ପାର୍ବଣ ପାଇଁ ଗାଇଡଲାଇନ ଜାରି କଲେ ସରକାର
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ସରକାର ଗୁରୁବାର ପୂଜା ଗାଇଡଲାଇନ ଜାରି କରିଛନ୍ତି। ପାର୍ବଣ ଋତୁ ଚାଲିଥିବା ବେଳେ ଚଲିତ ମାସକୁ ମିଶାଇ ଆଗାମୀ ୨ ମାସ ପର୍ଯ୍ୟନ୍ତ ରାଜ୍ୟ ସରକାର ଗାଇଡ ଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନ ସେପ୍ଟେମ୍ବର , ଅକ୍ଟୋବର ଓ ନଭେମ୍ବରର ପର୍ବପର୍ବାଣୀ ପାଇଁ ଜାରି ହୋଇଛି। ରାଜ୍ୟରେ ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜ ଓ କାଳୀ ପୂଜା କିପରି ପାଳନ ହେବ ସେ ନେଇ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି।
ଏହି ଗାଇଡଲାଇନ ଅନୁସାରେ ମଣ୍ଡପରେ ପୂଜା ପାଇଁ ଜିଲ୍ଲାପାଳ, କମିଶନରଙ୍କଠାରୁ ଅନୁମତି ଜରୁରୀ । କଟକ ଓ ଭୁବନେଶ୍ବର ସହର ପାଇଁ କମିଶନରେଟ ପୁଲିସ ବା ତାଙ୍କ ଦ୍ବାରା କ୍ଷମତାପ୍ରାପ୍ତ ଅଧିକାରୀଙ୍କଠାରୁ ଅନୁମତି ମିଳିପାରିବ । କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯାଇ ପାରିବ । ୪ଫୁଟ ଉଚ୍ଚତା ମଧ୍ୟରେ ମୂର୍ତ୍ତି ନିର୍ମାଣ ହୋଇପାରିବ । ଏସବୁ ପୂଜାରେ ସାଧାରଣ ଲୋକ ଭାଗନେଇ ପାରିବେନି, ଗହଳି ହୋଇପାରିବନି । କର୍ତ୍ତାଙ୍କୁ ନେଇ ମଣ୍ଡପରେ ଏକସମୟରେ ୭ ଜଣରୁ ଅଧିକ ଲୋକ ରହିପାରିବେ ନାହିଁ । ଯେଉଁମାନେ ମଣ୍ଡପରେ ରହିବେ ସେମାନେ ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର, ସାମାଜିକ ଦୂରତ୍ବ ପାଳନ କରିବେ । ପୂଜା ମଣ୍ଡପକୁ ତିନିପଟୁ ବନ୍ଦ କରାଯିବ । ପୂଜା କମିଟିର କର୍ମକର୍ତ୍ତାମାନେ ସ୍ଥାନୀୟ ପ୍ରଶାସନ ଦ୍ବାରା ଜାରି ନିୟମକୁ ପାଳନ କରିବେ । କୌଣସି ଭସାଣି ଉତ୍ସବ ଆୟୋଜନ କରାଯାଇପାରିବ ନାହିଁ, କେବଳ ପ୍ରଶାସନ ଦ୍ବାରା ପ୍ରସ୍ତୁତ କ୍ରୁତ୍ରିମ ପୋଖରୀରେ ଭସାଣି କରିହେବ । ପୂଜା ସମୟରେ କୌଣସି ପ୍ରକାରର ମନୋରଂଜନ, ସଂଗୀତ ଆଦି କାର୍ଯକ୍ରମ ହୋଇପାରିବ ନାହିଁ ।