ପୁରୀ: ଗୁରୁ ଶିଷ୍ୟ ଲଢ଼େଇ ତୀବ୍ର

ରାଜ୍ୟର ନିର୍ବାଚନମଣ୍ଡଳୀ ମଧ୍ୟରୁ ଶ୍ରୀକ୍ଷେତ୍ରରେ ଏବେ ପ୍ରଭୁଙ୍କ ଆୟୂଧ ଶଙ୍ଖ ପଦ୍ମ ମଧ୍ୟରେ ଜୋରଦାର ପ୍ରତିଯୋଗିତା ଚାଲିଛି। ଜାତୀୟସ୍ତରର ଦଳ ବିଜେପି ପ୍ରଚାର ପ୍ରସାରରେ ଆଗୁଆ ରହିଛି। ପରିବର୍ତ୍ତନର ସ୍ୱରକୁ ଆପଣେଇଲେଣି ଜନତା। ପୁରୀ ବିଧାନସଭାରୁ ଜୟନ୍ତ କୁମାର ଷଡଙ୍ଗୀ ବିଜେପିର ପଦ୍ମଫୁଲ ଚିହ୍ନରେ ପ୍ରାର୍ଥୀ ହୋଇଥିବାବେଳେ ମହେଶ୍ୱର ମହାନ୍ତି ବିଜେଡିର ଶଙ୍ଖ ଚିହ୍ନରେ ପ୍ରାର୍ଥୀ ହୋଇଛନ୍ତି।

ମହେଶ୍ୱର ଓ ଜୟନ୍ତ ଗୁରୁ ଶିଷ୍ୟ ହୋଇଥିବାବେଳେ ଶିଷ୍ୟ ଏବେ ଗୁରୁଙ୍କୁ ପାନେ ଚଖେଇବା ପାଇଁ ଆଗେଇଛନ୍ତି। ଗୁରୁ ଯେଉଁ ଧାରାରେ ଭୋଟ ଗଣିତ କଷୁଛନ୍ତି ଶିଷ୍ୟ ମଧ୍ୟ ସେହି ଧାରାରେ ଗଣିତ କଷିବାରେ ଧୁରନ୍ଧର। ପୁରୀ ସଦର ବ୍ଲକର ୨୨ପଞ୍ଚାୟତ ଓ ପୁରୀ ପୌରସଂସ୍ଥାର ୩୨ଟି ୱାର୍ଡକୁ ନେଇ ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ। ୨୩ ତାରିଖରେ ଭୋଟ ଗ୍ରହଣ ହେଉଥିବାରୁ ଆଉ ୫ଦିନ ପ୍ରଚାର କରିବେ ପ୍ରାର୍ଥୀ। ବିଜେପିର ପୁରୀ ଲୋକସଭା ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀ ହୋଇଥିବା ଡ. ସମ୍ୱିତ ପାତ୍ର ପଦ୍ମଫୁଲ ପ୍ରଚାରରେ ସବୁଠାରୁ ଆଗୁଆ ରହିଥିବା ଚାରିଆଡେ଼ ଚର୍ଚ୍ଚା ହେଉଛି।

ରୋଗୀସେବା ଛାଡ଼ି ଜନସେବାକୁ ଆପଣେଇଥିବା ଓ ଜନନେତା ଜନତାଙ୍କ ମଧ୍ୟରେ ବୁଲୁଥିବାରୁ ଜନତାଙ୍କ ଆଗ୍ରହ ବୃଦ୍ଧି ପାଇଛି। ଅନ୍ୟ ପକ୍ଷରେ ଜନତାଙ୍କ ଭାଷାକୁ ବୁଝିପାରୁନଥିବା ଓ ଜନତାଙ୍କ ମେଳରେ ଅନୁଭୂତି ବଖାଣୁ ନଥିବା ଦଳକୁ ଜନତା ଏବେ ଆଡ ଆଖିରେ ଅନେଇଲେଣି। ବିଜେଡିର ସାଂସଦ ପ୍ରାର୍ଥୀ ପିନାକୀ ମିଶ୍ର କେବଳ ୭ ଜଣ ବିଧାୟକଙ୍କୁ ଚିହ୍ନୁଥିବାବେଳେ ଜନତାଙ୍କ ସହ ସିଧାସଳଖ ସମ୍ପର୍କ ନଥିବା ବହୁ ଅଭିଯୋଗ ହେଉଛି।

ପୁରୀ ବିଧାନସଭା କ୍ଷେତ୍ରର ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ସିଧାସଳଖ ଲୋକମାନଙ୍କ ଦ୍ୱାର ମୁହଁରେ ପହଞ୍ଚି ସେମାନଙ୍କ ସୁବିଧା ଅସୁବିଧା, ଭଲ ମନ୍ଦ ସମସ୍ୟା, ଗାଁର ସମସ୍ୟା, ଯୋଗାଯୋଗ ସମସ୍ୟା ଓ ବିଦ୍ୟୁତ‌୍‍ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ଭୋଟରଙ୍କ ଘରେ ବସି ପଖାଳ ଖାଉଥିବାରୁ ଲୋକଙ୍କର ଏକ ନୂଆ ଆଗ୍ରହ ସୃଷ୍ଟି ହୋଇଛି।

ନୂଆ ଦିଗ, ନୂଆ ଲକ୍ଷ୍ୟ, ନୂଆ ଦବଦବା ନେଇ ନିଲୁ ତାଙ୍କର ବିଜେପିର ପଦ୍ମଫୁଲ ପ୍ରଚାରରେ ଆଗୁଆ ରହିଥିବା ବିଭିନ୍ନ ଗ୍ରାମରେ ଚର୍ଚ୍ଚା ହେଉଛି। ଧିରେ ଧିରେ ନିଲୁଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ପୁରୀ ପୌରସଂସ୍ଥାରେ ଅନେକ ୱାର୍ଡରେ ଜୟନ୍ତ ପରିଚିତ ଥିବାବେଳେ ଗତ ଦୁଇଦିନ ତଳେ ପେଣ୍ଠକଟାର ହଜାର ହଜାର ମତ୍ସ୍ୟଜୀବୀ ବିଜେପିକୁ ସମର୍ଥନ କରିଥିବାରୁ ଜୟନ୍ତଙ୍କ ଭୋଟ ବଢିବାରେ ଲାଗିଛି । ବିଭିନ୍ନ ବସ୍ତି ଭୋଟ ମଧ୍ୟ ଜୟନ୍ତ ହାତେଇବାକୁ ପ୍ରୟାସ ଜାରି ରଖିଛନ୍ତି।

ଜମି ପଟ୍ଟା ବଣ୍ଟନରେ ଅନିୟମିତତା ହୋଇଥିବାରୁ ବସ୍ତିବାସିନ୍ଦାମାନେ କ୍ଷୁବ୍ଧ ଅଛନ୍ତି। ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ଗରିବ ହିତାଧିକାରୀମାନେ ସାମିଲ ନହୋଇ ପ୍ରଭାବଶାଳୀ ବ୍ୟକ୍ତି ସାମିଲ ହୋଇଥିବାରୁ ଅନେକ ଗରିବ ପରିବାର ଏବେ ପରିବର୍ତ୍ତନର ସ୍ୱରରେ ପଦ୍ମ ଫୁଲକୁ ସମର୍ଥନ କରିବେ ବୋଲି କହିଥିଲେ।

ଅନ୍ୟ ପକ୍ଷରେ ମହେଶ୍ୱର ମହାନ୍ତି ଜଣେ ପୁରୁଣା, ପୋଖତ ଭୋଟ ସଂଗ୍ରହକାରୀ ଖେଳାଳି ହୋଇଥିବାରୁ ତାଙ୍କ ସହ ଟକ୍କର ଦେଇ ଖେଳିବା କାଠିକର ପାଠ। ଭୋଟ ଗଣିତ ହିସାବ କରିବାରେ ସେ ମାହିର। ଭୋଟ କିପରି ଅଣାଯାଏ ସେ ବିଦ୍ୟାରେ ସେ ପାରଙ୍ଗମ। ତଥାପି ଜନତାଙ୍କ ବିଦ୍ରୋହର ସ୍ରୋତରେ ସବୁ ଗଣିତ ଭୁଲ ହୋଇଯିବାର ଆଶଙ୍କା ରହିଛି। ଶ୍ରୀମନ୍ଦିରରେ ଶଙ୍ଖ ବାଜେ ନାହିଁ। କିନ୍ତୁ ଶଙ୍ଖକ୍ଷେତ୍ର ଶ୍ରୀକ୍ଷେତ୍ର । ପଦ୍ମଫୁଲ ଶ୍ରୀଜଗନ୍ନାଥଙ୍କ ଅତିପ୍ରିୟ। ଅନ୍ୟ ପକ୍ଷରେ ଶୁଭ ଶଙ୍ଖ ବାଜିବାର ସମୟ ରହିଛି। ଯୁଦ୍ଧଶଙ୍ଖ ମଧ୍ୟ ସମୟରେ ବାଜେ। ସୂର୍ଯ୍ୟୋଦୟ ପୂର୍ବରୁ ଓ ସୂର୍ଯ୍ୟାସ୍ତ ପୂର୍ବରୁ ଶଙ୍ଖ ବାଜିବା ନିୟମ ରହିଛି।

କିନ୍ତୁ ଏବେ ନିର୍ବାଚନ ଋତୁରେ ଅସମୟରେ ଗୋଟି ଓ ଯୋଡି ଶଙ୍ଖ ବାଜୁଛି ଯାହା ଶଙ୍ଖକ୍ଷେତ୍ର ପାଇଁ ଅଶୁଭ ଲକ୍ଷଣ ବୋଲି ଶାସ୍ତ୍ରବିତମାନେ କହିଛନ୍ତି। ଆସନ୍ତା ୨୩ ତାରିଖରେ ଜନାଦେଶ ଶଙ୍ଖ ବଜେଇବ ନା ଫୁଲ ଫୁଟେଇବ ତାହା ଭୋଟ ଗଣତିରୁ ଜଣାପଡିବ।

Leave a Reply

Your email address will not be published. Required fields are marked *