ପାସବୁକ୍ ଏଣ୍ଟ୍ରି ପାଇଁ ବ୍ୟାଙ୍କ ଯାଇଥିଲେ ରେଳ କର୍ମଚାରୀ: ମାସ୍କ ପିନ୍ଧିନଥିଲେ ବୋଲି ଗୁଳି କଲେ ସିକ୍ୟୁରିଟି ଗାର୍ଡ
ବରେଲି ,(ଓଡିଶା ଟାଇମ୍): ଉତ୍ତର ପ୍ରଦେଶ ବରେଲିରେ ଥିବା ବ୍ୟାଙ୍କ ଅଫ୍ ବରୋଦାର ବଡ ଅବହେଳା ସାମ୍ନାକୁ ଆସିଛି। ମାସ୍କ ପିନ୍ଧି ନ ଥିବାରୁ ବ୍ୟାଙ୍କ ଗାର୍ଡ ଏଠାରେ ଜଣେ ରେଳ କର୍ମଚାରୀଙ୍କୁ ଗୁଳି କରିଛନ୍ତି। ରେଳ କର୍ମଚାରୀଙ୍କୁ ପୋଲିସ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ଅଭିଯୁକ୍ତ ଗାର୍ଡଙ୍କୁ ଗିରଫ କରିଛି।
ଆଶ୍ଚର୍ଯ୍ୟର କଥା, ଗୁଳି ଚଳାଇବା ସତ୍ତ୍ୱେ ସିକ୍ୟୁରିଟି ଗାର୍ଡ ପଶ୍ଚାତାପ କରିନାହାନ୍ତି। ବରଂ ସେ ରେଳ କର୍ମଚାରୀଙ୍କୁ ଜେଲକୁ ପଠାଇବାକୁ କହୁଛନ୍ତି। ରେଲୱେ କଲୋନୀର ବାସିନ୍ଦା ରାଜେଶ ରାଠୋର ପାସବୁକ୍ ଏଣ୍ଟ୍ରି କରିବା ପାଇଁ ଷ୍ଟେସନ ରୋଡରେ ଥିବା ବ୍ୟାଙ୍କ ଅଫ୍ ବରୋଦାକୁ ଯାଇଥିଲେ। ରାଜେଶଙ୍କ ପତ୍ନୀ ପ୍ରିୟଙ୍କା ରାଠୋର କହିଛନ୍ତି ଯେ ରାଜେଶ ମାସ୍କ ପିନ୍ଧି ନଥିଲେ | ସେଥିପାଇଁ ଗାର୍ଡ ତାଙ୍କୁ ବ୍ୟାଙ୍କ ଭିତରକୁ ଯିବାକୁ ଦେଇନଥିଲା। କିନ୍ତୁ ରାଜେଶ ଘରୁ ଏକ ମାସ୍କ ଆଣିଥିଲେ କିନ୍ତୁ ପିନ୍ଧିନଥିଲେ | ତଥାପି ଗାର୍ଡ ତାଙ୍କୁ ଗୁଳି କରିଥିଲା।
ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ, ଏସଏସପି ଏବଂ ଏସପି ଘଟଣାସ୍ଥଳରେ ପହଞ୍ଚିଥିଲେ। ଏସଏସପି ରୋହିତ ସିଂ ସଜୱାନ କହିଛନ୍ତି ଯେ କୌଣସି କଥାକୁ ନେଇ ଗାର୍ଡ ଏବଂ ରେଳ କର୍ମଚାରୀଙ୍କ ମଧ୍ୟରେ ବିବାଦ ହୋଇଥିଲା | ସେଥିପାଇଁ ସେ ରାଜେଶଙ୍କୁ ଗୁଳି କରିଥିଲେ। ରାଜେଶଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଅଭିଯୁକ୍ତ ଗାର୍ଡଙ୍କୁ ପଚରାଉଚରା କରାଯାଉଛି। ଏଠାରେ ପ୍ରଶ୍ନ ଉଠିଛି ଯେ ବ୍ୟାଙ୍କ କେଉଁଭଳି ଗାର୍ଡ ନିୟୋଜିତ କରିଛି ଯିଏ ବ୍ୟାଙ୍କ ଆସୁଥିବା ଗ୍ରାହକଙ୍କୁ ସାମାନ୍ୟ କଥାରେ ଗୁଳି କରିଦେଇଛି | ଏଥିପାଇଁ କେଉଁଠି ନା କେଉଁଠି ବ୍ୟାଙ୍କ ପ୍ରଶାସନ ମଧ୍ୟ ଦାୟୀ |