କରୋନା ମଧ୍ୟରେ ଜିକା ଭାଇରସର ଭୟ ; ୭୯ଟି ଗାଁରେ ସଂକ୍ରମଣ ଆଶଙ୍କା
ପୁଣେ, (ଓଡିଶା ଟାଇମ୍): କରୋନା ପରେ ଏବେ ଭୟଙ୍କର ହେବାରେ ଲାଗିଛି ଜିକା ଭାଇରସ । ମହାରାଷ୍ଟ୍ର ବିଭିନ୍ନ ଅଞ୍ଚଳରେ ଜିକା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପୁଣେରେ ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ତତ୍ପର ହୋଇଉଠିଛି ପ୍ରଶାସନ । ଜିଲ୍ଲା ପ୍ରଶାସନ ପକ୍ଷରୁ ୭୯ଟି ଗାଁ ରେ ଜିକା ଭାଇରସ ଆଶଙ୍କା ରହିଥିବା କୁହାଯାଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଗାଁ ଗୁଡିକରେ ଜରୁରୀକାଳୀନ ସେବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ଆବଶ୍ୟକ ହେଲେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘର ଘର ବୁଲି ପରୀକ୍ଷା କରାଯିବ ।
ପୁଣେର ବେଲସର ଗାଁରେ ଜିକା ଭାଇରସର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା । ସଂକ୍ରମଣ ବୃଦ୍ଧି ଆଶଙ୍କାରେ ସତର୍କ ହୋଇଥିଲା ସ୍ବାସ୍ଥ୍ୟ ବିଭାଗ । ଏ ନେଇ ସତର୍କ ରହିବା ସହ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଜିକା ଭାଇରସ ତାହାର କାୟା ମେଲାଇବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାପାଳ ଡାକ୍ତର ରାଜେଶ ଦେଶମୁଖ କହିଛନ୍ତି, ପୁଣେର ପ୍ରାୟ ୭୯ଟି ଗାଁରେ ଡେଙ୍ଗୁ ଏବଂ ଚିକୁନଗୁନିଆ ଭଳି ସଂକ୍ରାମକ ରୋଗ ବ୍ୟାପିବାରେ ଲାଗିଛି । ଗତ ୩ ବର୍ଷ ହେଲା ଏହି ସବୁ ଅଞ୍ଚଳରେ ଡେଙ୍ଗୁ ଏବଂ ଚିକୁନଗୁନିଆ ପ୍ରଭାବ ବିସ୍ତାର କରିଚାଲିଛି ।
ଜିକା ଭାଇରସ ବ୍ୟାପିବାକୁ ଆଶଙ୍କା ଥିବା ଜିଲ୍ଲାଗୁଡିକରେ ଅଧିକ ସତର୍କତା ଅବଲମ୍ବନ କରାଯାଇଛି । ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଥିବା ୭୯ଗାଁରେ ସତର୍କ ସୂଚନା ଜାରିକରାଯାଇଛି । ଯଦି ଉକ୍ତ ଗାଁ ଗୁଡିକରୁ ଅଧିକ ସଂଖ୍ୟକ ଡେଙ୍ଗୁ ଏବଂ ଚିକୁନଗୁନିଆ ରୋଗୀ ଚିହ୍ନଟ ହୁଅନ୍ତି ତେବେ ସେଠାରେ ଜିକା ଭାଇରସ ନେଇ ରକ୍ତ ନମୂନା ପରୀକ୍ଷା କରାଯିବ । ଏହା ସହିତ ସଂପୃକ୍ତ ଅଞ୍ଚଳଗୁଡିକରେ ସଫେଇ କାର୍ଯ୍ୟ ଏବଂ ସାନିଟାଇଜେସନ୍ ପ୍ରକ୍ରିୟା ଆରମ୍ଭ ହେବ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ସୂଚନା ମୁତାବକ, ମଶାମାନଙ୍କ ଦ୍ବାରା ହିଁ ଜିକା ଭାଇରସ ବ୍ୟାପିଥାଏ । ଏହା ଦ୍ବାରା ଡେଙ୍ଗୁ ଏବଂ ଚିକୁନଗୁନିଆ ମଧ୍ୟ ବ୍ୟାପିଥାଏ । ମହାରାଷ୍ଟ୍ର ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଏହି ସବୁ ମଶା ଦେଖାଯାଆନ୍ତି । ସେହି ମଶା ଜିକା ଭାଇରସ ବ୍ୟାପକ ଭାବେ ବିସ୍ତାର କରିଥାନ୍ତି ।