ ଧର୍ମ ନାମରେ ଧର୍ଷଣ କରନ୍ତି । ଏପରିକି ମାସିକ ଋତୁସ୍ରାବ ସମୟରେ ମଧ୍ୟ ଏହି ପାଶବିକ ଯୌନ ଶୋଷଣ କରିବାର ଏକାଧିକ ପ୍ରମାଣ ରହିଛି । ଯଦିଓ ସଂଖ୍ୟାଲଘୁ ସମ୍ପ୍ରଦାୟରେ ଏଭଳି ଅପରାଧ ଅଧିକ ସଙ୍ଗଠିତ ହୋଇଥାଏ ତେବେ ଅନେକ ସମୟରେ ପାକିସ୍ତାନୀ ମୃଷ୍ଟିମେୟ ଏବଂ ପ୍ରଭାବଶାଳୀ ବ୍ୟକ୍ତି ଖୋଦ ମୁସଲମାନ ସମ୍ପ୍ରଦାୟର ଦୁର୍ବଳ ବ୍ୟକ୍ତି ବିଶେଷଙ୍କ କନ୍ୟାକୁ ମଧ୍ୟ ଅପହରଣ କରି ଏଭଳି ଅପରାଧ ରଚାଇବାର ଦୃଷ୍ଟାନ୍ତ ରହିଛି” । “ସଚେତନତାର ଘୋର ଅଭାବ, ଅପରାଧିମାନଙ୍କୁ ପୁଲିସ ପ୍ରଶାସନର ମୁସଲମାନ ନାମରେ ସହଯୋଗ ସାଙ୍ଗକୁ ଅଭିଯୋଗକାରୀମାନଙ୍କୁ ନିର୍ଯାତନା ଏବଂ ଆଇନ ଅନୁଯାୟୀ ଦଣ୍ଡ ବିଧାନ ନହେବା ତଥା ବଳପୂର୍ବକ ଧର୍ମାନ୍ତରୀକରଣ, ଅପ୍ରାପ୍ତ ବୟସ୍କାଙ୍କୁ ଅପହରଣ ଓ ଧର୍ଷଣ ଭଳି ଅପରାଧ ପାଇଁ କଠୋର ଆଇନ୍ ପ୍ରଣୟନ ନହେବା ଏଭଳି ଅମାନବୀୟ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଛି । ଏଭଳି ଅପରାଧ ପାଇଁ ୨୦୧୬ରେ ଯଦିଓ ଏକ ଆଇନ୍ ପ୍ରଣୟନର ପ୍ରସ୍ତାବିତ ବିଲ୍ ହୋଇଥିଲା ମାତ୍ର ତାହା କିଛି ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ଚାପ ଆଗରେ ସ୍ଥାଣୁ ପାଲଟିଯାଇଛି ବୋଲି ପାକିସ୍ତାନ ଜାତୀୟ ସଂଖ୍ୟାଲଘୁ ଦଳର ସଭାପତି ସବିର୍ ସାଫତ୍ କୁହନ୍ତି ।
ପାକିସ୍ତାନରେ ଏଭଳି ସଂଗଠିତ ଅପରାଧ ଏବଂ ନ୍ୟାୟିକ ପ୍ରକ୍ରିୟା ପ୍ରସଙ୍ଗରେ ପାଷ୍ଟର ଗଜାଲା କୁହନ୍ତି “ବଳପୂର୍ବକ ଧର୍ମାନ୍ତର କରୁଥିବା ମାଫିଆ ଧର୍ମାନ୍ଧ ମୌଲବୀମାନେ ମୁଖ୍ୟତଃ ଏଭଳି ଅପରାଧରେ ସମସ୍ତ ପ୍ରକାରର ସହଯୋଗ କରନ୍ତି । ଏଭଳି ଧର୍ମାନ୍ଧ ମୌଲବୀ ପ୍ରଥମେ ଝିଅର ନାମ ସହିତ କଥିତ ବୟସ ଉଲ୍ଲେଖ କରି ଏକ ଜାଲ୍ ପ୍ରମାଣପତ୍ର ହସ୍ତଗତ କରିଥାଏ । ଏହି ଜାଲ୍ ପ୍ରମାଣପତ୍ର ମାଧ୍ୟମରେ “ଜଷ୍ଟିସ୍ ଅଫ୍ ପିସ୍” ଏକ ଆଫିଡ଼ାଭିଟ୍ ଜାରି କରେ । ଏହି ଆଧାରରେ ସେହି ଝିଅଟିର ନିକାହ ହୋଇଯାଏ’ ।
ଆର୍ଜୁ ପରି ଅନ୍ୟ ଏକ ନାବାଳିକା ଖ୍ରୀଷ୍ଟିଆନ୍ ଝିଅ ଅପହଣ ଓ ବଳପୂର୍ବକ ଧର୍ମାନ୍ତରୀକରଣ ତଥା ନିକାହ ସମ୍ପର୍କିତ ଅପରାଧର ବର୍ଣ୍ଣନା କରି ଗଜାଲା କୁହନ୍ତି, “ଏକଦା ଏକ ଅଦାଲତ ରାୟ ଦେଲେ ଅପ୍ରାପ୍ତ ବୟସ୍କା କନ୍ୟା ନିକାହ (ବିବାହ) ଆଇନ୍ ସମ୍ମତତ୍ତନୁହେଁ । ଏହାପରେ ପାକିସ୍ତାନର ଆଇନ୍ ଅନୁଯାୟୀ ଅପହରଣ ହୋଇ ବଳପୂର୍ବକ ନିକାହ କରିଥିବା ନାବାଳିକା ପୁନଶ୍ଚ କୋର୍ଟର ତାଙ୍କର ନିକାହ ଖାରଜ କରିବାକୁ ତଥା ନିଜ ଧର୍ମକୁ ଫେରିବାକୁ ଅନ୍ୟ ଏକ କେଶ୍ ଦାୟର କରିବାକୁ ପଡ଼ିବ । ଏହାର ଅର୍ଥ ସେହି ସମୟରେ ନିରୀହା କନ୍ୟା ଅପହରଣକାରୀର ପତ୍ନୀ ଅଟେ । ସବୁଠାରୁ ଉଦ୍ବେଗଜନକ ପ୍ରସଙ୍ଗ ହେଉଛି, କେଶ୍ ଦାୟର ଓ ଶୁଣାଣି ସମୟରେ ସେହି ଅବଳା କନ୍ୟା କୋର୍ଟ ଯିବା ବେଳର ବିପଦ, କାରଣ ଅନେକ ସମୟରେ ଏଭଳି ସ୍ଥଳ ବିଶେଷରେ ତ\’ର ମୃତ୍ୟୁ ନିଶ୍ଚିତ । ପୁନଶ୍ଚ ଜୀବନକୁ ବାଜି ଲଗାଇ ସେହି କନ୍ୟା କେତେଦିନ ନିର୍ଯାତନା ସହି ସହି ବଞ୍ଚି ପାରିବ ତାହା ନ୍ୟାୟିକ ଲଢ଼େଇର ଏକ ମୁଖ୍ୟ ପ୍ରଶ୍ନ? ଏପରି ଘଟଣାରେ ମାନସିକ ଚାପ ଅବର୍ଣ୍ଣନୀୟ ଏବଂ ଅସରନ୍ତି ।’
ଅତ୍ୟନ୍ତ ଉତ୍ସାହ ସହକାରେ ଗଜାଲା କୁହନ୍ତି, “ଉପରୋକ୍ତ ଅପହରଣରେ ସଂପୃକ୍ତ ଜଣେ ମୁସଲମାନ୍ ମୌଲବୀ ଆର୍ଜୁ ଅପହରଣରେ ମଧ୍ୟ ସାମିଲ ଅଛନ୍ତି । ଖୁସିର କଥା ପାକିସ୍ତାନ୍ର ସଂଖ୍ୟାଲଘୁ ସମ୍ପ୍ରଦାୟ ବର୍ତ୍ତମାନ ସଚେତନ ହୋଇ ଏବଂ ଭୟଭୀତ ନହୋଇ ଏହି ଅନ୍ୟାୟ ଓ ଅଧର୍ମ ବିରୋଧରେ ଲଢ଼େଇ କରୁଛନ୍ତି । ଶିଜ୍ଜା ମକ୍ସୁଦ ଓ ଫାରା ସାଇନ୍ ପରେ ଆର୍ଜୁ ନ୍ୟାୟିକ ଲଢ଼େଇ ସମସ୍ତଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛି । ଏଠାରେ ଉଲ୍ଲେଖଯୋଗ୍ୟ, ଗୋଟିଏ ମାସରେ ଅପହରଣ ହୋଇଥିବା ୪ଜଣ ସଂଖ୍ୟାଲଘୁ ନାବାଳିକା କେଶ୍କୁ ଚାପି ଦେଇଥିବା ପୋଲିସ୍ ବର୍ତ୍ତମାନ ଚାପରେ ପୁଣିଥରେ କେଶ୍ ଦାୟର କରି ତଦନ୍ତ ଆରମ୍ଭ କରିଛି ।
ବର୍ବର ବଳତ୍କାର:
ଅପହରଣ କରି ସଂଖ୍ୟାଲଘୁ ସମ୍ପ୍ରଦାୟ ନାବାଳିକା କନ୍ୟାମାନଙ୍କୁ ବଳପୂର୍ବକ ଧର୍ମାନ୍ତର କରି ଧର୍ଷଣ କରିବା ସହିତ ନିକାହର ନର୍କକୁ ପଠାଇବାର ଅପରାଧର ଇତିହାସ ପାକିସ୍ତାନ୍ର ବହୁତ ଲମ୍ବା । ୨୦୨୦ ସେପ୍ଟେମ୍ବର ମାସରେ ୧୬ବର୍ଷ ବୟସ୍କା ଶିଜ୍ଜା ମକ୍ସୁଦ୍ ଫୌଜଲାବାଦ୍ସ୍ଥିତ ତାଙ୍କ ଘରୁ ସ୍ପଷ୍ଟ ଦିବାଲୋକରେ ଘୋଷାରି ଘୋଷାରି ଅପହରଣ କରାଗଲା । ନଭେମ୍ବର ମାସରେ ଅପହରଣକାରୀଙ୍କ କବଳରୁ ଶିଜ୍ଜା କୌଣସିମତେ ଖସି ଆସି ନିଜ ପ୍ରତି ହୋଇଥିବା ଅତ୍ୟାଚାରର ଲୋମଟାଙ୍କୁରା ଘଟଣା ବର୍ଣ୍ଣନା କରିଥିଲେ । ଏକାଧିକ ପୁରୁଷ ତାଙ୍କୁ ନିକାହ ନାମରେ ବଳତ୍କାର କରିଥିଲେ । ପ୍ରତିଥର ଇସ୍ଲାମ୍ ଧର୍ମର ନିକାହ ଓ ତଲାକ୍ ନାମରେ ଶିଜ୍ଜା ମକ୍ସୁଦ୍ ଧର୍ଷଣ ହେଉଥିଲେ । ଶିଜ୍ଜା କୁହନ୍ତି, ମୋ ପାଇଁ ନିକାହ ହେଉଛି ନର୍କପୁର ଏବଂ ଧର୍ମର ଅର୍ଥ ଧର୍ଷଣ’ ।
ଜୁନ୍ ମାସ ୨୦୨୦ । ଫାରା ସାହିନ୍ଙ୍କୁ ୧୨ବର୍ଷ । ବଳପୂର୍ବକ ଅପହରଣ, ଧର୍ମପରିବର୍ତ୍ତନ ଓ ନିକାହ ଓ ତଲାକ୍ ନାମରେ ଧର୍ଷଣର ଅନ୍ୟ ଏକ ଉଦାହରଣ ଫାରା । ଦୀର୍ଘ ୫ ମାସ ପରେ ପୋଲିସ ଡ଼ିସେମ୍ବର ମାସରେ ଫାରାଙ୍କୁ ଉଦ୍ଧାର କଲା ସତ ମାତ୍ର ଆଜି ଫାରା ମୃତ୍ୟୁପରାୟ ।
ଜୋର୍ଜବରଦସ୍ତ ଧର୍ମାନ୍ତର ଏବଂ ନିକାହ କରି ପାକିସ୍ତାନର ସଂଖ୍ୟାଲଘୁ କନ୍ୟା ଓ ମହିଳାଙ୍କୁ ବର୍ବର ବଳତ୍କାର ପ୍ରସଙ୍ଗର ଆକାର ଓ ପ୍ରକାର ଏକାଧିକ । ଏଭଳି ପାଶବିକ ଜଘନ୍ୟ ଅପରାଧର କଣ୍ଠରୋଧ ହେବା ପରିବର୍ତ୍ତେ ପାକିସ୍ତାନରେ ଏହାକୁ ବିରୋଧ କରି ସ୍ୱର ଉତ୍ତୋଳନ କରୁଥିବା ବ୍ୟକ୍ତି ବିଶେଷଙ୍କର କଣ୍ଠରୋଧ କରିଦିଆଯାଏ । ଅଧିକାଂଶ ସମୟରେ ଆଇନ୍ର ରକ୍ଷକ ଓ ରାଜନୈତିକ ବ୍ୟକ୍ତିବିଶେଷ “”ଇସ୍ଲାମ୍ ଫୋବିଆ” (ଇସ୍ଲାମ୍ ପ୍ରତି ଭୟ) ପାଇଁ ତଥା ଭୋଟ୍ବ୍ୟାଙ୍କ୍ ଯୋଗୁଁ ଏଭଳି ଅପରାଧ ଚପାଇ ଦେବାର ପ୍ରୟାସ ପାକିସ୍ତାନରେ କରିଆସୁଛନ୍ତି । ବଳପୂର୍ବକ ଧର୍ମାନ୍ତରୀକରଣ ସଂକ୍ରାନ୍ତୀୟ ସମ୍ପ୍ରଦାୟ ତଦନ୍ତ କମିଟିର ମୁଖ୍ୟ ଅନ୍ୱାରୁଲ୍ ହକ୍ଙ୍କ ସଫେଇ ଉପରୋକ୍ତ ମତକୁ ସାବ୍ୟସ୍ତ କରୁଛି । ଅନ୍ୱାରୁଲ୍ କୁହନ୍ତି, “ଧର୍ମାନ୍ତରୀକରଣରେ ଅନେକାଂଶରେ ଝିଅର ସହମତି ରହିଛି । ଅର୍ଥନୈତିକ କାରଣ ରହିବା ସହିତ ମୁସଲମାନ ପୁରୁଷଙ୍କ ପ୍ରତି ଆକାର୍ଷଣ ସ୍ୱଇଚ୍ଛାରେ ଅଧିକାଂଶ କ୍ଷେତ୍ରରେ ରହିଥାଏ । ସଂଖ୍ୟାଲଘୁ ସମ୍ପ୍ରଦାୟ ପାକିସ୍ତାନକୁ ନିନ୍ଦିତ କରିବାକୁ ବେଳେ ବେଳେ ଏହାକୁ ନେଇ ବିବାଦ ଉପୁଯାଇଥାନ୍ତି । ଏ ସବୁକୁ ବଳପୂର୍ବକ ଧର୍ମାନ୍ତରୀକରଣ ଆଖ୍ୟା ଦିଆଯିବା ଉଚିତ୍ ନୁହେଁ ।’
ଏଠାରେ ଉଲ୍ଲେଖଯୋଗ୍ୟ ବିଶ୍ୱର ସୁପ୍ରସିଦ୍ଧ ଗଣମାଧ୍ୟମ ସଂସ୍ଥାମାନେ ମଧ୍ୟ ପାକିସ୍ତାନରୁ ସଂଖ୍ୟାଲଘୁ ଝିଅ ଓ ମହିଳାମାନଙ୍କୁ ଚୀନ୍କୁ ଚୋରାଚାଲାଣ କରାଯାଉଥିବାର ଏକାଧିକ ପ୍ରମାଣଯୋଗ୍ୟ ଖବର ପ୍ରକାଶ କରି ଏହାକୁ ୨୦୧୯ର ‘ଗ୍ରେଟ୍’ ନ୍ୟୁଜ୍ ବୋଲି ଦର୍ଶାଇଥିଲେ । ଆଜି ଭାରତର କାଶ୍ମୀରରେ ମାନବିକ ଅଧିକାରର ଉଲ୍ଳଙ୍ଘନ ଓ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣର କଥା ପାକିସ୍ତାନ ଜାତିସଂଘରେ ଅଭିଯୋଗ କରୁଛି । ଆରଜୁ ଭଳି ଶହଶହ ପାକିସ୍ତାନୀ ସଂଖ୍ୟାଲଘୁ ସମ୍ପ୍ରଦାୟ ଆଜି ପ୍ରଶ୍ନ କରୁଛନ୍ତି ଭାରତକୁ ନିନ୍ଦିତ କରୁଥିବା ପାକିସ୍ତାନ କେତେ ଦିନ ପଳାତକ ସାଜି ଏ ମିଛ ପ୍ରଚାର ରଚାଇବ ଏବଂ କେବେ ମାନବିକ ଅଧିକାରକୁ ସମ୍ମାନ ଜଣାଇ ଜଘନ୍ୟ ଅପରାଧୀଙ୍କୁ ଦଣ୍ଡ ଦେଇ ପାକିସ୍ତାନୀ ସଂଖ୍ୟାଲଘୁ ନାବାଳିକା, କନ୍ୟା, କିଶୋରୀ ଓ ମହିଳାଙ୍କୁ ସୁରକ୍ଷା ଦେବ?
ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ଏହି ସ୍ତମ୍ଭରେ ପ୍ରତିଫଳିତ ମତ ତାଙ୍କ ବ୍ୟକ୍ତିଗତ ଅନୁଶୀଳନ ଉପରେ ଆଧାରିତ।