ଦିଲ୍ଲୀରେ ୪୬ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ଫେବୃଆରୀରେ ଘନ କୁହୁଡ଼ି ତ ଖରାଦିନେ ପ୍ରବଳ ବର୍ଷା ଆଉ ମୌସୁମିରେ ମୁଣ୍ଡଫଟା ଖରା। ଏମିତି ବିଚିତ୍ର ପାଣିପାଗ ସତ୍ତ୍ବେ ଚଳିତବର୍ଷର ମୌସୁମି ବର୍ଷା ଦୀର୍ଘ ୪୬ ବର୍ଷର ରେକର୍ଡ ଭାଙ୍ଗିଛି। ପାଣିପାଗ ବିଜ୍ଞାନ ବିଭାଗ ଶନିବାର ଦେଇଥିବା ସୂଚନାନୁଯାୟୀ, ଶୁକ୍ରବାର ସକାଳୁ ଶନିବାର ସକାଳ ସୁଦ୍ଧା ୯୪.୭ ମିଲିମିଟର ବର୍ଷା ହୋଇଛି । ସମଗ୍ର ରାଜଧାନୀ ଜଳାର୍ଣ୍ଣବ ହୋଇପଡ଼ିଛି। ଅସ୍ବାଭାବିକ ମୌସୁମି ସତ୍ତ୍ବେ ଜାତୀୟ ରାଜଧାନୀରେ ଏପର୍ଯ୍ୟନ୍ତ ୧ହଜାର ୧୦୦ ମିଲିମିଟର ବର୍ଷା ହୋଇଛି। ଏହା ୪୬ ବର୍ଷ ମଧ୍ୟେର ସର୍ବାଧିକ ଓ ଗତବର୍ଷ ତୁଳନାରେ ୨ ଗୁଣାରୁ ଅଧିକ। ଗତ ୧୧ ଦିନରେ ୩୪୩.୬ ମିଲିମିଟର ବର୍ଷା ହୋଇଛି; ଯାହା ଗତ ୧୨ ବର୍ଷରେ ସର୍ବାଧିକ। ୧୯୭୫ରେ ଦିଲ୍ଲୀରେ ସର୍ବାଧିକ ୧ହଜାର ୧୫୦ ମିଲିମିଟର ମୌସୁମି ବର୍ଷା ହୋଇଥିଲା। ଏହାଛଡ଼ା ୨୦୦୩ରେ ୧୦୫୦ ମିଲିମିଟର ବର୍ଷା ହୋଇଥିଲା। ମୌସୁମିରେ ହାରାହାରି ୬୪୮.୯ ମିଲିମିଟର ବର୍ଷା ହୋଇଥାଏ; ତେବେ ଚଳିତବର୍ଷ ମୌସୁମି ଫେରିବାକୁ ଆଉ କିଛି ଦିନ ଥିବାବେଳେ ବର୍ଷା ସବୁ ରେକର୍ଡ ଭାଙ୍ଗିବା ସମ୍ଭାବନା ରହିଛି । ଗତବର୍ଷ ସେପ୍ଟେମ୍ବରରେ ଦିଲ୍ଲୀରେ ୨୦.୯ ମିଲିମିଟର ବର୍ଷା ହୋଇଥିଲା। ସେପ୍ଟେମ୍ବର ୨୫ ସୁଦ୍ଧା ଦିଲ୍ଲୀରୁ ମୌସୁମି ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଥାଏ । ଚଳିତବର୍ଷ ଦିଲ୍ଲୀରେ ମୌସୁମି ପହଞ୍ଚିବା ବିଳମ୍ବ ହୋଇଥିଲା।