ଧୂଳିଆ ଜନ୍ଦା ରାଜନୀତି

ମାତିଛି ମହାମାରୀ । ଜୀବନ ବଞ୍ଚାଇବା ଚିନ୍ତାରେ ସମସ୍ତେ । କିନ୍ତୁ କରୋନା ବେଳେ ଦେଶରେ ଚାଲିଛି କ୍ଷମତା ରାଜନୀତିର ହୀନ ଲଢେଇ । ଲୋକଙ୍କ ମୁହଁରେ ତୁଣ୍ଡି ବାନ୍ଧି ପୁଣି ଲକ୍ ଡାଉନ୍, ସଟ୍ ଡାଉନ୍ କରି, ସେମାନଙ୍କୁ ଘରେ ପୂରାଇ ଦେଇ, ଦେଶରେ ଚାଲିଛି ରାଜନୈତିକ କ୍ଷମତା ଅପହରଣର କୁତ୍ସିତ ଚକ୍ରାନ୍ତ । ମଧ୍ୟପ୍ରଦେଶ ପରେ ଏବେ ରାଜସ୍ଥାନ । ସମାନ ଶୈଳୀରେ ସରକାରରେ ସୃଷ୍ଟି ହୋଇଛି ଅସ୍ଥିରତା । ରାଜ୍ୟରେ କଂଗ୍ରେସ ସରକାରକୁ ଭାଙ୍ଗି ଦେବାକୁ ବିଜେପି ଚକ୍ରାନ୍ତ କରୁଥିବା କହୁଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ଏପରିକି କଂଗ୍ରେସ ବିଧାୟକଙ୍କୁ 15 କୋଟି ଯାଏଁ ଟଙ୍କା ଯଚା ଯାଉଥିବା ଗେହଲଟ୍ ଅଭିଯୋଗ କରିଛନ୍ତି । କିନ୍ତୁ ମଧ୍ୟପ୍ରଦେଶରେ ଧୂଳିଆ ଜନ୍ଦା ଭୂମିକା ନିଭାଇ, କଂଗ୍ରେସ ଠାରୁ କ୍ଷମତା ଛଡ଼ାଇ ନେଇଥିବା ବିଜେପି, ରାଜସ୍ଥାନ ରାଜନୀତିରେ ବର୍ତ୍ତମାନ ସୁଦ୍ଧା କିଛି ଜାଣି ନଥିବା ଅଭିନୟ କରୁଛି । ଆଉ, ଖବରର ଉପର ସ୍ତରରେ ଭାସୁଛି କଂଗ୍ରେସରେ ବୁଢା-ଟୋକା ଲଢେଇ ।
କଂଗ୍ରେସ ମୁକ୍ତ ଭାରତ ଅଭିଯାନକୁ ବିଜେପି ଜୋରଦାର୍ କରିଥିବା ବେଳେ କଂଗ୍ରେସର ଭିତିରି କଳି କିନ୍ତୁ ଥମିବା ନାଁ ଧରୁନି । କ୍ଷମତାର ମୋହ ଛାଡ଼ି ପାରୁ ନଥିବା ଗାନ୍ଧି ପରିବାର, ଦଳର ନେତୃତ୍ୱକୁ ସୁଦୃଢ଼ କରିପାରୁ ନାହାନ୍ତି । ଦଳର ଅଧିକାଂଶ ବରିଷ୍ଠ ନେତା ଏବେ ହଜିଯିବା ସ୍ଥିତିରେ । ଆଉ ଅବଶିଷ୍ଟ ବୟସ୍କମାନେ, ଦକ୍ଷତା ଥିବା ଯୁବ ନେତାଙ୍କୁ ବାଟ ଛାଡୁ ନାହାନ୍ତି । ପୁଣି ନିକଟ ଭବିଷ୍ୟତରେ ଦଳର ସ୍ଥିତି ସୁଧୁରିବା ଭଳି ଲାଗୁ ନଥିବା ବେଳେ, ଲମ୍ବା ରାଜନୈତିକ କ୍ୟାରିଅର୍ ଆଶା ରଖିଥିବା ଯୁବ ନେତାଙ୍କୁ ପୋଚିଂ କରି ଫୋଲ୍ଡକୁ ନେବା ବିଜେପି ପାଇଁ ସହଜ ହେଉଛି । ଏଇ ଯେମିତି ସିନ୍ଧିଆଙ୍କ ପରେ ଏବେ ପାଇଲଟ୍ ।
ମଧ୍ୟପ୍ରଦେଶ ରାଜନୀତିରେ ଜ୍ୟୋତିରାଦିତ୍ୟ ସିନ୍ଦିଆ ଏବଂ ରାଜସ୍ଥାନ ରାଜନୀତିରେ ସଚିନ୍ ପାଇଲଟ୍ ଥିଲେ କଂଗ୍ରେସର ପୋଷ୍ଟର ବୟ । ଦଳର ଅନ୍ୟତମ ମରାଠୀ ପୋଷ୍ଟର ବୟ ମିଲିନ୍ଦ ଦେଓରା ଜିତୁ ଜିତୁ ହାରିଗଲେ । କହିବାକୁ ଗଲେ, ଏହି 3 ଯବୁ ନେତା ହିଁ ଥିଲେ କଂଗ୍ରେସର ନିର୍ବିବାଦୀୟ ନାସନାଲ୍ ଫିଗର୍ । ଯେତେବେଳେ କି କଂଗ୍ରେସରେ ରାହୁଲଙ୍କ ନେତୃତ୍ୱକୁ ନେଇ ୟୁପିଏରେ ଅଗ୍ରାହ୍ୟର ଆଭାସ ମିଳିଲା, ସେତେବେଳେ ସମ୍ଭାବ୍ୟ ତାଲିକାରେ ଚର୍ଚ୍ଚାରେ ଥିଲେ ଏହି 3 ଯୁବ ଫିଗର୍ । କିନ୍ତୁ ସେମିତି କିଛି ଡେଭଲପମେଣ୍ଟ ହେଲାନି । କେମିତି ବା ହୁଅନ୍ତା ? 2014 ନିର୍ବାଚନର ଯଥେଷ୍ଟ ପୂର୍ବରୁ କଂଗ୍ରେସ, ଅବକ୍ଷୟର ଆଭାସ ପାଇଥିଲା । ହୁଏତ, କଂଗ୍ରେସ ନେତୃତ୍ୱ ଯଦି ସେତେବେଳେ ପ୍ରଣବ ମୁଖାର୍ଜୀଙ୍କୁ ସାମ୍ନାକୁ ଆଣିଥାନ୍ତେ, ଦଳ ବଞ୍ଚିଯାଇ ପାରିଥାନ୍ତା । କିନ୍ତୁ ସୋନିଆ ଚାହିଁଲେନି । ବରଂ ପ୍ରଣବ ମୁଖାର୍ଜୀଙ୍କୁ ଦଳ, ରାଷ୍ଟ୍ରପତି ପ୍ରାର୍ଥୀ କରିଦେଲା । ଆଉ ପ୍ରଣବଙ୍କ ବ୍ୟକ୍ତିତ୍ୱ ହିଁ ତାଙ୍କୁ ୟୁପିଏ ବାଦ୍ ଅନ୍ୟ ଦଳର ସମର୍ଥନ ଯୋଗାଡ଼ରେ ସହାୟକ ହେଲା । ପ୍ରଣବ ରାଷ୍ଟ୍ରପତି ହେଲେ, ଆଉ କଂଗ୍ରେସ ହରାଇଲା ଜଣେ ସୁପର୍ ସେଭର୍ । ଯେଉଁଠି ପ୍ରଣବଙ୍କ ଭଳି ବ୍ୟକ୍ତିତ୍ୱକୁ କଂଗ୍ରେସ ସାଇଡ୍ କରିଦେଲା, ସେଠି କେମିତି ବା ସୋନିଆ ଗାନ୍ଧି, ନିଜ ପୁଅ ରାହୁଲ ଥାଉ ଥାଉ ସିନ୍ଧିଆ, ପାଇଲଟ୍ ଏବଂ ମିଲିନ୍ଦ ଦେଓରାଙ୍କ ନାଁରେ କଂଗ୍ରେସକୁ କବଲା କରି ଦେଇଥାନ୍ତେ ?
2018 ନିର୍ବାଚନରେ ମଧ୍ୟପ୍ରଦେଶରେ କଂଗ୍ରେସକୁ ଶାସନ କ୍ଷମତା ଫେରାଇ ଆଣିବାରେ ମୁଖ୍ୟ ଭୂମିକା ନିଭାଇଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । କିନ୍ତୁ କମଲ ନାଥ ହେଲେ ମୁଖ୍ୟମନ୍ତ୍ରୀ । ସରକାରରେ ତାଙ୍କୁ ଗୁରୁତ୍ୱ ଦିଆଯାଉ ନାହିଁ କହି ଗତ ମାର୍ଚ୍ଚ ମାସରେ ସେ ଅସନ୍ତୋଷ ବ୍ୟକ୍ତ କଲେ । ଗୋଆ ଓ କର୍ଣ୍ଣାଟକ ଏପିସୋଡର ରିପିଟ୍ ଚାହୁଁ ନଥିବା କଂଗ୍ରେସ, ସିନ୍ଧିଆଙ୍କୁ ଦଳରେ ବାନ୍ଧି ରଖିବାକୁ ଆପ୍ରାଣ ଉଦ୍ୟମ କଲା । ଏପରିକି ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ଯାଚିଲା । କିନ୍ତୁ ବିଜେପି ସହ ଭିତିରିଆ କଥାବାର୍ତ୍ତା ଫାଇନାଲ୍ କରି ଦେଇଥିବା ସିନ୍ଧିଆ ଜଣେ ନୋମିନି ନିଯୁକ୍ତ କରିବାକୁ ଚାହିଁଲେ । ଏଭଳି ସ୍ଥିତିରେ ସରକାରରେ ଚେଲା ସଂସ୍କୃତିକୁ ଅନୁମତି ଦେବାକୁ ସଫା ସଫା ମନା କରିଦେଲେ କମଲ ନାଥ । ଯାହା, କଂଗ୍ରେସ ଛାଡ଼ି ଜେପିରେ ମିଶିବା ପାଇଁ ସିନ୍ଧିଆଙ୍କ ବାଟ ପରିଷ୍କାର କରିଦେଲା ।
ଠିକ୍ ସେହିଭଳି, 2018 ନିର୍ବାଚନରେ ସଚିନ୍ ପାଇଲଟ୍ ହିଁ ଥିଲେ ରାଜସ୍ଥାନରେ କଂଗ୍ରେସର ପ୍ରକୃତ ପାଇଲଟ୍ । ବିଜେପି ଠାରୁ କ୍ଷମତା ଛଡ଼ାଇ ଆଣିବାରେ ସେ ହିଁ ନିଭାଇ ଥିଲେ ମୁଖ୍ୟ ଭୂମିକା । ଆଶା କରାଯାଉଥିଲା, କଂଗ୍ରେସର ଏହି ଯୁବ ନେତୃତ୍ୱ ହିଁ ରାଜସ୍ଥାନ ସରକାରର ପାଇଲଟ ସାଜିବେ । କିନ୍ତୁ ବାଜି ମାରିନେଲେ ଅଶୋକ ଗେହଲଟ୍ । ଉପ ମୁଖ୍ୟମନ୍ତ୍ରୀ କରାଇ, କଂଗ୍ରେସ ଶୀର୍ଷ ନେତୃତ୍ୱ ସିନା ପାଇଲଟଙ୍କୁ ସେତେବେଳେ ସନ୍ତୁଷ୍ଟ କରିଦେଲେ, କିନ୍ତୁ ଏବେ ରାଜସ୍ଥାନ, ଦଳ ପାଇଁ ଆଉ ଏକ ମଧ୍ୟପ୍ରଦେଶ ହେବାକୁ ଯାଉଛି । ସଚିନ୍ ପାଇଲଟ୍ ହିଁ ସରକାରରେ ଅସ୍ଥିରତା ସୃଷ୍ଟି କରୁଥିବା ଅଭିଯୋଗ ଆଧାରରେ ଆକ୍ସନ୍ସ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ନିଜ ଅଧୀନରେ ଥିବା ଗୃହ ବିଭାଗର SOG ଦ୍ୱାରା ଜେରା କରିବାକୁ ତାଙ୍କୁ ସମନ୍ ଜାରି କରିଛନ୍ତି । ଆଉ, ଏହାକୁ ନିଜ ସମ୍ମାନ ପ୍ରତି ଆଞ୍ଚ୍ କହି, ଦମ୍ ଦେଖାଉଛନ୍ତି ସଚିନ୍ ପାଇଲଟ୍ । ସମସ୍ୟାର ସମାଧାନ ପାଇଁ କଂଗ୍ରେସ ତାର ଟପ୍ ଲେବଲ୍ କ୍ରାଏସିସ୍ ମ୍ୟାନେଜରଙ୍କୁ ଲଗାଇ ଦେଇଛି । କିନ୍ତୁ ପାଇଲଟ୍ ଯେଉଁ ଷ୍ଟ୍ରଙ୍ଗ୍ ପଏଣ୍ଟରେ ଷ୍ଟିକ୍ କରିଛନ୍ତି, ସେଥିରୁ ତାଙ୍କୁ ଛଡ଼ାଇବା ସମ୍ଭାବନା କମ୍ ।
200 ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ କଂଗ୍ରେସର 107 ବିଧାୟକ ଥିବା ବେଳେ ପାଇଲଟଙ୍କ ସହ 30 ବିଧାୟକ ଥିବା କୁହାଯାଉଛି । ପାଇଲଟ୍ କହୁଛନ୍ତି, ସେ ବିଜେପିକୁ ଯାଉ ନାହାନ୍ତି । କିନ୍ତୁ ୱେଟ୍ ଆଣ୍ଡ୍ ୱାଚ୍ ମୋଡ୍ ରେ ଥିବା ବିଜେପି, ପାଇଲଟଙ୍କୁ ସମର୍ଥନ କରିବାକୁ ତାର ବିଧାୟକମାନଙ୍କୁ ଭିତିରିଆ ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ହେଉଛି । ବୋଧ ହୁଏ, ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ଭିତିରିଆ ବାର୍ଗେନିଂ ସିଦ୍ଧାନ୍ତ ହୋଇପାରୁ ନଥିବାରୁ ପାଇଲଟ୍ ଏବେ ଏମିତି କହୁଛନ୍ତି । ସେପଟେ ପାଇଲଟଙ୍କ ଆଶାର ଫ୍ଲାଇଟ୍ ଟାର୍ଗେଟ୍ ଲ୍ୟାଣ୍ଡିଂ କରାଇ ନଦେଇ ପାରନ୍ତି ବସୁନ୍ଧରା ରାଜେ । ଏଭଳି ସ୍ଥିତିରେ ଯଦି ସରକାର ଭାଙ୍ଗିଯାଏ, ତେବେ ରାଜସ୍ଥାନ ପୁଣି ବିଜେପିର ବସୁନ୍ଧରା ରାଜେଙ୍କ ରାଜ୍ ଦେଖିବା ସମ୍ଭାବନା ରହୁଛି । ବିଜେପି କେବଳ ସରକାର ଭାଙ୍ଗିବାକୁ ଅପେକ୍ଷା କରିଛି । କଂଗ୍ରେସ ନେତୃତ୍ୱ ଯଦି ବୁଝାଇ ଶୁଝାଇ ପାଇଲଟଙ୍କୁ ଫୋଲ୍ଡରେ ରଖି ନପାରନ୍ତି, ତେବେ ସରକାର ଭାଙ୍ଗିବା ଥୟ । କଂଗ୍ରେସରୁ ଯିବା ପରେ କଣ କରିବେ ପାଇଲଟ୍ ? ଜଗନ୍ ମୋହନ ରେଡିଙ୍କ ଭଳି ନିଜସ୍ୱ ପାର୍ଟି କରି ସେ କଣ, କଂଗ୍ରେସକୁ ଚ୍ୟାଲେଞ୍ଜ ଦେଇପାରିବେ ? ସିନ୍ଧିଆଙ୍କ ଭଳି ପାଇଲଟଙ୍କୁ ପୋଚିଂ କରିବା ମୋଡ୍ ରେ ବିଜେପି । ପାଇଲଟ୍ ଯଦି ବିଜେପିରେ ଲ୍ୟାଣ୍ଡ୍ କରନ୍ତି, ତେବେ ତାଙ୍କୁ ବିଜେପି କେଉଁଠି ଥଇଥାନ କରିବ ?
କରୋନାରେ ସାରା ବିଶ୍ୱରେ 3 ନମ୍ବର ସ୍ଥାନକୁ ଗଲାଣି ଭାରତ । ପୁଣି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ଦେଖିବାକୁ ଗଲେ ଏକ ନମ୍ବରରେ ଥିବା ଆମେରିକା ସହ ପ୍ରତିନ୍ଦ୍ୱନ୍ଦିତା ଚାଲିଛି । ଲୋକଙ୍କ ଜୀବନ ବିପନ୍ନ ବେଳେ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରର ରାଜନୀତିରେ ଚାଲିଛି ରାତି ଅଧିଆ ବିରୁଡ଼ି ବସା ଭଙ୍ଗା ଶୈଳୀରେ ଗଣତନ୍ତ୍ର ହତ୍ୟା । ଏବେ ଅପେକ୍ଷା, କେବେ ମହାରାଷ୍ଟ୍ରରେ ବିଜେପି ଆରମ୍ଭ କରିବ ତାର ଲୋଟସ୍ ଅପରେସନ୍ ।