ସ୍ୱତନ୍ତ୍ର ସୁରକ୍ଷା ବଳୟରେ ପୁରୀ ସହର, ଆଜି ରାତିରୁ ଲାଗିବ କର୍ଫ୍ୟୁ
ପୁରୀ, (ଓଡିଶା ଟାଇମ୍): କେବଳ ସେବାୟତମାନେ ରଥଟାଣିବା ଲାଗି ନିଷ୍ପତ୍ତି ହୋଇଛି। ପୁରୀକୁ ଭକ୍ତଙ୍କ ଆସିବା ଉପରେ କଟକଣା ଲଗାଯାଇଛି। ତେଣୁ ପୂର୍ବାପେକ୍ଷା ଏଥର ସୁରକ୍ଷା ବାହିନୀ ଉପରେ ଅଧିକ ଦାୟିତ୍ବ । ଆଜି ପୁରୀ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ।
ସ୍ବତନ୍ତ୍ର ସୁରକ୍ଷା ବଳୟରେ ଏବେ ପୁରୀ ସହର । କାଲି ରଥ ଗଡ଼ିବା ପୂର୍ବରୁ ପୂରା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ। ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟରେ ଏନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଶାସନକୁ ସହଯୋଗ କରିବାକୁ ପୁରୀବାସୀଙ୍କ ସମର୍ଥନ ପାଇଁ ସେ ନିବେଦନ କରିଛନ୍ତି । ରଥଯାତ୍ରାରୁ ବାହୁଡା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ ହୋଇଥିବା ଅଭୟ ବାଣୀ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ। ପୁରୀ ସହରରେ ଆଜି ରାତିରୁ ୧୩ତାରିଖ ରାତି ୮ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ନଜରରେ ରହିବ ପୁରୀ ସହର । ପ୍ରାୟ ୬୫ ପ୍ଲାଟୁନ୍ ଫୋର୍ସ ସହ ସାଧା ପୋଷକଧାରୀ ପୋଲିସ୍ ନିୟୋଜିତ ହେବେ। ବଡଦାଣ୍ଡକୁ ୪ଟି ଜୋନ୍ ଓ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇଛି। ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରା ପ୍ରସ୍ତୁତ ରହିଛି ପୋଲିସ ପ୍ରଶାସନ।