ଓଡ଼ିଶାରେ ଲାଗିଛି ବର୍ଷାର ‘ନିଆଁ’, ଭାତହାଣ୍ଡିକୁ ବସୁଛି ମାଡ଼

ଆର୍ଥିକ ମାନ୍ଦାବାସ୍ଥା, ପ୍ରାକୃତିକ ବିପର୍ଯ୍ୟୟ, ସରକାରୀ ବ୍ୟବସ୍ଥାରେ ଢିଲା ଆଦି ବିିଭିନ୍ନ କାରଣରୁ ବଜାର ଦରରେ ନିଆଁ ଲାଗିଥିବାବେଳେ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଊଣାଅଧିକେ ସାରା ଦେଶରେ ଏଭଳି ବଜାର ଦର ଆକାଶଛୁଆଁ ହୋଇଥିବାବେଳେ ଏହାର ପ୍ରଭାବ ଆମ ରାଜ୍ୟରେ ମଧ୍ୟ ପଡ଼ିଛି । ଗତ କିଛିଦିନ ଧରି ପିଆଜ ସମେତ ଆଳୁ ଓ ଅନ୍ୟାନ୍ୟ ପରିବାକୁ ଲୋକେ ଛୁଇଁ ପାରୁନାହାନ୍ତି । ଠିକ୍ ଏଭଳି ପରିସ୍ଥିିତିରେ ଆମେରିକା-ଇରାନ୍ ବିବାଦକୁ ନେଇ ବିଶ୍ୱବ୍ୟାପୀ ତୈଳଦର ପ୍ରଭାବିତ ହୋଇଛି । ଆମ ଦେଶରେ ମଧ୍ୟ ଏହା ସମସ୍ୟା ବଢ଼ାଇବାରେ ଲାଗିଛି । ପେଟ୍ରୋଲ୍-ଡିଜେଲ୍ ମୂଲ୍ୟ ଆହୁରି ବୃଦ୍ଧି ଘଟିବା ଆଶଙ୍କା କରାଯାଉଛି । ଫଳରେ ଏହା ନିତିଦିନିଆ ବଜାରକୁ ପ୍ରଭାବ ପକାଇବ ଏବଂ ଖାଉଟି ସାମଗ୍ରୀଗୁଡ଼ିକର ଦରବୃଦ୍ଧି କରିପାରେ । ଏଭଳି ପ୍ରତିକୂଳ ପରିସ୍ଥିତିରେ ପ୍ରକୃତି ପୁଣି ଦାଉ ସାଧିଛି । ଫଳରେ ଆମ ରାଜ୍ୟରେ ଦେଖାଦେଇଛି ବଡ଼ ସମସ୍ୟା । ଅଦିନିଆ ବର୍ଷା ବିଲ ଓ ଖଳାରେ ଧାନକୁ ନଷ୍ଟ କରିଦେଇଥିବା ବେଳେ ବଜାର ଦରରେ ଲଗାଇଛି ନିଆଁ । ଗୋଟିଏପଟରେ ଭାତହାଣ୍ଡିକୁ ମାଡ଼ ଆଉ ଅନ୍ୟପଟରେ ଥରହର କରାଉଛି ଅସହ୍ୟ ଜାଡ଼ । (ଏସ୍‌ପି)

ଭୁବନେଶ୍ଵର, (ଓଟି): ଚଳିତ ବର୍ଷ ବର୍ଷା ସ୍ୱାଭାବିକ ହେବ ବୋଲି ପୂର୍ବରୁ ଆକଳନ କରାଯାଇଥିଲା । କିନ୍ତୁ ସେଭଳି ହେଲା ନାହିଁ । ବିଳମ୍ବିତ ବର୍ଷା ଯୋଗୁଁ ଚାଷ କାମରେ ମଧ୍ୟ ଡେରି ହେଲା । କେତେକ ସଅଳ କିସମ ଧାନକୁ ଛାଡ଼ିଦେଲେ ଆଉସବୁ କ୍ଷେତ୍ରରେ ଚାଷ ପଛେଇଥିଲା । ଏପରିକି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ବେଳକୁ ନୂଆ ଧାନ ପାଇବାରେ ସମସ୍ୟା ଦେଖାଦେଇଥିଲା । ସେ ଯାହାହେଉ ପଛେ ଚାଷୀ ନିଜ ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ ଉପୁଜାଇବାକୁ ଚେଷ୍ଟା କଲାବେଳକୁ ଦାଉ ସାଧିଲା ରୋଗପୋକ । ସେଥିରେ ଉଜୁଡ଼ିଗଲା ଅଧେ ଫସଲ । ଅବଶିଷ୍ଟ ଯାହା ଫସଲକୁ ନେଇ ଚାଷୀମାନେ ଆଶା ବାନ୍ଧିଥିଲେ ସେଥିରେ ବାଧା ଆଣିଲା ବାତ୍ୟା ବୁଲବୁଲ୍‌ । ଓଡ଼ିଶାରେ ସିଧାସଳଖ ଭାବେ ବୁଲ୍‌ବୁଲ୍‌ ବାତ୍ୟା ମାଡ଼ ହୋଇନଥିଲେ ମଧ୍ୟ ଉତ୍ତର ଓଡ଼ିଶାଠୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାର ଅନେକ କ୍ଷେତକୁ ଧୋଇନେଲା । ଅଦିନିଆ ବର୍ଷା ଆଉ ପବନ ଯୋଗୁଁ ବିଲରେ ହିଁ ଧାନ ଶୋଇଗଲା । ଅମଳ ବେଳର ପାଚିଲା ଧାନ ବିଲରେ ପଚିଗଲା ତ କୋଉଠି କୋଉଠି ଗଜା ହୋଇଗଲା । ଏଭଳି ଭାବରେ ପ୍ରକୃତିର ପ୍ରକୋପରେ ସାରା ରାଜ୍ୟରେ ଧାନ ଫସଲ ବ୍ୟାପକ କ୍ଷତି ଘଟିଲା । ଫଳରେ ଚାଷୀଙ୍କ ମେରୁଦଣ୍ଡ ଦୋହଲିଗଲା । ଅନେକ ଚାଷୀ ଋଣ ଶୁଝିବା ଚିନ୍ତାରେ ପଡ଼ିଛନ୍ତି । ତେବେ ଏତିକିରେ ଅଟକିଲାନି ଦୁଃଖ । ବୋଝ ଉପରେ ନଳିତା ବିଡ଼ା ଭଳି ଉଭା ହେଲା କୃତ୍ରିମ ସମସ୍ୟା ।


ଧାନମଣ୍ଡି ଖୋଲିବାରେ ତଥା ସରକାରୀ ଭାବେ ଧାନ କିଣା କ୍ଷେତ୍ରରେ ମଧ୍ୟ ଅନେକ ସ୍ଥାନରେ ବିଳମ୍ବ ଘଟିଥିବା ଅଭିଯୋଗ ହେଲା । ଖାଲି ସେତିକି ନୁହେଁ ପଶ୍ଚିମ ଓଡ଼ିଶାରେ ଟୋକନ୍ ବ୍ୟବସ୍ଥାକୁ ନେଇ ରାଜ୍ୟ ବିଧାନସଭା ମଧ୍ୟ ହୁଲସ୍ତୁଲ୍ ହେଲା । ଅନେକ ଚାଷୀ ନାମ ପଞ୍ଜୀକରଣ କରି ମଧ୍ୟ ଟୋକନ ଠିକ୍ରେ ପାଇନଥିଲେ । ଏଭଳି ବାଦବିବାଦରେ ଉକ୍ତ ଟୋକନ ବ୍ୟବସ୍ଥା ହଟାଇବାକୁ ଚାଷୀକୁଳ ଜିଦ୍ କରିବସିଲେ । ଏଭଳି ବିଭିନ୍ନ କାରଣରୁ ଚାଷୀମାନେ ହନ୍ତସନ୍ତ ହେଉଥିବାବେଳେ ପୁଣି ପ୍ରକୃତି ଅଟ୍ଟହାସ୍ୟ କରିବା ସଦୃଶ ହୋଇଛି । ବିଳମ୍ବ କିସମର ଅନେକ ଧାନ ବିଲରୁ ଅମଲ ହୋଇପାରିନଥିବା ଆଉ କେତେକ ସ୍ଥାନରେ ଜମିରେ କଟା ହୋଇ ପାଚିଲା ଧାନ ପଡ଼ିଥିବାବେଳେ ଅଦିନିଆ ବର୍ଷା ସେସବୁ ନଷ୍ଟ କରିଦେଇଛି । ଜମିରେ ବର୍ଷାପାଣି ଖେଳୁଛି । ସାରା ରାଜ୍ୟରେ ସମାନ ପରିସ୍ଥିତି ।


ଗତ ୨ ତାରିଖ ରାତିରୁ ପ୍ରାୟ ରାଜ୍ୟ ସାରା ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା । ଏନେଇ ପୂର୍ବରୁ ସୂଚନା ଥିଲେ ମଧ୍ୟ ଜମିରୁ ସବୁ ଧାନ ଅମଳ କରି ସୁରକ୍ଷିତ ସ୍ଥାନକୁ ନେଇଯିବା ପାଇଁ ଚାଷୀଙ୍କ ପାଇଁ ସମ୍ଭବ ହୋଇପାରିଲା ନାହିଁ । ଫଳରେ ସାରା ବର୍ଷକର ଆହାର ଉପରେ ପ୍ରକୃତିର ପ୍ରହାର ପଡ଼ିଛି । ସମ୍ବଲପୁର, ଦେବଗଡ଼, ବଲାଙ୍ଗିର ସମେତ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାରେ ସୃଷ୍ଟି ହୋଇଛି ଏଭଳି କ୍ଷତିର ଦୃଶ୍ୟ । ତେବେ ୫ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗିରହିବ ବୋଲି କୁହାଯାଇଥିବା ବେଳେ କୋହ ସମ୍ଭାଳି ନପାରି ଅନେକ ସ୍ଥାନରେ ଚାଷୀମାନେ କାନ୍ଦକାନ୍ଦ ହୋଇଗଲେଣି । ସରକାରୀ ଭାବେ ଚାଷୀଙ୍କୁ କେବଳ ସୂଚନା ଓ ପରାମର୍ଶ ଦିଆଯାଇଥିଲେ ମଧ୍ୟ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ଓ ସହାୟତା ଯୋଗାଇବା ପାଇଁ ତତ୍ପରତା ପ୍ରକାଶ ପାଇବା ଦେଖାଯାଇନି । ଫଳରେ ବିଲରେ କଟାଧାନ, ଖଳାରେ ଗଦାଗଦା ଧାନ ଏବଂ ମଣ୍ଡିରେ ଖୋଲା ଆକାଶ ତଳେ ବସ୍ତାବସ୍ତା ଧାନ ପଡ଼ି ରହିଥିବାବେଳେ ଅଦିନିଆ ବର୍ଷା ପାଣିରେ ସବୁ ବୁଡ଼ି ରହିଛି ।


ଏହି ଅଦିନିଆ ବର୍ଷାରେ ରାଜ୍ୟର ସୁବର୍ଣ୍ଣପୁର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ସେଠାରେ ସର୍ବାଧିକ ୩୫.୨ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେହପରି ବଲାଙ୍ଗିରରେ ୨୦.୬, ଝାରସୁଗୁଡ଼ାରେ ୧୯.୫ ଓ ବାରିପଦାରେ ୧୩.୬ ମିମି ବର୍ଷା ହୋଇଥିବା ଜଣାପଡ଼ିଛି । ମୋଟାମୋଟି କହିବାକୁ ଗଲେ ରାଜ୍ୟରେ ବ୍ୟାପକ ଧାନ ଫସଲ କ୍ଷତି ଘଟିଛି ଏବଂ ଏହା ବଜାର ଦରକୁ ନିହାତି ଭାବେ ପ୍ରଭାବିତ କରିବ ବୋଲି ବିଶେଷଜ୍ଞ ମହଲରେ ଆଲୋଚନା କରାଯାଉଛି । ଅନ୍ୟପକ୍ଷରେ ୪ ତାରିଖ ରାତିରୁ ବର୍ଷା କମିବାର ସୂଚନା ଥିଲେ ମଧ୍ୟ ଥଣ୍ଡା ଆହୁରି ବଢ଼ିବ ବୋଲି ଜଣାପଡ଼ିଛି । ସେହିପରି ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଘନକୁହୁଡ଼ି ହେବାର ଆଶଙ୍କା ରହିଥିବାରୁ ଏସବୁ କାରଣରୁ ପନିପରିବା ଫସଲ ନଷ୍ଟ ହୋଇଯିବା ପ୍ରାୟତଃ ସ୍ପଷ୍ଟ ହେଲାଣି । ଫଳରେ ବଜାର ଦର ଚଢ଼ା ରହିବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *